ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଡିଜିଟାଲରେ ଶ୍ରଦ୍ଧାସୁମନ

ଭୁବନେଶ୍ବର : ଓଡ଼ିଶୀ ନୃତ୍ୟକୁ ବିଶ୍ବବିଦିତ କରିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଶ୍ରାଦ୍ଧବାର୍ଷିକ‌ୀ ଏଥର ନିଆରା ଢଙ୍ଗରେ ପାଳନ ହେବ। କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ ଜାରି ରହିଥିବା ବେଳେ ଆସନ୍ତା ୭ତାରିଖରେ ଗୁରୁଙ୍କ ସ୍ମୃତିରେ ହେବାକୁ ଥିବା ‘ସମସ୍ମରଣମ’ କାର୍ଯ୍ୟକ୍ରମ ବାତିଲ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଫେସବୁକରେ ସିଧାପ୍ରସାରଣ ମାଧ୍ୟମରେ ପାଳନ କରିବ ‘ସୃଜନ’ ନୃତ୍ୟାନୁଷ୍ଠାନ।

ଏପ୍ରିଲ ୭ରେ ଗୁରୁଙ୍କର ୧୬ତମ ଶ୍ରାଦ୍ଧବାର୍ଷିକ ପଡ଼ୁଥିବାରୁ ସେଇ ଅବସରରେ ସମଗ୍ର ବିଶ୍ବରେ ରହୁଥିବା ତାଙ୍କର ଶିଷ୍ୟ ଶିଷ୍ୟା ଓ ପ୍ରଶଂସକମାନେ ନିଜର ଶବ୍ଦ, ଭିଡିଓ ଓ ଅନ୍ୟ ମାଧ୍ୟମରେ ସ୍ମୃତିଚାରଣ ପାଇଁ ‘ସୃଜନ’ ପକ୍ଷରୁ ନିବେଦନ କରାଯାଇଛି। କାର୍ଯ୍ୟକ୍ରମରେ ଏକାଠି ସମବେତ ହୋଇ ଗୁରୁଙ୍କୁ ସ୍ମରଣ କରିନପାରିଲେ ମଧ୍ୟ ଗୁରୁଙ୍କ ସହ ଜଡ଼ିତ ସ୍ମୃତି, ଅନୁଭୂତିକୁ ସୋସିଆଲ ମିଡିଆ ମାଧ୍ୟମରେ ସୁଦୂରପ୍ରସାରୀ କରାଇବା ଲକ୍ଷ୍ୟ ନେଇ ଏପରି ଆହ୍ବାନ କରାଯାଇଛି ବୋଲି ‘ସୃଜନ’ର ନିର୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁତ୍ର ରତିକାନ୍ତ ମହାପାତ୍ର କହିଛନ୍ତି। ଯେଉଁମାନେ ସେପରି କିଛି ସ୍ମୃତିଚାରଣର ଲେଖା, ଭିଡିଓ, ଭଏସ ବା ଅନ୍ୟ କିଛି ଗୁରୁଜୀଙ୍କ ଫେସବୁକ ଆକାଉଣ୍ଟ କିମ୍ବା gurukelucharanmohapatra.in <http://gurukelucharanmohapatra.in> ରେ ପୋଷ୍ଟ କରିପାରିବେ।

ଏହି ସ୍ମୃତିଚାରଣ ସହ ସୃଜନ ନୃତ୍ୟାନୁଷ୍ଠାନ ପରିସରରୁ ଗୁରୁଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଭେଟିଦେବା ପାଇଁ ଆୟୋଜନ କରାଯାଉଛି। ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମଧ୍ୟ ସୋସିଆଲ ମିଡିଆରେ ସିଧାପ୍ରସାରଣ କରାଯିବ। ଫଳରେ ଘରେ ଥାଇ ମଧ୍ୟ ଅନେକ ଏହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଗୁରୁଙ୍କ ସ୍ମୃତିଚାରଣ କରିପାରିବେ।

ସମ୍ବନ୍ଧିତ ଖବର