ଯାଜପୁର/ବାଲିକୁଦା/ରତ୍ନଗିରି: ପ୍ରବାସୀ ଭାରତୀୟମାନଙ୍କର ୩ଦିନିଆ ସମାବେଶ ଶେଷ ହେବାର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ବୁଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ। ଏଥିପାଇଁ ଓଡ଼ିଶାର ହୀରକ ତ୍ରିଭୁଜ ଉଦୟଗିରି-ଲଳିତଗିରି-ରତ୍ନଗିରି ବୌଦ୍ଧବିହାରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ମହାସମାବେଶରେ ୧୭ଟି ଦେଶର ୧୫୦୦ ବୌଦ୍ଧ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ଯୋଗ ଦେବେ। ଏଥିପାଇଁ ବୌଦ୍ଧବିହାରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ବିଦେଶରୁ ସନ୍ନ୍ୟାସୀମାନେ ପହଞ୍ଚିବା ଆରମ୍ଭ କଲେଣି। ଗୁରୁ ପଦ୍ମସମ୍ଭବ ଅବସ୍ଥାନ କରିଥିବା ବଡ଼ଚଣା ବ୍ଲକ୍‌ର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ସମାବେଶର ମୁଖ୍ୟ କେନ୍ଦ୍ର ପାଲଟିଛି। 

Advertisment

ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ନିୟନ୍ତ୍ରଣ ପାଇଁ ୫ଦିନ ସମୂହ ପ୍ରାର୍ଥନା
ହୀରକ ତ୍ରିଭୁଜ ବୌଦ୍ଧବିହାର ରତ୍ନଗିରି-ଉଦୟଗିରି-ଲଳିତଗିରି ଚଳଚଞ୍ଚଳ

ଆସନ୍ତା ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନିଆ ପ୍ରଥମ ଗୁରୁ ପଦ୍ମସମ୍ଭବ ମହାସମାବେଶ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଆନ୍ତର୍ଜାତିକ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଆମେରିକାର ଡ.କୁନଯାଙ୍ଗ୍‌ ୱାଙ୍ଗମୋ ଡିକ୍ସେ ସମାରୋହସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆବାହକଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଓ ସଂସ୍କୃତିପ୍ରେମୀ ବୌଦ୍ଧଧର୍ମ ପ୍ରଚାରକ ପ୍ରକାଶ ଚନ୍ଦ୍ର ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି। ଆଗନ୍ତୁକ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀଙ୍କ ରହଣି ପାଇଁ ଅସ୍ଥାୟୀ ଶିବିର ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି।

ସ୍ବାଗତ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ସ୍ବାଗତ ଚିତ୍ର ଅଙ୍କନ ହେଉଛି। ଏ ପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ୨୦ ଜଣ ବୌଦ୍ଧ ସନ୍ନ୍ୟାସୀ ପର୍ଯ୍ୟଟନ ବଙ୍ଗଳାରେ ପହଞ୍ଚି ସାରିଛନ୍ତି। ୧୦ଜଣ ସନ୍ନ୍ୟାସୀ ୮ଦିନ ଧରି ଛୋଟବଡ଼ ୩୦ରୁ ଅଧିକ ମୂର୍ତ୍ତି ନିର୍ମାଣ କରିଛନ୍ତି। ସମାରୋହ ସ୍ଥଳରେ ମୂର୍ତ୍ତିଗୁଡ଼ିକୁ ରଖାଯାଇ ପୂଜାର୍ଚ୍ଚନା କରାଯିବ ବୋଲି ସାଧୁମାନେ କହିଛନ୍ତି। ହେଲେ ପୂର୍ତ୍ତ ବିଭାଗର କୃଷ୍ଣଦାସପୁର-ରତ୍ନଗିରି ରାସ୍ତା ସମ୍ପୂର୍ଣ୍ଣ ହୋଇନାହିଁ। ଆନ୍ତର୍ଜାତିକ ମହାସମାବେଶ ପାଇଁ ଉଭୟ ସରକାରୀ ଓ ବେସରକାରୀ ସଙ୍ଗଠନ ତତ୍ପରତା ପ୍ରକାଶ କରିଥିବାବେଳେ ଏହି ସମାବେଶକୁ ଅଧିକ ଆକର୍ଷଣୀୟ କରିବାକୁ ବୁଦ୍ଧିଜୀବୀ ମହଲ ମତବ୍ୟକ୍ତ କରିଛନ୍ତି।