ପ୍ରାଥମିକ ଶିକ୍ଷା ଜାତି ନିର୍ମାଣର ମୂଳଦୁଆ: ସୌମ୍ୟରଞ୍ଜନ

ଖଲ୍ଲିକୋଟ : ପ୍ରାଥମିକ ଶିକ୍ଷା ଜାତି ନିର୍ମାଣର ମୂଳଦୁଆ ପକାଇଥାଏ। ଜାତି ଗଠନରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଆଜି ଗୁରୁଦିବସ ଅବସରରେ ଗଂଜାମ ଜିଲ୍ଲା ଖଲ୍ଲିକୋଟର ଡ.ଏପିଜେ ଅବ୍‌ଦୁଲ୍‌ କଲାମ୍‌ ଶିକ୍ଷକ କଲ୍ୟାଣ ପରିଷଦ ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ମହାପୁରୁଷମାନଙ୍କ ସ୍ମୃତିଚାରଣ କରିଥିଲେ। ବର୍ତ୍ତମାନ ପିଢ଼ିର ଛାତ୍ରଛାତ୍ରୀଙ୍କ ସୁବିଧା ସୁଯୋଗ ଏବଂ ଶିକ୍ଷା ପ୍ରତି ଆଗ୍ରହର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପିତ କରି ସେ କହିଥିଲେ, ଗୋଦାବରୀଶ ମିଶ୍ର କଟକରେ ରହି ପାଠ ପଢ଼ିବା ସମୟରେ ନିଜର ଗରିବ ଅବସ୍ଥାକୁ ଦୂର କରିବାକୁ ଯାଇ ରାନ୍ଧୁଣିଆ ଭାବେ କାମ କରିଥିଲେ। ତେବେ ଆଜିର ସୋସିଆଲ୍‌ ମିଡ଼ିଆ ଯୁଗରେ ପିଲାଙ୍କୁ ମାଗଣା ଖାଦ୍ୟ, ପୋଷାକ, ପାଠ୍ୟପୁସ୍ତକ ଓ ଗୋଲାପୀ ସାଇକଲ୍‌ ଯୋଗାଇ ଦିଆ ଯାଉଥିଲେ ମଧ୍ୟ ପାଠପଢ଼ାର ମାନ ବୃଦ୍ଧି ହୋଇପାରୁ ନାହିଁ। ତେଣୁ ଶିକ୍ଷକମାନେ କେବଳ ଆନ୍ଦୋଳନରେ ବ୍ୟସ୍ତ ନରହି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବା ଉଚିତ।

ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା ଯୋଗ ଦେଇ ନିକଟରେ କେରଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ବିତ୍ପାତରେ ପୀଡ଼ିତଙ୍କୁ ସହାୟତା ପାଇଁ ଯେଉଁଭଳି ଭାବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସହାୟତାର ହାତ ବଢ଼ାଇଛନ୍ତି, ତାହାକୁ ସ୍ୱାଗତ କରିଥିଲେ। ସଭାରେ ଅଧ୍ୟକ୍ଷତା କରିଥିଲେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା। ଏହି ଅବସରରେ ଶିକ୍ଷୟିତ୍ରୀ ଚନ୍ଦ୍ରମା ବେହେରା, ବିଜୟଲକ୍ଷ୍ମୀ ମହାରଣା, ପୁଷ୍ପଲତା ପଣ୍ଡା, ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ବାନାମ୍ବର ସ୍ୱାଇଁ, ବିଇଓ ଉମାଚରଣ ତ୍ରିପାଠୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର