ଭୁବନେଶ୍ୱର: ଗୁରୁ ଦିବସରେ ରାଜଧାନୀର ରାଜରାସ୍ତାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ଶିକ୍ଷକମାନେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପୂଜା ପାଇବା କଥା ସେତେବେଳେ ତୁହାକୁ ତୁହା ବର୍ଷା ଓ ପ୍ରଚଣ୍ଡ ଘଡ଼ଘଡ଼ିକୁ ଖାତିର ନ କରି ‌ହକ୍‌ ପାଇଁ ଲଢ଼େଇ କରିଛନ୍ତି। ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କଳାପଟି ପିନ୍ଧିବା ସହିତ ‘ଗୁରୁ ମାଗୁଛି ମର୍ଯ୍ୟାଦା’ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ହକ୍‌ ମାଗିଛନ୍ତି। ଶିକ୍ଷକମାନେ ଚିତ୍କାର କରି ସ୍ଲୋଗାନ୍ ଦେଉ ନଥିଲେ। ବରଂ ବିଶାଳ ନୀରବ ପ୍ରତିବାଦ ପଟୁଆରରେ ଗାନ୍ଧୀମାର୍ଗରେ ପହଞ୍ଚିଲା ପରେ ସେଠାରେ ରାସ୍ତା ଉପରେ ଅହୋରାତ୍ର ଧାରଣାରେ ବସିଛନ୍ତି।

Advertisment

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆହ୍ୱାନରେ ଆୟୋଜିତ ଏହି ଅଭିନବ ପ୍ରତିବାଦ ପରେ ଶିକ୍ଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି। ଓଷ୍ଟା ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ମାନବ ସମ୍ବଳ ବିକାଶ ଦାୟିତ୍ୱ ଯେଉଁମାନେ କାନ୍ଧରେ ବହନ କରୁଛନ୍ତି ସେମାନେ ମାନବାଧିକାରରୁ ବଞ୍ଚିତ। ଯେଉଁମାନେ ଶ୍ରେଣୀଗୃହରେ ଦେଶର ଭବିଷ୍ୟତଙ୍କୁ ତିଆରି କରୁଛନ୍ତି ସେମାନେ ଲାଞ୍ଛିତ। ରାଜ୍ୟରେ ଏମିତି କୌଣସି ବିଭାଗ ନାହିଁ ଯେଉଁଠି କର୍ମଚାରୀମାନଙ୍କୁ ବିନା ଦରମାରେ ୨୫ ବର୍ଷ ଧରି କାମ କରିବାକୁ ପଡ଼ିଥାଏ। ମାତ୍ର ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନେ ଅବସର ନେବା ସମୟରେ ଶୂନ୍ୟ ହସ୍ତରେ ବିଦା ହୁଅନ୍ତି ଏବଂ ବିନା ଦରମାରେ ୨୦ରୁ ୨୫ ବର୍ଷ ଖଟନ୍ତି।

ଯେତେବେଳେ ଶିକ୍ଷକମାନେ ତାଙ୍କ ଅଧିକାର ପାଉନାହାନ୍ତି ସେତେବେଳେ ସେମାନେ ମର୍ଯ୍ୟାଦାର ସହିତ ବଞ୍ଚୁଥିବା ନେଇ ଯଦି ରାଜ୍ୟ ସରକାର କୁହନ୍ତି ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ। ତେଣୁ ଗୁରୁ ଦିବସକୁ ମର୍ଯ୍ୟାଦା ଦିବସ ଭାବରେ ପାଳନ କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସରକାର ପ୍ରତିଶ୍ରୁତି ପାଳନ କରନ୍ତୁ। ନହେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ‘ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ’ ନ୍ୟାୟରେ ଯେକୌଣସି ପରିସ୍ଥିତିକୁ ସାମନା କରିବାକୁ ସଂଗଠନ ବାଧ୍ୟ ହେବ ବୋଲି ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ କହିଛନ୍ତି।