ମାଲକାନଗିରି: ବହୁ ପ୍ରତିକ୍ଷୀତ ସେତୁ ଗୁରୁପ୍ରିୟାକୁ ପୁରିଲା ୬ ବର୍ଷ। ୨୦୧୮ ମସିହାରେ ଜୁଲାଇ ୨୬ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟାର ଶୁଭ ଉଦଘାଟନ କରିବା ସହ ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଂଚଳ ରୂପେ ଘୋଷଣା କରି ୧୦୦ କୋଟି ଟଂକାର ଏକ ପ୍ରାରମ୍ଭକ ପ୍ୟାକେଜ ଘୋଷଣା କରିଥିଲେ। ସାତ ଦଶନ୍ଧି ଧରି ପରାଧୀନ ଜୀବନ ଯାପନ କରୁଥିବା ବିଛିନ୍ନାଞ୍ଚଳବାସୀ ଗୁରୁପ୍ରିୟା ସେତୁ ପାଇଁ ପୂନର୍ବାର ସ୍ବାଧୀନ ପାଇଥିଲେ କହିବା ଅତ୍ୟୁକ୍ତି ହେବ ନାହିଁ। ଗୁରୁପ୍ରିୟା ସ୍ବାଭିମାନ ଅଂଚଳ ପାଇଁ ବିକାଶର ବାଟ ଫିଟାଇ ଦେଇଥିଲା। ବିକାଶଏବେ ଅଧା ରାସ୍ତାରେ, ଆହୁରି ଅନେକ ପଥ ବାକି ରହିଛି। ଏଥିସହ ଏହି ସେତୁ ନକ୍ସଲଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛି।
Advertisment
ଗତ ୬ ବର୍ଷ ତଳେ ବିଛିନ୍ନାଞ୍ଛଳର ୧୫୧ଟି ଗ୍ରାମର ଲୋକେ ଦୀର୍ଘ ଦିନ ଧରି ଦେଖିଥିବା ସ୍ବପ୍ନ ସାକାର ହୋଇଥିଲା। ପିଲାଟି ଦିନରୁ ଯେଉଁ ବୃଦ୍ଧମାନେ ସେତୁ ହେବ ନେଇ ସ୍ବପ୍ନ ଦେଖି ଆସୁଥିଲେ ତାହା ତାଂକ ଜୀବନରେ ପୂରଣ ହେଉଥିବାରୁ ବିଶ୍ବାସ କରିପାରୁନଥିଲେ। ୧୯୮୨ ମସିହାରେ ପ୍ରଥମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ କରିଥିଲେ। ସେତେବେଳେ ଏକ ଝୁଲାପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା, ଯାହାର ଖର୍ଚ୍ଚ ମାତ୍ର ୮ କୋଟି ଟଂକା ଥିଲା। ଏହି ସେତୁ ହେବାରେ ବିଫଳ ହେବା ପରେ ବହୁ ଥର ଟେଣ୍ଡର ଆହ୍ବାନ କରାଗଲା। କିନ୍ତୁ କେହି ମଧ୍ୟ ଏଠାକୁ ସେତୁ ନିର୍ମାଣ କରିବା ପାଇଁ ଆସିନଥିଲେ।
ଗତ ୨୦୦୫ ମସିହାରେ ଗାମୋନ ଇଣ୍ଡିଆ ନାମକ କନଷ୍ଟ୍ରକ୍ସନ କମ୍ପାନି ୪୫ କୋଟି ଟଂକାରେ ଏହି ସେତୁ ନିର୍ମାଣ କରିବ ବୋଲି ଆସିଲା। କିନ୍ତୁ ସେତେବେଳେ ଏଠାରେ ନକ୍ସଲଙ୍କର ଦବଦବା ଥିଲା। ନକ୍ସଲ ବାଲିମେଳା ଜଣଭଣ୍ଡାର ଉପରେ ସେତୁ ନିର୍ମାଣ କରିବାକୁ ଦେଇନଥିଲେ। କମ୍ପାନି ବାଧ୍ୟ ହୋଇ ପଛକୁ ଫେରିଲା। କୋଟି କୋଟି ଟଂକା କ୍ଷତି ହେଲା। ତେବେ ୧୧ ଥର ଟେଣ୍ଡର ଆହ୍ବାନ ପରେ ମଧ୍ୟ କେହି ଏହି ସେତୁକୁ ନିର୍ମାଣ ପାଇଁ ଆଗଭର ନହେବାରୁ ଏଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ସରକାର ଚିନ୍ତା କଲେ। ଜାନବାଇର ଦୁଇ କୂଳରେ ଦୁଇଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲା।ଏହା ପରେ କୋଲକାତାର ରୋୟାଲ ଇନଫ୍ରା କମ୍ପାନି ୧୭୨ କୋଟି ଟଂକାରେ ଏହି ସେତୁକୁ ନିର୍ମାଣ ପାଇଁ ଆଗେଇ ଆସିଥିଲା।ଗୁରୁପ୍ରିୟା ସେତୁ ନିର୍ମାଣକୁ ଚାରି ବର୍ଷ ଲାଗିଥିଲା।
publive-image
୯୧୦ ମିଟର ସେତୁ ନିର୍ମାଣ ପରେ ଏବେ ଏହି ସେତୁକୁ ଦେଖିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ରାଜ୍ୟର ଲୋକଙ୍କ ସୁଅ ଛୁଟୁଛି। ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେବା ପାଇଁ ଦିନରାତି ଏଠାରେ ବିଏସଏଫ ଯବାନ ପଇଁତରା ମାରୁଛନ୍ତି। ଗୁରୁପ୍ରିୟା ସେତୁ ହେବା ପରେ ଯନ୍ତ୍ରୀ, ଅଣ୍ଡ୍ରାପାଲୀ, ଧୂଳିପୁଟ, ପଣସପୁଟ, ପେପରମେଟଲା, ଯଡାମ୍ବ ପର୍ଯ୍ୟନ୍ତ ରାସ୍ତା ହେବା ସହ ତିନୋଟି ପୁଲିସ କ୍ୟାମ୍ପ ଏବଂ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଲୋକଙ୍କ ପାଇଁ ନେଟୱର୍କର ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ପରିବାରକୁ ତତ୍କାଳୀନ ସରକାର ମାଗଣାରେ ମୋବାଇଲ ଯୋଗାଇ ଦେଇଥିଲେ। ସମସ୍ତଙ୍କୁ ଯେପରି କର୍ମନିଯୁକ୍ତି ଯୋଗାଇ ହେବ ସେନେଇ ଯୋଜନା ପ୍ରସ୍ତୁତ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ଉପରେ ବିଶେଷ ଗୁରୁତ୍ବ ଦିଆଗଲା। ବିକାଶ ଏବେ ଅଧା ବାଟରେ ପହଞ୍ଚିଛି। ରାସ୍ତା ନଥିବା ବେଳେ ଲୋକେ ଘୋଡା ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଜର ଦୈନନ୍ଦିନ ସାମଗ୍ରୀ ସହ ରାସନ ସାମଗ୍ରୀ ନେବାଆଣିବା କରୁଥିଲେ। ପାନୀୟ ଜଳ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଏବେ ବି ଅପହଞ୍ଚ ହୋଇ ରହିଛି। କିନ୍ତୁ ଗୁରୁପ୍ରିୟା ଯୋଗୁଁ ନକ୍ସଲ ଏଠାରୁ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ।ଗୁରୁପ୍ରିୟା ଯୋଗୁଁ ଚଳିତ ବର୍ଷ ସାଧାରଣ ନିର୍ବାଚନ ସୁରୁଖୁରୁରେ ହୋଇଥିଲା। ନକ୍ସଲଙ୍କର କୌଣସି ଧମକ ଦେଖିବାକୁ ମିଳିନଥିଲା। ଲୋକେ ସ୍ବାଧୀନତାର ସାତ ଦଶନ୍ଧି ପରେ ନିଜ ଅଂଚଳରେ ଭୋଟ ଦେଇଥିଲେ।