ରସୁଲପୁର: କାମ କରୁଥିବାବେଳେ ବସ୍ତା ପଡ଼ିଯିବାରୁ ଅଣ୍ଟା ଜଖମ ହୋଇଯାଇଥିଲା। ୩ ବର୍ଷ ହେବ ସେହି ଜଖମକୁ ନେଇ ଅକର୍ମଣ୍ୟ ହୋଇଯାଇଛନ୍ତି ରସୁଲପୁର ବ୍ଲକ୍ ମୁଗୁପାଳ ପଞ୍ଚାୟତ ଗଣାବାଗ ଗ୍ରାମର ଗୁରୁଚରଣ ସାହୁ। ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା କରାଇ ପାରିନାହାନ୍ତି ପରିବାର ଲୋକ। ଭଲରେ ବସି ପାରୁନାହାନ୍ତି। ହାତ ମୁଠା ମଧ୍ୟ ଖୋଲୁନାହିଁ। ରୋଜଗାରିଆ ବ୍ୟକ୍ତି ଶଯ୍ୟାଶାୟୀ ହେବା ପରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ରାସନ କାର୍ଡରେ ମିଳୁଥିବା ୨୦ କେଜି ଚାଉଳ ଓ ଅଳ୍ପଦିନ ତଳେ ମିଳୁଥିବା ଭତ୍ତା ଟଙ୍କା ହିଁ ତାଙ୍କ ସମ୍ବଳ ପାଲଟିଛି। ବଖରାଏ ଚାଳଛପର ଘରେ ସ୍ତ୍ରୀ ଓ ପୁଅଝିଅଙ୍କ ସହିତ ୪ ପ୍ରାଣୀ ରୁହନ୍ତି। ଘର ଛପର କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ସ୍ବେଚ୍ଛାସେବୀ ସଂଗଠନ ହେଲପିଙ୍ଗ ହ୍ୟାଣ୍ତ୍‌ସ ପକ୍ଷରୁ ପଲିଥିନ୍ ଦିଆଯାଇଥିଲା। କିଛିଦିନ ତଳେ ସଂଗଠନର ସଦସ୍ୟମାନେ ଘର ଛପର କରି ଦେଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ​ ଏହି ଗରିବ ପରିବାର ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ନୂଆ ତାଲିକାରେ ମଧ୍ୟ ତାଙ୍କ ନାଁ ନାହିଁ।

Advertisment

ଏ ବିଷୟରେ ମୁଗୁପାଳ ସରପଞ୍ଚଙ୍କ ପ୍ରତିନିଧି ଦୁଷ୍ମନ୍ତ ମଲିକ କୁହନ୍ତି, ତାଲିକାରେ କାହିଁକି ନାଁ ନାହିଁ, ସେ ଜାଣି ନାହାନ୍ତି। ସେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିବାରୁ ସେହି ଆଧାରରେ ତାଙ୍କର ଘର ତଦନ୍ତ ହୋଇଛି। ତାଙ୍କର ଭତ୍ତା କରାଯାଇଛି। ତାଲିକାରେ ନାଁ ଚଢ଼ିଲେ ଅଗ୍ରାଧିକାର ଭିତ୍ତିରେ ଘର ଦିଆଯିବ। ଏ ସଂପର୍କରେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ କୁହନ୍ତି ଯେ ଗୁରୁଚରଣଙ୍କ ପରିବାର ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଣ୍ଠିରୁ ତାଙ୍କୁ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯିବ।