ପ୍ରସିଦ୍ଧ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ

କଟକ : ଏ ବନର ଛାଇ…., ସାଥିରେ ଯା’ କହି…, ବେଦନା ସାଗର ତୀରେ… ଭଳି ମନଛୁଆଁ ଗୀତର ସ୍ରଷ୍ଟା, ଓଡ଼ିଆ ଗୀତିକବିତା ଜଗତର କିମ୍ବଦନ୍ତୀ ପୁରୁଷ ଗୁରୁକୃଷ୍ଣ ଗୋସ୍ୱାମୀ ଆଉ ଇହ ଜଗତରେ ନାହାନ୍ତି। ଆଜି ସକାଳ ୮ଟା ୧୫ରେ ତୁଳସୀପୁର ଶିବାଜୀନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବିଶିଷ୍ଟ କଣ୍ଠଶିଳ୍ପୀ ଆରତୀ ଗୋସ୍ୱାମୀ, ସାନ ଭାଇ ଗୋଦାବରୀଶ ଗୋସ୍ୱାମୀ, ଗୁରୁପ୍ରସାଦ ଗୋସ୍ୱାମୀ, ଗିରିଜାଶଙ୍କର ଗୋସ୍ୱାମୀ, ଭଉଣୀ ରେଣୁବାଳା, ଜ୍ୟୋତ୍ସ୍ନା, ପୁଅ ଭୂମିତ୍ର, ସୁମିତ୍ର, ଝିଅ ମୋନାଲିସା, ଲିପ୍‌ସା, ଜୁବୁଲି, ସତରୂପା, ମୋନାଲିମା, ଚୁବି, ବୋହୂ ଶୁଭାସିନୀ, ସରିତା, ଶ୍ରାବଣୀ, ସୌମ୍ୟାଶ୍ରୀ, ଅନିମାଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ସତୀଚୌରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ପୁଅ ଭୂମିତ୍ର ଗୋସ୍ୱାମୀ ମୁଖାଗ୍ନୀ ଦେଇଥିଲେ।

ଗୁରୁକୃଷ୍ଣ ଗୋସ୍ୱାମୀ ୧୯୩୪, ନଭେମ୍ବର ୭ ତାରିଖରେ ମୟୂରଭଞ୍ଜର ବେତନଟି ନୂଆଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଗୋକୁଳଚନ୍ଦ୍ର ଗୋସ୍ୱାମୀ-ଶ୍ରଦ୍ଧାବତୀ ଗୋସ୍ୱାମୀଙ୍କ ବଡ଼ପୁଅ। ପିଲା ଦିନରୁ ସଂଗୀତ ପ୍ରତି ବିଶେଷ ରୁଚି ରଖିଥିବା ଗୁରୁକୃଷ୍ଣ ୧୯୫୩ ମସିହାରେ ମାତ୍ର ୧୯ବର୍ଷ ବୟସରେ ପ୍ରଥମ ବାଲାର୍ଡ ‘କୋଣାର୍କ ଗାଥା’ ରଚନା କରି ସଂଗୀତ ଦୁନିଆରେ ପାଦ ଦେଇଥିଲେ। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଅକ୍ଷୟ ମହାନ୍ତି ଏହାକୁ ଗାଇ ଥିଲେ। ୧୯୫୬ରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଏବଂ ୧୯୮୬ରେ ସଂଗୀତ ନିର୍ଦ୍ଦେଶକ ମାନ୍ୟତା ପାଇଥିଲେ। ମା’ ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ଗୀତ ‘ଉଦାସୀ ମୋ ବଂଇଶୀର ସୁର’ ବୋଲା ଯାଇଥିଲା। ସ୍ୱର୍ଗତ ଗୋସ୍ୱାମୀ ‘ବେଦନା ସାଗର ତୀରେ ’(ମା’ ଚଳଚିତ୍ର), ଏଇ ଚୁନା ଚୁନା ତାରାଫୁଲ(ସ୍ୱର୍ଯ୍ୟମୁଖୀ), ତୁମକୁ ପାରୁନି ତ ଭୁଲି( ଅରୁନ୍ଧତୀ), ଏଇ ଛୋଟ କଥାଟିକୁ ଭୁଲନା(ଅରୁନ୍ଧତୀ), ଫୁଲେଇରାଣୀ ସଜଫୁଲ(କିଏ କାହାର), ଏ ବନର ଛାଇ(ଗପ ହେଲେ ବି ସତ), ତୁମକୁ ନିଜର କରିବା ଭାଗ୍ୟ( ଅଗ୍ନିପରୀକ୍ଷା), ଅଭିମାନୀ ବନ୍ଧୁରେ (ଅଗ୍ନିପରୀକ୍ଷା), ସାଥିରେ ଯା’ବହି (ଗପ ହେଲେବି ସତ) ଭଳି ଚିରସବୁଜ ଗୀତ ରଚନା କରି ଓଡ଼ିଆ ସଂଗୀତ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରରେ ସଂଳାପ ରଚନା କରି ସଂଳାପ ଲେଖକର ମର୍ଯ୍ୟାଦା ଅର୍ଜନ କରିିଥିଲେ। ଖାଲି ସେତିକି ନୁହେଁ ତାଙ୍କ ଲେଖନୀରୁ ସୃଷ୍ଟି ‘ଏ ମନ ଚୋରା ପଥେ’, ସମୁଦୁଣି ମୋ ଜୁହାର ଜାଣିବ, ଅବନୀଗନ୍ଧା, ବଗଦିହୁଡି, ନମାମୀ ଜନ୍ମଭୂମି, ସୁନେଲି ଦିନ ରୂପେଲି ରାତି ଆଦି ପୁସ୍ତକ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିଛି। ସାମଗ୍ରିକ ସାରସ୍ୱତ ଓ ସଂଗୀତ କୃତି ପାଇଁ ସ୍ୱର୍ଗତ ଗୋସ୍ୱାମୀ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଉତ୍କଳ ସାହିତ୍ୟ ସମାଜ, ନିଖିଳ ଉତ୍କଳ ସଂଗୀତ ଶିଳ୍ପୀ ପରିଷଦ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ଗୀତିକବି ସମାଜର ପ୍ରତିଷ୍ଠାତା ସଭ୍ୟ, ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଭ୍ୟ ଭାବେ ସେ ତାଙ୍କର ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଥିଲେ। ସେ ଏକାଧାରରେ ଜଣେ ଗୀତିକାର, ଗାୟକ, ଗାଳ୍ପିକ, ସ୍ତମ୍ଭକାର ଭାବେ ପରିଚୟ ସୃଷ୍ଟି କରିଥିଲେ। ସେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗରେ ଚାକିରି କରି ଅବସର ନେଇଥିଲେ।

ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ଦେବାଶିଷ ମହାପାତ୍ର, ସ୍ୱରୂପା ଚକ୍ରବର୍ତ୍ତି, ଗୀତିକବି ଗୌର ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଶଶିକାନ୍ତ ରାଉତ, ବିଜୟ ମଲ୍ଲ, ଓମ୍‌ ପ୍ରକାଶ ମହାନ୍ତି, ଗୀତା ଖୁଣ୍ଟିଆ, ବଦ୍ରିନାଥ ଦାସ, ପ୍ରଭାଂଶୁ ସାମନ୍ତରାୟ, ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ଗୁରୁକୃଷ୍ଣଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ଗୀତି କବି ଗୌରହରି ଦଳାଇ, ସଂଗୀତକାର ପ୍ରେମ୍‌ ଆନନ୍ଦ, ଡାକ୍ତର ରବିରଂଜନ ସାହୁ, ସୁବ୍ରତ ସ୍ୱାଇଁ ପ୍ରମୁଖ ଗୁରୁକୃଷ୍ଣଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର