ଜୟପୁର: ଗତ ୨୦୨୧ମସିହାରୁ ପ୍ରୟାସ ଆରମ୍ଭ କରି ବର୍ଷକ ତଳେ ଗୁପ୍ତେଶ୍ବର ପୀଠକୁ କେନ୍ଦ୍ର କରି ୩୦କିଲୋମିଟର ପରିଧି ଅଂଚଳକୁ ରାଜ୍ୟର ତୃତୀୟ ଜୈବବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୋଟିଏ ଟିମ୍ ଡ୍ରାଫ୍ଟ ପ୍ରସ୍ତୁତ କରିବା ପରେ ଏହାକୁ ରାଜ୍ୟସରକାରଙ୍କ ଅନୁମୋଦନ ପାଇଁ ଦାଖଲ କରିବା ସହ ମାନ୍ୟତା ଦେବା ପାଇଁ  ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ନ୍ୟାସନାଲ ବାଇଓ ଡାଇଭେରସିଟି )ରେ ଦାଖଲ କରାଯାଇଥିଲା। ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଅନୁଧ୍ୟାନ କରି ତୁରନ୍ତ ଅନ‌ୁମୋଦନ କରି ଜାତୀୟ ଜୈବ ବିବିଧତା ପ୍ରାଧିକରଣକୁ ଜୈବବିବିଧତା ଐତିହ୍ୟସ୍ଥଳ ଘୋଷଣା କରିବାକୁ ଅନୁରୋଧ କରିବା କଥା। କିନ୍ତୁ  ଏହି ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ଗତ ୭ମାସ ହେବ ଲଟକି ରହିଥିବାରୁ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି।

Advertisment

publive-image

ସୂଚନା ଅନୁଯାୟୀ, ଗୁପ୍ତେଶ୍ବର ପୀଠକୁ ଏହି ମାନ୍ୟତା ମିଳିଲେ ଭାରତର ୧୯ ନମ୍ବରରେ ସ୍ଥାନ ପାଇବା ସହ ରାଜ୍ୟର ତୃତୀୟ ଐତିହ୍ୟସ୍ଥଳ ପାଲଟିବ। ରାଜ୍ୟରେ ପ୍ରଥମଟି କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଓ ଦ୍ବିତୀୟଟି ଗଜପତି ଜିଲ୍ଲାର ମହେନ୍ଦ୍ରଗିରିଙ୍କୁ ଘୋଷଣା କରାଯାଇଛି। ବୈପାରୀଗୁଡା ବ୍ଲକର ହଳଦୀକୁଣ୍ଡ ପଂଚାୟତ ଅର୍ନ୍ତଗତ ଗୁପ୍ତେଶ୍ବର ବନଖଣ୍ଡ ମଧ୍ୟରେ ରହିଛି ରାଜ୍ୟର ସୁପ୍ରସିଦ୍ଧ ଶୌବ ପୀଠ। ପୀଠକୁ କେନ୍ଦ୍ର କରି ଏହାର ଚତୁଃପାର୍ଶ୍ବର ୩୦କିଲୋମିଟର ପରିଧି ମଧ୍ୟରେ  ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବହୁ ଔଷଧୀୟ ଗୁଳ୍ମ, ଏବଂ ଜଙ୍ଗଲରୁ ମହୁ, ଝୁଣା, ହରିଡା, ବାହଡା, ବନ୍ୟଜନ୍ତୁ, ଗୃହପାଳିତ ପ୍ରାଣୀ, ଜୀବଶ୍ମସ୍ତର, ପଥର ସହ କୁମ୍ଭୀର ବି ରହିଛନ୍ତି।  ଏସବୁ ସହ  ବସବାସ କରୁଥିବା ଆଦିବାସୀ, ବନବାସୀଙ୍କ ଜୀବନଶୌଳୀ, ପରମ୍ପରା, ଐତିହ୍ୟ, ଇତିହାସ  ଆଦିକୁ ନେଇ ପ୍ରକଳ୍ପ ଇନିଭିଷ୍ଟେଗେଟର ଟିମ୍ ୨୦୨୧ମସିହା ଅକ୍ଟୋବରରେ ଆସି ୨୦୨୨ମସିହା ସେପ୍ଟେମ୍ବର ରହି ସମସ୍ତ ଦିଗକୁ ଅନୁଧ୍ୟାନ, ନିରୀକ୍ଷଣ, ଅଞେନିଭାଇବା ସହ  ଅଧ୍ୟୟନ କରି ଜ‌ୈବ ବିବିଧତା ନିୟମ-୨୦୦୨ ଅନୁଯାୟୀ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ।

ତତ୍କାଳୀନ ବନଖଣ୍ଡ ଅଧିକାରୀଙ୍କ ଜରିଆରେ ଏହି ଡ୍ରାଫ୍ଟ ରାଜ୍ୟସରକାରଙ୍କୁ ପ୍ରଦାନ କରାଯିବା ସହ ଏହାକୁ  ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ନ୍ୟାସନାଲ ବାଇଓ ଡାଇଭେରସିଟି )ରେ ଦାଖଲ କରିଥିଲେ। ଏହାକୁ ଏହି ମାନ୍ୟତା ଦିଲେଇବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ  ଯେଭଳି ଉଦ୍ୟମ କରିବା କଥା ନ କରିବା ଫଳରେ ଏହା ପାଇବ କି ନାହିଁ ସଂଦେହ ପ୍ରକାଶ ପାଇଛି। ଗୁପ୍ତେଶ୍ବର ପୀଠ କେନ୍ଦ୍ର ସ୍ଥଳୀରେ ରହିବ। ୩୦କିଲୋମିଟର ପରିଧିର ୩୫୦ହେକ୍ଟର ଅଂଚଳକୁ ନେଇ ଜ‌ୈବ ବିବିଧିତା ପରିଚାଳନା କମିଟି ଗଠନ କରାଯିବ। ଏହି କମିଟି ଜରିଆରେ ଅଂଚଳ ବାସୀ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରୀ କରିବେ । ଏଥି ପାଇଁ ଉତ୍ତମ ବଜାର ସରକାର ଯୋଗାଇବେ। କମିଟିରେ ଅର୍ନ୍ତଭୁକ୍ତ ଗ୍ରାମବାସୀ ମାନେ ବେଆଇନ ପଶୁ ପକ୍ଷୀ ଶୀକାର, ପଥର, ମାଟି, ଖଣିଜ ପଦାର୍ଥ ଖୋଳା ଓ ବନାଗ୍ନୀକୁ ରୋକିବା ସହ ଭଗବାନ ଦେଇଥିବା ପ୍ରାକୃତିକ ସଂପଦର ସଂପୁର୍ଣ୍ଣ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବନବିଭାଗ ସହ ଦେବେ। ଏହାରି ମଧ୍ୟରେ ଜୟପୁର ରେଂଜ ବନବିଭାଗ ଏସଟିଏଫର ସହଯୋଗରେ ଏହି ଅଂଚଳରୁ ଚୋରୀ ହୋଇଥିବା ବିରଳ ବଜ୍ରକାପ୍ତାକୁ ଜବତ କରିବା ସହ ୨ଜଣ ପଶୁ ଶୀକାରୀଙ୍କୁ ଗିରଫ କରିଛି। ତୁରନ୍ତ ଏହାକୁ ମାନ୍ୟତା ନ ମିଳିଲେ ପଶୁ ଶୀକାର ଜୋର ହେବା ସହ ବିଲୁପ୍ତପଶୁ ଗୁଡିକ ଏହି ଅଂଚଳରୁ ଉଭାନ ହୋଇ ଯିବେ।