ଗୋବର୍ଦ୍ଧନ ପୀଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ: ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଗଜପତି

ଜୁଲାଇ ୨୭ରୁ ଜଗତଗୁରୁଙ୍କ ଚାତୁର୍ମାସ୍ୟା ବ୍ରତ

ପୁରୀ : ଶନିବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଜଗତଗୁରୁଙ୍କ ଚରଣରେ ପ୍ରଣାମ ଜଣାଇବା ସହ ନାନାଦି ଫଳ ଭେଟି ଦେଇଛନ୍ତି। ଶ୍ରୀମନ୍ଦିର, ରଥଯାତ୍ରା ପ୍ରସଙ୍ଗରେ ବି ଗଜପତି ମହାରାଜ ଜଗତଗୁରୁଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟ ପଟେ ଆଜି ପୂର୍ବାହ୍ଣରେ ପୁରୀ ଗୋବର୍ଦ୍ଧନ ମଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି।

ସକାଳ ୮ଟାରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ସଚିବ ସ୍ବାମୀ ନିର୍ବିକଳ୍ପାନନ୍ଦ ସରସ୍ବତୀ ଅର୍ଦ୍ଧନାରୀଶ୍ୱର ଭଗବାନଙ୍କ ଅଭିଷେକ ସଂପନ୍ନ କରିଥିଲେ। ପରେ ନାରାୟଣଙ୍କ ପାଦୁକା ପୂଜନ ଓ ପାରମ୍ପରିକ ଗୁରୁପୂଜନ ପୀଠ ପୁରୋହିତ ବିଶ୍ବମ୍ବର ଦାସ, ଆଦିତ୍ୟ ମିଶ୍ର, ଗୋବିନ୍ଦ ମିଶ୍ର, ଭଗବାନ ମହାପାତ୍ର, ଦିବାକର ମହାପାତ୍ରଙ୍କ ଦ୍ବାରା ସଂପନ୍ନ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ପୀଠର ଅନ୍ତେବାସୀ, ଭକ୍ତବୃନ୍ଦ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହ ପାଦୁକା ପୂଜାର୍ଚ୍ଚନା କରିଥିଲେ। ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବରେ ପ୍ରତି ବର୍ଷ ଦେଶବିଦେଶରୁ ପ୍ରାୟ ୫ ହଜାର ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଭକ୍ତମାନେ ମହୋତ୍ସବକୁ ଆସିବାରୁ ବଞ୍ଚିତ ହୋଇଛନ୍ତି। ନିରାଡ଼ମ୍ବର ପରିବେଶରେ ମଠ ଅନ୍ତେବାସୀ ଓ ବୈଦିକ କର୍ମକାଣ୍ଡୀଙ୍କ ଦ୍ବାରା ମହୋତ୍ସବ ପାଳନ କରାଯାଇଛି।

ଏହି ଅବସରରେ କିଛି ଭକ୍ତଙ୍କୁ ଶଙ୍କରାଚାର୍ଯ୍ୟ ଦୀକ୍ଷା ପ୍ରଦାନ କରିଥିଲେ। ଅପରାହ୍ଣରେ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ହିନ୍ଦୁରାଷ୍ଟ୍ର ସଂଘ, ସନାତନ ସନ୍ଥ ସମିତି, ରାମ ରାଜ୍ୟ ପରିଷଦର କର୍ମକର୍ତ୍ତାଙ୍କୁ ଗୁରୁଜୀ ଆଶୀର୍ବଚନ ପ୍ରଦାନ କରିଥିଲେ। ସେପଟେ ଆଷାଢ଼ କୁଷ୍ଣ ତୃତୀୟାଠାରୁ ଭାଦ୍ରବ ଶୁକ୍କ ପୂର୍ଣ୍ଣିମା ପର୍ଯ୍ୟନ୍ତ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଚାତୁର୍ମାସ୍ୟା ବ୍ରତ ପାଳନ କରିବେ। ଜୁଲାଇ ୨୭ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଏହି ବ୍ରତ ପାଳନ ଅବସରରେ ଦଣ୍ଡୀସ୍ବାମୀ ସନ୍ନ୍ୟାସୀ, ବ୍ରହ୍ମଚାରୀ, ବିଦ୍ୟାମାନଙ୍କୁ ଜଗତଗୁରୁ ଭଗବାନଙ୍କ ସାଙ୍ଖ୍ୟ, ଉପନିଷଦ୍‌, ଭାଗବତ ଆଦି ପଢ଼ାଇବେ। ପ୍ରତିଦିନ ଅପରାହ୍ଣ ୪ଟାରୁ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମଠ ତରଫରୁ କୁହାଯାଇଛି। ଆଜିର ଗୁରୁପୂର୍ଣ୍ଣିମା ମହୋତ୍ସବକୁ ହୃଷୀକେଶ ବ୍ରହ୍ମଚାରୀ, ପ୍ରଫୁଲ୍ଲ ବ୍ରହ୍ମଚାରୀ, ଗୋବିନ୍ଦ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗଣେଶ୍ୱର ମହାସୁଆର, ବ୍ରହ୍ମଚାରୀ ସୁୟସ ପ୍ରଶାନ୍ତ, ଆଦିତ୍ୟ କୁମାର ସିଂହ, ଅମୀୟ ମହାପାତ୍ର, ଦେବାଶିଷ ମିଶ୍ର, ସୁଧାଂଶୁ ଶେଖର ମହାନ୍ତି, ଜଗଦୀଶ ଆଚାର୍ଯ୍ୟ, ଅଜୟ ଗୋଛିକାର, ମାଗୁଣି ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର