ବ୍ରହ୍ମପୁର : ଚାରି ଦିନ ତଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟଣାରେ ଆଜି ସନ୍ଧ୍ୟାରେ ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ୍ ରୋଡ଼ ବ୍ରହ୍ମାନଗରରେ ଥିବା ଗୁରୁଦେବ ନର୍ସିଂହୋମ୍କୁ ସିଲ୍ କରାଯାଇଛି। କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ୍ ଅନୁସାରେ ଏହି ନର୍ସିଂହୋମ୍ ବିଭିନ୍ନ ସର୍ତ୍ତାବଳୀ ପୂରଣ କରୁନଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ପ୍ରଶାସନର ଏକ ଟିମ୍ ନର୍ସିଂହୋମ୍ ସିଲ୍ କରିଛନ୍ତି। ଯେଉଁ ସର୍ତ୍ତ ଉପରେ ନର୍ସିଂହୋମ୍କୁ ସିଲ୍ କରାଯାଇଛି; ସେଗୁଡ଼ିକର ଆବଶ୍ୟକ କାଗଜପତ୍ର ଦାଖଲ ପରେ ଜିଲ୍ଲାପାଳ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି। ତେବେ ନର୍ସିଂହୋମ୍ରେ ବର୍ତ୍ତମାନ ୧୬ଜଣ ଗର୍ଭବତୀ ଚିକିତ୍ସାଧୀନ ଅଛନ୍ତି। ସିଟି ହସ୍ପିଟାଲର ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବେ। ୭ଦିନ ସମୟ ମଧ୍ୟରେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ନହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡିସ୍ଚାର୍ଜ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ମାର୍କଣ୍ଡେଶ୍ବରନଗର ନିବାସୀ ଐଶ୍ବର୍ଯ୍ୟା ସିଂହଦେଓ(୨୪)ଙ୍କ ଆପେଣ୍ଡିସାଇଟିସ୍ ଅପରେସନ୍ ପାଇଁ ତାଙ୍କ ସ୍ବାମୀ ଶୁଭ୍ରଜିତ ସାମନ୍ତ ବ୍ରହ୍ମାନଗରରେ ଥିବା ଗୁରୁଦେବ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ। ଗତ ୧୭ତାରିଖରେ ଐଶ୍ବର୍ଯ୍ୟାଙ୍କୁ ଆପେଣ୍ଡିସାଇଟିସ୍ ଅସ୍ତ୍ରୋପଚାର ପୂର୍ବରୁ ନିଶ୍ଚେତକ ଦିଆଯାଇଥିଲା। ତେବେ ଅପରେସନ୍ ପରେ ତାଙ୍କର ଆଉ ଚେତା ଫେରି ନ ଥିଲା ଏବଂ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଐଶ୍ବର୍ଯ୍ୟାଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ତାଙ୍କ ସ୍ବାମୀ ଲାଞ୍ଜିପଲ୍ଲୀ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍ ନମ୍ବର ୩୯/୨୦ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ ପରିବାରବର୍ଗଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଥିବାବେଳେ ପରୀକ୍ଷା ପାଇଁ ଭିସେରା ମଧ୍ୟ ସଂଗ୍ରହ କରାଯାଇଥିଲା।
ଅନ୍ୟପକ୍ଷରେ ଗତ ୧୯ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ଜଣିଆ ମିଳିତ ଟିମ୍ ନର୍ସିଂହୋମ୍ରେ ଚଢ଼ଉ କରିଥିଲା। ଗତକାଲି ଉପଜିଲ୍ଲାପାଳ ପ୍ରାୟ ୨ଶହ ପୃଷ୍ଠାର ଚୂଡ଼ାନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ।