ବାରିପଦା: ଅର୍ଥ ଅଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଲେ। ଆଉ ରୋଜଗାର ସମୟରେ ଗୋଡ଼ ଖରାପ ହେବାରୁ ଚଲାବୁଲା କରି ପାରିଲେ ନାହିଁ। ଶିକ୍ଷକ ହେବାର ସବୁ ଆଶା ମଉଳିଗଲା। ଏପରି ସମୟରେ ସେ ଶିକ୍ଷକ ହେବା ନିଶାରେ ଗାଁ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ବଞ୍ଚିବାର ରାହା ଦେଖାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବଡ଼ଫେଣେଇ ପଞ୍ଚାୟତ ବଡ଼ସାଫେଲ ଆଦିବାସୀ ଗାଁ’ର ବାସିନ୍ଦା ହେଉଛନ୍ତି ଶ୍ରୀନାଥ ମୁର୍ମୁ। ବୟସ ୫୦। ସେ ସ୍ଥାନୀୟ ବାହାନଗା ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିଛନ୍ତି। ଉଚ୍ଚଶିକ୍ଷା ଲାଭ କରି ଜଣେ ଭଲ ଶିକ୍ଷକ ହେବାର ଲକ୍ଷ୍ୟ ରଖିଥିଲେ। ତେବେ ଏହି ସମୟରେ ତାଙ୍କର ବାପା ଓ ମାଆଙ୍କ ଦେହାନ୍ତ ହୋଇଯାଇଥିଲା। ଅର୍ଥ ଅଭାବରୁ ସେ କଲେଜରେ ନାମ ଲେଖାଇ ପାରି ନଥିଲେ। ପରିବାରର ବଡ଼ପୁଅ ହୋଇଥିବାରୁ କାମଧନ୍ଦା କରି ପରିବାର ଚଳାଇଲେ। ହେଲେ ୮ ବର୍ଷ ପୂର୍ବେ ବଡ଼ ବିପତ୍ତି ଆସିଥିଲା। ହଠାତ୍ ଶ୍ରୀନାଥଙ୍କ ଦୁଇଗୋଡ଼ କାମ କଲାନି। ଧାରଉଧାର କରି ଡାକ୍ତର ଦେଖାଇଲେ। ହେଲେ କିଛି ଫଳ ମିଳିଲାନି। ଶ୍ରୀନାଥଙ୍କ ପକ୍ଷେ ଆଉ ଚଲାବୁଲା କରିବା ସମ୍ଭବ ହେଲାନି। ସେ ଘରେ ବସି ରହିଲେ। ପତ୍ନୀ ସରସ୍ବତୀ ମୁର୍ମୁ କାମଧନ୍ଦା କଲେ। ଯାହା କିଛି ଟଙ୍କା ରୋଜଗାର ହେଲା, ସେଥିରେ ତାଙ୍କ ସଂସାର ଚଳିଲା। ଏକମାତ୍ର ଝିଅ ସୀତାମଣି ସ୍ନାତକୋତ୍ତର ପାସ୍ କରି ଅର୍ଥ ଅଭାବରୁ ଆଉ ଉଚ୍ଚଶିକ୍ଷା ଗ୍ରହଣ କରି ନପାରି ଘରେ ବସିଛନ୍ତି। ତେବେ ଶ୍ରୀନାଥ ସିନା ଶିକ୍ଷକ ହୋଇ ପାରିଲେ ନାହିଁ। ହେଲେ ଗାଁ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇ ଶିକ୍ଷକ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ।
ପ୍ରଥମେ ୨-୩ ଜଣ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ। ଶ୍ରୀନାଥଙ୍କଠାରୁ ପାଠପଢ଼ି ପିଲାମାନେ ପରୀକ୍ଷାରେ ଭଲ କଲେ। ଯାହାଫଳରେ ଗାଁ’ର ଅନ୍ୟ ପିଲାମାନେ ଶ୍ରୀନାଥଙ୍କ ପାଖକୁ ପାଠପଢ଼ିବା ପାଇଁ ଆସିଲେ। ଏଥିନିମନ୍ତେ ସେ କୌଣସି ପିଲାଙ୍କ ଅଭିଭାବକଙ୍କଠାରୁ ଟଙ୍କା ଦାବି କରି ନଥା’ନ୍ତି। ତେବେ ଶ୍ରୀନାଥଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଭିଭାବକମାନେ ଖୁସିରେ କିଛି ଅର୍ଥ ଦେଇଥା’ନ୍ତି। ଯାହା ପରିବାର ଚଳିବାରେ କିଛିଟା ସାହାଯ୍ୟ କରୁଛି। ଏବେ ଶ୍ରୀନାଥ ଗାଁ ପିଲାଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି। ସକାଳେ ଓ ସଂଧ୍ୟାରେ ୧୨ରୁ ୧୪ ପିଲା ଆସି ତାଙ୍କ ପାଖରେ ପାଠପଢ଼ୁଛନ୍ତି। ସେ କେବଳ ପାଠପଢ଼ାଉ ନାହାନ୍ତି, ଛୁଟିଦିନଗୁଡ଼ିକରେ ପିଲାଙ୍କୁ ଗୀତ ଓ ବାଦ୍ୟ ଶିକ୍ଷା ମଧ୍ୟ ଦେଉଛନ୍ତି। ଗୁରୁ ଓ ଶିଷ୍ୟ ସମ୍ପର୍କ ନିବିଡ଼। ହେଲେ ଶିକ୍ଷା ବ୍ୟବସାୟୀକରଣ ହେବା ଫଳରେ ଏବେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଦୂରତା ବଢ଼ିଯାଉଛି। ଶିକ୍ଷା ସ୍ବୟଂସଂପୂର୍ଣ୍ଣ ହୋଇପାରୁନି। ଗୁରୁଦିବସରେ ସମସ୍ତେ ଏପରି ପରମ୍ପରାକୁ ଭାଙ୍ଗିବା ପାଇଁ ଶପଥ ନେବା ଉଚିତ ବୋଲି ଶ୍ରୀନାଥ କହିଛନ୍ତି।