କେନ୍ଦୁଝର: ରାଜ୍ୟ ବିଜେପିର ଆଦିବାସୀ ଚେହେରା ଭାବେ ପରିଚିତ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ଆଜି ବିଜେପି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣ‌ା କରିଛି। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା ପରେ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ତାଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି। ଝୁମ୍ପୁରା ସରସ୍ବତୀ ଶିଶୁମନ୍ଦିରର ଆଚାର୍ଯ୍ୟରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଅନେକ ଉତ୍‌ଥାନ ପତନ ଦେଇ ଗତି କରିଥିଲା। ୧୯୭୨ ଜାନୁଆରି ୬ ତାରିଖରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇକଳା ଗ୍ରାମର ଗୁଣରାମ ମାଝୀ ଓ ମା’ ବେଲେ ମାଝୀଙ୍କ କୋଳମଣ୍ଡନ କରିଥିଲେ ମୋହନ। ଝୁମ୍ପୁରା ହାଇସ୍କୁଲରୁ ୧୯୮୭ରେ ମାଟ୍ରିକ ପାସ୍‌ କରିବା ପରେ ଆନନ୍ଦପୁର ମହାବିଦ୍ୟାଳୟରୁ କଳାରେ ଯୁକ୍ତ୨ ଏବଂ ଚମ୍ପୁଆର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ କଳାରେ ସ୍ନାତକ ପାସ୍‌ କରିଥିଲେ। ଏହାପରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଝୁମ୍ପୁରା ସରସ୍ବତୀ ଶିଶୁମନ୍ଦିରର ଗୁରୁଜୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

Advertisment

ଏହାପରେ ସେ ଶିକ୍ଷକତା ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ରାଇକଳା ପଞ୍ଚାୟତର ସରପଞ୍ଚ ହୋଇଥିଲେ। ପରେ କେନ୍ଦୁଝର ଆସନରୁ ୪ଥର ନିର୍ବାଚିତ ହୋଇଛନ୍ତି। ୨୦୦୦ ମସିହାରେ ବିଜେପି- ବିଜେଡି ମେଣ୍ଟ ବେଳେ ପ୍ରଥମ ସୁଯୋଗରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ପୁଣି ୨୦୦୪ରେ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଥିଲେ। ତାଙ୍କ କାର୍ଯ୍ୟଦକ୍ଷତାକୁ ଦଳ ପରଖି ଉପମୁଖ୍ୟ ସଚେତକ ପରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଥିଲା। ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଲଗାତାର ପରାଜିତ ହୋଇଥିଲେ। ଏହାସତ୍ତ୍ବେ ସେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ସହ ସବୁବେଳେ ରହିଥିଲେ। ୨୦୧୯ରେ କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟିରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ କେନ୍ଦୁଝର ଆସନରୁ ମୋହନ ମାଝୀ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ବାଜିମାତ୍‌ କରିଥିଲେ। ଏହାପରେ ସେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟକରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଥିଲେ।

ସେହିପରି ବିଧାନସଭା ପବ୍ଲିକ୍‌ ଆକାଉଣ୍ଟସ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଚଳିତ ନିର୍ବାଚନରେ ସେ ୧୧ ହଜାର ୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ବଜୟୀ ହୋଇଥିଲେ। ବିଜେପି ସରକାରରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ, ଦଳୀୟ ନେତୃତ୍ବ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିବା ପରେ କେନ୍ଦୁଝରବାସୀ ଖୁସି ମନାଇଛନ୍ତି।