୫ ଜଣଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ଆକର୍ଷଣ ସାଜିବ ଗଙ୍ଗା ନଦୀର କାହାଣୀ

ଭୁବନେଶ୍ବର : ଓଡ଼ିଶୀ ନୃତ୍ୟ ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଦିଆଯାଉଥିବା ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’ ଘୋଷଣା ହୋଇଛି। ଓଡ଼ିଶୀ ନୃତ୍ୟର ଆଦ୍ୟଗୁରୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ଏଥର ୫ଜଣ ଲାଭ କରିବେ। ବିଶିଷ୍ଟ ତବଲା ବାଦକ ହରମୋହନ ଖୁଣ୍ଟିଆ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟ ସମୀକ୍ଷକ ଡ. ସୁନୀଲ କୋଠାରି ଓ ଲୀଲା ଭେଙ୍କଟରମଣ ଏବଂ ନୃତ୍ୟ ଓ କଳାକୁ ଲେନ୍‌ସରେ କଏଦ୍‌ କରୁଥିବା ଜଣାଶୁଣା ଫଟୋଗ୍ରାଫର୍‌ ଅବିନାଶ ପସ୍ରିଚାଙ୍କୁ ଏହି ସମ୍ମାନ ଦିଆଯିବ।

ଆଜି ହୋଟେଲ୍‌ ଦି ରୟାଲ୍‌ ମିଡ୍‌ ଟାଉନ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରତିକାନ୍ତ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଲେ, ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ସମ୍ବର୍ଧିତ କରାଯିବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସେପ୍ଟେମ୍ବର ୫ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରସ୍କାର ଉତ୍ସବର ରୌପ୍ୟ ଜୟନ୍ତୀରେ ଏହି ସମ୍ମାନ ପ୍ରଦାନ କରାଯିବ।

ଏଥିସହ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ବପ୍ନକଳ୍ପ ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ, ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟଶିଳ୍ପୀ ଅନ୍ବେଷା ମହନ୍ତ ଓ ଓଡ଼ିଶୀ ସଂଗୀତ ପାଇଁ ସତ୍ୟବ୍ରତ କାଠଙ୍କୁ ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯିବ। ୧୧ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ପୁରସ୍କୃତ କରିବେ। ଶେଷଦିନରେ ଆକର୍ଷଣ ସାଜିବ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦେଶିତ ୪୦ ମିନିଟ୍‌ର ‘ନମାମି ଗଙ୍ଗେ’। ଅଶ୍ବମେଧ ଯଜ୍ଞ ପରେ ଗଙ୍ଗାର ଉତ୍ପତ୍ତିଠୁ ନେଇ ସଂପ୍ରତି ଗଙ୍ଗାର ପ୍ରଦୂଷିତ ସ୍ଥିତିକୁ ନୃତ୍ୟାଭିନୟରେ ପରସି ଦେବେ ‘ସୃଜନ’ ଅନୁଷ୍ଠାନର ଶିଳ୍ପୀବୃନ୍ଦ। ୭ ଦିନର କାର୍ଯ୍ୟକ୍ରମରେ ଅନୁପ ‌ଜଲୋଟା, ଉସ୍ତାଦ ସବିର ଖାନ୍‌, ଇନ୍ଦ୍ରାଣୀ ମୁଖାର୍ଜୀ, ଦେବସ୍ମିତା ଭଟ୍ଟାଚାର୍ଯ୍ୟ, ବିଜୟ ଜେନାଙ୍କ ସଂଗୀତ ଓ ବାଦ୍ୟ ସହ ଦୁର୍ଗାଚରଣ ରଣବୀର, ଅରୁଣା ମହାନ୍ତି, ଇଲିଆନା ସିତାରିଷ୍ଟି, ନିରଂଜନ ରାଉତ, ଅଶୋକ ଘୋଷାଲ୍‌, ଗଜେନ୍ଦ୍ର ପଣ୍ଡା, ମୀରା ଦାସ, ବିଚିତ୍ରାନନ୍ଦ ସ୍ବାଇଁ, ପୀତାମ୍ବର ବିଶ୍ବାଳ ଓ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିବ।

ସମ୍ବନ୍ଧିତ ଖବର