ଭୁବନେଶ୍ୱର: ଓଡ଼ିଆ କବିତାରେ ଆଧୁନିକତାର ଧାରା ପ୍ରବର୍ତ୍ତକ ହେଉଛନ୍ତି ପ୍ରସିଦ୍ଧ କବି ଗୁରୁପ୍ରସାଦ ମହାନ୍ତି। ସମକାଳୀନ କବିତାକୁ ସମକାଳର ଭାଷାରେ ପ୍ରକାଶ କରୁଥିବା କବି ହେଉଛନ୍ତି ପ୍ରାଚ୍ୟ-ପାଶ୍ଚାତ୍ୟର ସେତୁସ୍ଥାପକ। ତାଙ୍କର ପ୍ରତିଟି କବିତା ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ଜ୍ୟୋତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରରେ ଏହା ପ୍ରକାଶ କରିଛନ୍ତି ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରର ଅତିଥି ଓ ଆଲୋଚକ ବୃନ୍ଦ।
ସାହିତ୍ୟ ଅକାଦେମିର ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର
ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଦ୍ୱିଦିବସୀୟ ଆଲୋଚନାଚକ୍ରକୁ ବିଖ୍ୟାତ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡା ଉଦ୍ଘାଟନ କରି ଗୁରୁପ୍ରସାଦଙ୍କୁ ଓଡ଼ିଆ କବିତାରେ ନବ୍ୟ-ଆଧୁନିକତାର ପ୍ରବର୍ତ୍ତକ ବୋଲି କହିଥିଲେ। ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇ ଭାରତୀୟ କବିତାର ବୈଶିଷ୍ଟ୍ୟ ଏବଂ ଗୁରୁପ୍ରସାଦଙ୍କ କାବ୍ୟିକ ସ୍ୱାତନ୍ତ୍ର୍ୟ ସମ୍ପର୍କରେ କହିଥିଲେ। ଉଦ୍ଘାଟନୀ ଅଧିବେଶନରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ସଭାପତିତ୍ୱ କରି ଗୁରୁପ୍ରସାଦ ହେଉଛନ୍ତି ସମ୍ମୋହନର କବି, ଉଚ୍ଚାଟନର କବି, ମଧୁର ଯନ୍ତ୍ରଣାର କବି ବୋଲି କହିଥିଲେ। ତାଙ୍କର ଶବ୍ଦ ପ୍ରୟୋଗ ଏତେ ଅଣପାରମ୍ପରିକ ଓ ଆକସ୍ମିକ ଯେ ପାଠକ ତତ୍କ୍ଷଣାତ ମୋହାଚ୍ଛନ୍ନ ହୋଇଯାଏ ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ବିଶିଷ୍ଟ କବି ତଥା ସମାଲୋଚକ ଭଗବାନ ଜୟସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁପ୍ରସାଦ ମହାନ୍ତିଙ୍କ ‘କାଳପୁରୁଷ’ ଏବଂ ଟି.ଏସ. ଇଲିଅଟ୍ଙ୍କ ‘ଦି ୱେଷ୍ଟ ଲ୍ୟାଣ୍ଡ’ କବିତାର ତୁଳନାତ୍ମକ ବ୍ୟାଖ୍ୟା କରିବା ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଗୁରୁପ୍ରସାଦଙ୍କ କନ୍ୟା ଡାକ୍ତର ପ୍ରିୟଦର୍ଶିନୀ ମହାନ୍ତି ଆବେଗପୂର୍ଣ୍ଣ ଭାବରେ ଗୁରୁପ୍ରସାଦଙ୍କ ସ୍ମୃତିଚାରଣ କରିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ଧନ୍ୟବାଦ ଦେଇଥିବା ବେଳେ ସଭା ସଂଯୋଜନା କରିଥିଲେ ଅକାଦେମିର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ।
ପ୍ରଥମ ଅଧିବେଶନରେ ଅକାଦେମିର ସାଧାରଣ ପରିଷଦର ସଦସ୍ୟ ତଥା ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ ସଭାପତିତ୍ୱ କରିଥିଲେ। ‘ଗୁରୁ୍ ପ୍ରସାଦଙ୍କ କବିତାରେ ଭାବ ଓ ଶୈଳୀ’ ଶୀର୍ଷକରେ କବି ଭାଗୀରଥି ମିଶ୍ର ପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ପ୍ରଫେସର ଚିତ୍ତରଂଜନ ମିଶ୍ରଙ୍କ ପ୍ରବନ୍ଧର ବିଷୟ ଥିଲା ‘ଗୁରୁପ୍ରସାଦଙ୍କ କବିତାରେ ପ୍ରକୃତି ଓ ନାନ୍ଦନିକତା’। ସଂଘମିତ୍ରା ଭଞ୍ଜ ‘ଅସ୍ତିତ୍ୱବାଦୀ ଦର୍ଶନ ଓ ଗୁରୁପ୍ରସାଦ ମହାନ୍ତି’ ଶୀର୍ଷକରେ ପ୍ରବନ୍ଧ ପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ। ଗୁରୁପ୍ରସାଦଙ୍କ କବିତାର ତାତ୍ତ୍ୱିକ ଆଲୋଚନା କରିଥିଲେ ଦିଲୀପ କୁମାର ସ୍ୱାଇଁ, ରମେଶଚନ୍ଦ୍ର ମଲ୍ଲିକ ଏବଂ ସନ୍ତୋଷ କୁମାର ନାୟକ।