ଗୁରୁବାରୀ କଅଁର ହତ୍ୟା ମାମଲା: ଗୟାଧରଙ୍କ ସମେତ ୩ ନାମ ଯୋଡ଼ିବାକୁ କୋର୍ଟ ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଗୁରୁବାରୀ କଅଁର ହତ୍ୟା ମାମଲା ନୂଆମୋଡ଼ ନେଇଛି। ଏହି ମାମଲାରେ ପୁଲିସ ପକ୍ଷରୁ ଦାଖଲ‌ ହୋଇଥିବା ଚାର୍ଜସିଟରେ ଭାପୁର ବ୍ଲକ୍‌ ବିଜେଡି ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନାମ ଯୋଡ଼ିବାକୁ ଅତିରିକ୍ତ ଜିଲ୍ଲା ଜଜ୍ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୨ ମସିହାରେ ସଂଘଟିତ ଏହି ଜଘନ୍ୟକାଣ୍ଡରେ ଗୟାଧର ପରିଡ଼ାଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିଥିଲା। ସ୍ବର୍ଗତ କଅଁରଙ୍କ ପୁଅ ରାଜେନ୍ଦ୍ର ଯେଉଁ ୧୦ ଜଣଙ୍କ ନାମରେ ଏଫ୍ଆଇଆର୍‌ ଦାଖଲ କରିଥିଲେ ସେଥି‌ରେ ଗୟାଧର ପରିଡ଼ାଙ୍କ ନାମ ଥିଲା। କିନ୍ତୁ ଫତେଗଡ଼ ପୁଲିସ ଗୟାଧରଙ୍କ ସମେତ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡା, ଦାଶରଥି ଦାସ ପ୍ରମୁଖଙ୍କ ନାମ ଚାର୍ଜସିଟ୍‌ରୁ କାଟି ଦେଇଥିଲା। ଏହି ହତ୍ୟା ମାମଲାରେ ଉକ୍ତ ୩ ଅଭିଯୁକ୍ତଙ୍କ ନାମ ଯୋଡ଼ିବାକୁ ନୟାଗଡ଼ ଏଡିଜେ କୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଜିତେନ୍ଦ୍ର କୁମାର ରଣସିଂହ ନାମକ ଜଣେ ବ୍ୟକ୍ତି ସିଆର୍‌ପିସି ଧାରା ୩୧୯ ଅନୁଯାୟୀ କୋର୍ଟରେ ଏନେଇ ପିଟିସନ୍‌ ଦାଖଲ କରିଥିବା ବେଳେ କୋର୍ଟ ଏହି ୩ ଅଭିଯୁକ୍ତଙ୍କ ନାମ ଉକ୍ତ ମାମଲାରେ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି। ଶ୍ରୀ ରଣସିଂହଙ୍କ ପକ୍ଷରୁ ଦିଗବାସ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତ କଅଁର ମଧ୍ୟ ଭାପୁର ପଞ୍ଚାୟତ ସମିତିର ଦୁଇ ଥର ଅଧ୍ୟକ୍ଷ ଥିଲେ। ଗୟାଧରଙ୍କ ଉପାଧ୍ୟକ୍ଷ କାର୍ଯ୍ୟକାଳ ‌ବେଳେ ଭାପୁର ବ୍ଲକ୍‌ରେ ମନରେଗାଠାରୁ ଆରମ୍ଭ କରି ନାନା ଦୁର୍ନୀତି ନେଇ ଗୁରୁବାରୀ ଅଭିଯୋଗ କରୁଥିଲେ। ଫଳରେ ତାଙ୍କୁ ଗୟାଧର ନିଜ ରାଜନୈତିକ କ୍ୟାରିୟରରେ କଣ୍ଟା ଭାବି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର