ବୈପାରିଗୁଡା: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ମହାଶିବରାତ୍ରି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ତହସିଲଦାର ତଥା ଦେବୋତ୍ତର ବିଭାଗ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ, ବୈପାରିଗୁଡା ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀ, ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ସମେତ ସ୍ବେଚ୍ଛାସେବୀ ସଂଘର ନରେନ୍ଦ୍ର କାନ୍ଦଲିଆ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Advertisment

ଆସନ୍ତା ୧୮ ତାରିଖ ଦିନ ପାଳିତ ହେବାକୁ ଯାଉଥିବା ମହାଶିବରାତ୍ରି ତଥା ଜାଗର ମେଳା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହେବା ସମ୍ଭାବନା ଥିବାରୁ କିପରି ଶୃଙ୍ଖଳା ସହ ଶିବରାତ୍ରି ପାଳନ କରାଯିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସେଠାକୁ ଆସୁଥିବା ଯାନବାହାନ ଗୁଡ଼ିକର ଗମନାଗମନକୁ ନିୟନ୍ତ୍ରଣ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେସବୁକୁ ପାର୍କିଂ କରିବା ପାଇଁ ସ୍ଥାନ ନିରୂପଣ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଏଥିସହ ଯାତ୍ରୀମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କର ଦର୍ଶନ କରି ପାରିବେ ଏବଂ ଭିଡ଼ ନିୟନ୍ତ୍ରଣ କିପରି କରାଯିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଗଲା। ପାନୀୟ ଜଳ ଯୋଗାଣ, ବିଜୁଳି ଆଲୁଅ ଯୋଗାଣ, ଜରୁରୀ ସ୍ବାସ୍ଥ୍ୟ ସେବା ସହ ନଦୀରେ ସ୍ନାନ କରିବାକୁ ଯାଉଥିବା ଭକ୍ତମାନଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗକୁ ନିୟୋଜନ କରାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ତିନି ଦିନ ବ୍ୟାପି ଚାଲିଥିବା ଏହି ମେଳାର ସୁପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାପାଇଁ ସ୍ଥିର କରାଗଲା।