ସମ୍ବଲପୁର : ୨୦୧୩ ମସିହାରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଅଗଷ୍ଟ ୧ ତାରିଖ ଦିନ ସମ୍ବଲପୁରୀ ଦିନ ପାଳିତ ହୋଇ ଆସୁଥିଲାବେଳେ ଚଳିତ ବର୍ଷ ଏହାକୁ ବ୍ୟାପକ ରୂପରେ ପାଳନ କରାରଯାଇଛି। ଗତ ୪ ବର୍ଷ ହେଲା ସମ୍ବଲପୁରରେ ଧୁମଧାମରେ ପାଳିତ ହୋଇ ଆସୁଥିବା ଏହି ଉତ୍ସବ ଚଳିତ ବର୍ଷ ରାଜ୍ୟର ୧୭ଟି ସ୍ଥାନରେ ଏକା ସାଂଗରେ ପାଳିତ ହୋଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆହ୍ବାନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଏକଜୁଟ ହୋଇ ସମ୍ବଲପୁର, ଭୁବନେଶ୍ବର, କଟକ, ସୁନ୍ଦରଗଡ଼ା, ଝାରସୁଗୁଡା, ସରବାହାଲ, ବନ୍ଧବାହାଲ, ବରଗଡ଼, ବରପାଲି , ପଦମପୁର, ସୋନପୁର, ବିନକା, ବୀରମହାରାଜପୁର, କୁଚିଣ୍ଡା, ଯୁଯୁମୁରା, ବିଶାଲଖିଣ୍ଡା ଆଦି ସ୍ଥାନରେ ଏହି ଉତ୍ସବ ଧୁମଧାମରେ ପାଳନ କରିଛନ୍ତି।

Advertisment

ଗତ କିଛି ବର୍ଷ ଧରି ସମ୍ବଲପୁରରେ ଏହି ଦିନଟି ଜାକଜମକରେ ପାଳିତ ହୋଇ ଆସୁଥିଲା ବେଳେ ଚଳିତ ବର୍ଷ ଆହୁରି ଆକର୍ଷଣୀୟ ଢଙ୍ଗରେ ପାଳନ କରା ଯାଇଛି। ଗୁରୁବାର ଜେଲ ଛକରୁ କଚେରି ଛକ ପର୍ଯ୍ୟନ୍ତ ସମ୍ବଲପୁରର ଗ୍ରାଣ୍ଡ ରୋଡ୍‌ ହୋଇ ଉଠିଥିଲା ସମ୍ବଲପୁରୀମୟ। ସମସ୍ତଙ୍କ ଦେହରେ ଥିଲା ସମ୍ବଲପୁରୀ ପୋଷାକ। ଉପଭୋଗ କରୁଥିଲେ ସମ୍ବଲପୁରୀ ନାଚ, ଗୀତ। କିଣୁଥିଲେ ସମ୍ବଲପୁରୀ ଶାଢ଼ି ଓ ପୋଷାକ। ତା’ ସାଙ୍ଗକୁ ମଜା ନେଉଥିଲେ ଆରିସା, କାକରା, ସରସତିଆ, ରସ୍‌ବରା, ରାଗ୍‌ଚନା (ଘୁଗୁନି) ଭଳି ସ୍ବାଦିଷ୍ଟ ସମ୍ବଲପୁରୀ ବ୍ୟଞ୍ଜନର। ଅବସର ଥିଲା ‘ସମ୍ବଲପୁରୀ ଦିନ୍‌’ ଉତ୍ସବ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ ଅବସରରେ ପାଳିତ ହୋଇଥିଲା ଏହି ନିଆରା ଉତ୍ସବ। ଅନୁକୂଳ ପାଗରେ ସମବେତ ହୋଇଥିଲେ ହଜାର ହଜାର ପୁରୁଷ, ମହିଳା, ଶିଶୁ। ଲାଗିଥିଲା ସମ୍ବଲପୁରୀ ମେଳା। ନାଚ, ଗୀତ, ସଂଚାର, ଖାଦ୍ୟପେୟରେ ଦିନ ୨ଟାରୁ ରାତି ୯ଟା ଯାଏ ମସଗୁଲ ହୋଇ ଯାଇଥିଲେ ସମସ୍ତେ। ଏହି ଅବସରରେ ସମ୍ବଲପୁରୀ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମ୍ବଲପୁରୀ ନୃତ୍ୟ ଗୁରୁ ରଂଜିତ ନାଗଙ୍କୁ ‘ସମ୍ବଲପୁରୀ ଜାତୀୟ ସମ୍ମାନ’ ପ୍ରଦାନ କରା ଯାଇଥିଲା।

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ବିଜେଡି ନେତା ଡ. ପ୍ରମୋଦ ରଥ, ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା, ବିଜେପି ନେତା ଡା. ରାଜକୁମାର ବଡ଼ପଣ୍ଡା ଅତିଥିଭାବେ ଯୋଗ ଦେଇଥିଲେ। ରାମାଶିଷ ତ୍ରିପାଠୀଙ୍କ ରଚିତ ‘ମୋର ମାଁ ସମ୍ବଲପୁର, ମାନ୍‌ ସମ୍ବଲପୁର..’ ଗୀତର ଅଡିଓ ରେ‌କର୍ଡିଂକୁ ‌ଅତିଥିମାନେ ଲୋକାର୍ପିତ କରିଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀ ଶଂକର ଭୋଇଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।