ଗୁରୁପ୍ରିୟା ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଲା

ପଦକ୍ଷେପ ନେବାକୁ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖିଲେ ଏଡିଜି (ଅପରେସନ)

ଭୁବନେଶ୍ବର : ମାଲକାନଗିରି ଜିଲ୍ଲାରେ ନିର୍ମିତ ଗୁରୁପ୍ରିୟା ସେତୁ ଏକ ସାଧାରଣ ସେତୁ ନୁହେଁ। ପ୍ରାୟ ୫୦ ବର୍ଷ ଧରି ଜଳଘେରରେ ବନ୍ଦୀ ରହିଥିବା ୧୫୧ଟି ଗ୍ରାମବାସୀଙ୍କୁ ମୁଖ୍ୟସ୍ରୋତ ସହିତ ଏହି ସେତୁ ଯୋଡ଼ିଛି। ତେବେ ଏହା ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ସେତୁକୁ କଡ଼ା ନିରାପତ୍ତା ଘେରରେ ରଖାଯାଇଛି। ତଥାପି ଏହା ପ୍ରତି ବିପଦ ଲାଗି ରହିଛି। ଏହାକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଅପରେସନ) ପୂର୍ତ ବିଭାଗ ସଚିବଙ୍କୁ ଅନୁରୋଧ କରିଛନ୍ତି।

ଏ ନେଇ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଅପରେସନ) ଆର.ସି.କୋଚେ ପୂର୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଚିଠି ଲେଖି ଗୁରୁପ୍ରିୟା ସେତୁର ସୁରକ୍ଷା ବ୍ୟବସ୍ଥା କିପରି ବିପନ୍ନ ହୋଇଛି, ସେ କଥା ଅବଗତ କରିଛନ୍ତି। ସେ କହିଛନ୍ତି, ଏହି ସେତୁର ନିରାପତ୍ତା ଦାୟିତ୍ବ ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ୍‌) ଉପରେ ନ୍ୟସ୍ତ। ତଦନୁଯାୟୀ ବିଏସ୍‌ଏଫ୍‌ ଦିବା‌ରାତି ସେତୁର ସୁରକ୍ଷା କରୁଛନ୍ତି। କାରଣ ଏହି ସେତୁ ନିର୍ମାଣକୁ ମାଓବାଦୀ ବିରୋଧ କରୁଥିବାରୁ ଏହାର ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ତେବେ ସୁରକ୍ଷା ନେଇ ରହିଥିବା ବିଭିନ୍ନ ସୁରକ୍ଷା ସମସ୍ୟା ସଂପର୍କରେ ଶ୍ରୀ କୋଚେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଗୁରୁପ୍ରିୟା ସେତୁରେ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ସେଥିମଧ୍ୟରୁ ୨ଟି ଅଚଳ। ସେତୁ ଉପରେ ୬୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲେ ବି ସେଥିମଧ୍ୟରୁ ୨୦ଟି ତ୍ରୁଟିପୂର୍ଣ୍ଣ ବା କାର୍ଯ୍ୟକ୍ଷମ ନୁହେଁ। ଷ୍ଟ୍ରିଟ୍‌ ଲାଇଟ୍‌କୁ କେବଳ ବିଦ୍ୟୁତ୍‌ ଶକ୍ତି ମାଧ୍ୟମରେ ସଂଯୋଗ କରାଯାଇଛି। କିନ୍ତୁ ବିକଳ୍ପ ଅର୍ଥାତ୍‌ ଜେନେରେଟର ବ୍ୟବସ୍ଥା ନାହିଁ। ସେତୁର ସୁରକ୍ଷା ନିମନ୍ତେ ବିଏସ୍‌ଏଫ୍‌ କ୍ୟାମ୍ପରେ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ କରାଯାଇ ନାହିଁ। ସେତୁର ସୁରକ୍ଷା ପାଇଁ ଉପରୋକ୍ତ ପଦକ୍ଷେପ ନେବା ଜରୁରୀ। ଏଣୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ପୂର୍ତ ବିଭାଗ ସଚିବଙ୍କୁ ଅନୁରୋଧ କରିଛନ୍ତିି ଶ୍ରୀ କୋଚେ।

ସୂଚନାଯୋଗ୍ୟ ଗତ ଜୁଲାଇ ମାସ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୭ କୋଟି ବ୍ୟୟରେ ନିର୍ମିତ ୯୧୦ ମିଟର ଦୈଘ୍ୟର ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଥିଲେ। ଫଳରେ ମାଛକୁଣ୍ଡ ଓ ବାଲିମେଳା ପ୍ରକଳ୍ପ ଯୋଗୁଁ ମୁଖ୍ୟସ୍ରୋତଠାରୁ ବିଚ୍ଛିନ୍ନ ହୋଇପଡ଼ିଥିବା ପ୍ରାୟ ୩୦ ହଜାର ଗ୍ରାମବାସୀଙ୍କ ପାଇଁ ସଡ଼କ ସଂଯୋଗ ବ୍ୟବସ୍ଥା ହୋଇପାରିଛି।

ସମ୍ବନ୍ଧିତ ଖବର