ପୁରୀ : ସେବାୟତଙ୍କ ପାଇଁ ଗୁରୁକୁଳ ପ୍ରତିଷ୍ଠା ହେବ। ସେମାନଙ୍କ ପିଲା ସେଠାରେ ପାଠ ପଢ଼ିବେ। ଏ କଥା କେବଳ ପ୍ରସ୍ତାବ ମଧ୍ୟରେ ରହିଛି। ୨୦୧୪ରୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ନେଇ ପ୍ରସ୍ତାବ ଆସିଥିଲେ ବି ଏହାର ଅଗ୍ରଗତି ଘଟୁନାହିଁ। ଅନ୍ୟ ପକ୍ଷରେ ପାଞ୍ଚ ବର୍ଷ ଭିତରେ ମନ୍ଦିର ପ୍ରଶାସନ କେତେ କ’ଣ ନିର୍ମାଣ କରି ସାରିଲାଣି। ଭକ୍ତ ନିବାସ ନିର୍ମାଣ ସରି ଏହା ବ୍ୟବହାର ହେଲାଣି। ମାତ୍ର ସେବାୟତ ଗୁରୁକୁଳ ପ୍ରତିଷ୍ଠା ଦିଗରେ ପ୍ରଶାସନ ଆନ୍ତରିକତା ଦେଖାଉନଥିବା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ହେଲା, ସେବାୟତ କଲ୍ୟାଣ କଥା ପଡ଼ିଲେ ପ୍ରଶାସନ ପଛଘୁଞ୍ଚା ଦେଉଛି। ସେବାୟତ ଗୁରୁକୁଳ ପ୍ରତିଷ୍ଠା ପାଇଁ ସୁପ୍ରିମକୋର୍ଟ ଏବେ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଠିରେ ଥିବା ୬ କୋଟି ଟଙ୍କାରେ ଗୁରୁକୁଳ ପ୍ରତିଷ୍ଠା କରିବାକୁ କହିଛନ୍ତି। ୨୦୧୪ରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରାମର୍ଶକ୍ରମେ ସେବାୟତ ଗୁରୁକୁଳ ପ୍ରତିଷ୍ଠାର ପରିକଳ୍ପନା କରାଯାଇଥିଲା। ପରିଚାଳନା କମିଟିରେ ଏହାର ଅନୁମୋଦନ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ବଜେଟରେ ୧୦ କୋଟି ଟଙ୍କା ମଂଜୁର ମଧ୍ୟ ହୋଇଥିଲା।
ଯୋଜନା ମୁତାବକ, ଏହି ସ୍କୁଲରେ ସେବାୟତ ପିଲା ପାଠ ପଢ଼ିବେ। ସିବିଏସ୍ଇ ସହବନ୍ଧିତ ହୋଇ ସେହି ଢାଞ୍ଚାରେ ସ୍କୁଲ ଚାଲିବ। ଏହି ସ୍କୁଲର ସ୍ବତନ୍ତ୍ରତା ରହିବ। ଏଠାରେ ସାଧାରଣ ପାଠ୍ୟକ୍ରମ ସହିତ ଶ୍ରୀମନ୍ଦିର ପୂଜା, ରୀତିନୀତି, ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ସଂପର୍କରେ ଶିକ୍ଷା ଦିଆଯିବ। ମହାପ୍ରଭୁଙ୍କ ପୂଜା ପାଉଥିବା ମନ୍ତ୍ର ମଧ୍ୟ ପିଲାଙ୍କୁ ଏହି ସ୍କୁଲରେ ଶିକ୍ଷାଦାନ ଦିଆଯିବ। ସେବାୟତ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି ରଖାଯିବ। ଫଳରେ ମହାପ୍ରଭୁଙ୍କ ସେବା ପୂଜାରେ ଆଉ ସଙ୍କଟ ଉପୁଜିବ ନାହିଁ। ସେବାୟତ ପିଲାମାନଙ୍କୁ ପାଇଁ ସ୍ବତନ୍ତ୍ର ଛାତ୍ରବୃତ୍ତି ପ୍ରଦାନ କରାଯିବ। ତେବେ ଏହା ଏବେ କେବଳ ପ୍ରସ୍ତାବ ହୋଇ ରହିଯାଇଛି।
ପ୍ରସ୍ତାବିତ ଗୁରୁକୁଳ ପାଇଁ ପୂର୍ବରୁ ଯେଉଁ ସ୍ଥାନ ଚିହ୍ନଟ ହୋଇଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ସମଙ୍ଗ ମୌଜାରେ ୫ ଏକର ଜମିରେ ସେବାୟତ ଗୁରୁକୁଳ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲା। ଗୁରୁକୁଳ ନିର୍ମାଣ ପାଇଁ ସେଠାରେ ପାଚେରୀ ମଧ୍ୟ ଉଠିଥିଲା। ତେବେ ସ୍ଥାନାଭାବ କାରଣରୁ ଏବେ ଏହା ମାଟିତୋଟା ଅଞ୍ଚଳରେ ପ୍ରାୟ ୧୨ ଏକର ପରିମିତ ଜମି ଉପରେ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଛି। ମାତ୍ର ଏଠାରେ କୌଣସି ଅଗ୍ରଗତି ଘଟିନାହିଁ। ମହାପ୍ରଭୁଙ୍କ ସେବା ପରମ୍ପରା ଅନନ୍ୟ। ଏହାର ସ୍ବତନ୍ତ୍ରତା ମଧ୍ୟ ରହିଛି। ଧୀରେ ଧୀରେ ବରିଷ୍ଠ ସେବାୟତଙ୍କ ବୟସ ବଢୁଥିବା କାରଣରୁ ମହାପ୍ରଭୁଙ୍କ ସେବା ଅପହଞ୍ଚ ହୋଇଯାଉଛି। ଆଧୁନିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଭିନ୍ନ ବୃତ୍ତି ଆପଣେଇ ନେଉଥିବା କାରଣରୁ ମହାପ୍ରଭୁଙ୍କ ସେବା ପୂଜାରେ ସଙ୍କଟ ଉପୁଜିଛି। ନୂତନ ପିଢ଼ି ସେଥିପ୍ରତି ଆଗ୍ରହ ଦେଖାଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଗଜପତି ମହାରାଜା ଦିବ୍ୟସିଂହ ଦେବ ସେବାୟତ ଗୁରୁକୁଳର ପରିକଳ୍ପନା କରିଥିଲେ।