ଗୁରୁପ୍ରିୟା ସେତୁକୁ ୨ ବର୍ଷ ପୂରିଲା : ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ପକ୍କା ରାସ୍ତା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ବିକାଶ ସହ ସ୍ବାଭିମାନ ଅଞ୍ଚଳକୁ ଯୋଡ଼ିଛି। ଠିକ୍ ଦୁଇ ବର୍ଷ ତଳେ ୨୦୧୮ ଜୁଲାଇ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଏହି ସେତୁ ଉଦ୍‌ଘାଟନ କରିଥିଲେ। ସେହିଦିନ ହିଁ ବିଚ୍ଛିନ୍ନାଞ୍ଚଳ ପାଲଟିଥିଲା ସ୍ବାଭିମାନ ଅଞ୍ଚଳ। ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦କୋଟି ଟଙ୍କାର ପ୍ୟାକେଜ୍‌ ମଧ୍ୟ ଘୋଷଣା ହୋଇଥିଲା। ଆଉ ଏହାପରେ ବଦଳି ଯାଇଛି ସ୍ବାଭିମାନ ଅଞ୍ଚଳର ଚିତ୍ର। ବିକାଶର ଗତି ଦ୍ରୁତ ହୋଇଛି, ଅନେକ ଅପହଞ୍ଚ ଅଞ୍ଚଳ ବିକାଶ ଅଭିମୁଖେ ଚାଲିବା ଆରମ୍ଭ କରିଛି। କିନ୍ତୁ ସଂପୂର୍ଣ୍ଣ ବିକାଶ ହୋଇପାରି ନାହିଁ, ସମୟ ଆହୁରି ଲାଗିବ।

ଯଦି ବିକାଶର ତାଲିକା କରିବା ତେବେ ସର୍ବାଗ୍ରେ ରହିବ ନକ୍ସଲଙ୍କ ପ୍ରାଦୁର୍ଭାବ କମିବା। ସ୍ବାଭିମାନ ଅଞ୍ଚଳରେ ତିନିଟି ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ସହ ଗୋଟିଏ ମଡେଲ ଥାନା କାର୍ଯ୍ୟକାରୀ ହୋଇଛି। ପ୍ରଥମଥର ପାଇଁ ଚଳିତ ବର୍ଷ ତ୍ରିରଙ୍ଗା ପତାକା ଉଡ଼ିଥିଲା। ଲାଲ୍‌ ବାହିନୀର ସାମାନ୍ୟ ଅକ୍ତିଆର ରହିଥିଲେ ସୁଦ୍ଧା ଖୁବଶୀଘ୍ର ପୁଲିସ ନିଜ କବ୍‌ଜାକୁ ନେବ ବୋଲି ଏସ୍‌ପି କହିଛନ୍ତି। ସେହିପରି ୨୦୨୩ ମସିହା ସୁଦ୍ଧା ସ୍ବାଭିମାନ ଅଞ୍ଚଳର ମାନଚିତ୍ର ବଦଳିବା ସହ ସମସ୍ତ ଅଞ୍ଚଳକୁ ବିକାଶ ପହଞ୍ଚି ସାରିଥିବ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଵାଲ କହିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସ୍ବାଭିମାନ ଅଞ୍ଚଳରେ ପକ୍କା ରାସ୍ତା ହୋଇପାରିଛି। ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ସଦର ମହକୁମାରୁ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଲୋକଙ୍କୁ ସ୍ବାବଲମ୍ବୀ ତଥା ଜୀବିକା ଯୋଗାଇ ଦେବାକୁ ବି ପଦକ୍ଷେପ ନିଆଯାଇଛି। ଜଳଭଣ୍ଡାରରେ କୋଟିଏ ପ୍ରାୟ ମାଛ ଯାଆଁଳ ଛଡ଼ାଯାଇଛି। ସ୍ବାଭିମାନ ଅଞ୍ଚଳକୁ ବସ୍ ସେବା ମଧ୍ୟ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ଦୁର୍ଗମ ଯୋଡ଼ାମ୍ବ ଏବଂ ଜାନବାଇ ଡାକ୍ତରଖାନ‌ାରେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବତନ୍ତ୍ର ଆମ୍ବୁଲାନସ ଏବଂ ବୋଟ୍ ଆମ୍ବୁଲାନ୍ସ ମଧ୍ୟ ପ୍ରଦାନ କରାଯାଇଛି।

ପୂର୍ବରୁ ବିଚ୍ଛିନ୍ନାଞ୍ଚଳକୁ କେବଳ ଜଳପଥରେ ହିଁ ଯାତ୍ରା ସମ୍ଭବ ହେଉଥିଲା। ଗୁରୁପ୍ରିୟା ସେତୁ ସଡ଼କ ପଥରେ ବାଟ ଫିଟାଇଥିବା ବେଳେ ନିର୍ମାଣ ଚାଲିଛି ନୂଆ ନୂଆ ସୁଉଚ୍ଚ କୋଠା। ଶିକ୍ଷାର ସୁବିଧା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଅନେକ ପରିବର୍ତ୍ତନ ଆସିଥିବା ଜିଲ୍ଲାପାଳ କହିଛନ୍ତି। ସମସ୍ତ ଗ୍ରାମକୁ ଯେପରି ବିଦ୍ୟୁତ ପହଞ୍ଚିବ ସେନେଇ ଯୋଜନା ସରିଛି। ଦାଦନ ରୋକିବାକୁ ମନରେଗାକୁ ତ୍ବରାନ୍ବିତ କରାଯାଇଛି। ପାନୀୟ ଜଳ ପାଇଁ ମଧ୍ୟ ମେଗା ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ନଳକୂପ ଖୋଳା ଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ବଡ଼କଥା ହେଲା ନକ୍ସଲଙ୍କ ଦ୍ବାରା ବିସ୍ଥାପିତ ହୋଇଥିବା ଲୋକେ ଏବେ ପୁଣି ନିଜ ଗାଁକୁ ଫେରିବାରେ ଲାଗିଛନ୍ତି। ଯେଉଁ ଭଳି ଭାବେ ବିକାଶର ଧାରା ଆଗକୁ ବଢ଼ୁଛି ୨୦୨୩ ସୁଦ୍ଧା ସ୍ବାଭିମାନ ଅଞ୍ଚଳର ବିକାଶ ସଂପୂର୍ଣ୍ଣ ହୋଇଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର