ଜୈବ ବିବିଧତା ଐତିହ୍ୟସ୍ଥଳ ହେବ ଗୁପ୍ତେଶ୍ବର

୩୦କିଲୋମିଟର ଅଞ୍ଚଳ ପାଇଁ ଦିଆଗଲା ପ୍ରସ୍ତାବ

ଜୟପୁର : ରାଜ୍ୟର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଗୁପ୍ତେଶ୍ବର ପୀଠକୁ ଘୋଷଣା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପୀଠରୁ ୩୦କିଲୋମିଟର ପରିଧି ମଧ୍ୟରେ ରହିଥିବା ଅଞ୍ଚଳକୁ ପରିସରଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜାତୀୟ ଜୈବ ବିବିଧତା ପ୍ରାଧିକରଣ ନିକଟରେ ରିପୋର୍ଟ ଦାଖଲ ହୋଇଥିବା ଜୟପୁର ବନଖଣ୍ଡ ଅଧିକାରୀ ନାୟକଶ୍ରୀ ଜଗଦୀଶ ପ୍ରସାଦ ସିଂ ସୂଚନା ଦେଇଛି। ଚଳିତ ବର୍ଷ ହିଁ ମାନ୍ୟତା ମିଳିବାର ସର୍ବାଧିକ ସମ୍ଭାବନା ରହିଛି ବୋଲି ମଧ୍ୟ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

ଗୁପ୍ତେଶ୍ବର ପୀଠକୁ ମାନ୍ୟତା ମିଳିଲେ ଦେଶର ୧୯ତମ ଜୈବ ବିବିଧତା ଐତିହ୍ୟସ୍ଥଳ ହେବ ବୋଲି ଜଣାପଡ଼ିଛି। ସେହିପରି ରାଜ୍ୟର ତୃତୀୟ ଐତିହ୍ୟସ୍ଥଳ ପାଲଟିବ। ପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଓ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ଏହି ମାନ୍ୟତା ମିଳିସାରିଛି।

ବୈପାରିଗୁଡ଼ା ବ୍ଲକ୍‌ ହଳଦୀକୁଣ୍ଡ ପଞ୍ଚାୟତ ଅର୍ନ୍ତଗତ ଗୁପ୍ତେଶ୍ବର ବନଖଣ୍ଡ ମଧ୍ୟରେ ରହିଛି ପ୍ରସିଦ୍ଧ ଶୌବପୀଠ। ଏହାର ଚତୁଃପାର୍ଶ୍ବରେ ତଥା ୩୦କିଲୋମିଟର ପରିଧି ମଧ୍ୟରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଔଷଧୀୟ ଗୁଳ୍ମ ରହିଛି। ପ୍ରଚୁର ପରିମାଣରେ ମହୁ, ଝୁଣା, ହରିଡା, ବାହଡା ମିଳୁଛି। ବନ୍ୟଜନ୍ତୁ, ଗୃହପାଳିତ ପ୍ରାଣୀ, କୁମ୍ଭୀରଙ୍କ ବସବାସ ପାଇଁ ଉପଯୁକ୍ତ ପରିବେଶ ରହିଛି। ସେହିପରି ଏଠାକାର ଆଦିବାସୀ, ବନବାସୀଙ୍କ ଜୀବନଶୈଳୀ, ପରମ୍ପରା, ଐତିହ୍ୟ, ଇତିହାସକୁ ପ୍ରକଳ୍ପ ଇନ୍‌‌ଭେଷ୍ଟିଗେଟର ଟିମ୍‌ର ସଂଯୋଜକ ଡ. ଶୁଭ୍ରାଂଶୁ ନାୟକ, ଜୀବ ବିଜ୍ଞାନୀ ଡ. ସତ୍ୟରଂଜନ ବେହେରା, ଉଦ୍ଭିଦ ବିଜ୍ଞାନୀ ଡ. ପ୍ରସାଦ କୁମାର ଦାଶ, ରିସର୍ଚ୍ଚର ଭବାନୀ ଶଙ୍କର ମହାପାତ୍ର, ୟାଶମିନ୍ ରାଉତ, ମୋହିନୀକାନ୍ତ ଦାଶ ପ୍ରମୁଖ ଗବେଷଣା କରିଥିଲେ। ସମସ୍ତ ଦିଗକୁ ଅନୁଧ୍ୟାନ, ନିରୀକ୍ଷଣ, ଅଭିଜ୍ଞତାକୁ ଅଧ୍ୟୟନ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଟିମ୍‌ ୨୦୨୧ ମସିହା ଅକ୍ଟୋବରରୁ ୨୦୨୨ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ରହିଥିଲା। ଜ‌ୈବ ବିବିଧତା ନିୟମ-୨୦୦୨ ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ କରି ବନଖଣ୍ଡ ଅଧିକାରୀଙ୍କ ଜରିଆରେ ଏହା ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଜାତୀୟ ଜୈବ ବିବିଧତା ପ୍ରାଧିକରଣଙ୍କ ନିକଟରେ ଦାଖଲ କରାଯାଇଛି।

ମାନ୍ୟତା ମିଳିଲେ ଗୁପ୍ତେଶ୍ବର ପୀଠ କେନ୍ଦ୍ରସ୍ଥଳରେ ରହିବ। ୩୦କିଲୋମିଟର ପରିଧିର ୩୫୦ହେକ୍ଟର ଅଞ୍ଚଳକୁ ନେଇ ଜ‌ୈବ ବିବିଧିତା ପରିଚାଳନା କମିଟି ଗଠନ କରାଯିବ। ଏହି କମିଟି ଜରିଆରେ ଅଞ୍ଚଳବାସୀ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବେ। ଏଥି ପାଇଁ ଉତ୍ତମ ବଜାର ମଧ୍ୟ ଯୋଗାଇ ଦିଆଯିବ। ଏହି ପଞ୍ଚାୟତ ଅର୍ନ୍ତଗତ ଗ୍ରାମବାସୀ କମିଟି ଜରିଆରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବେ। ବାହାର ଲୋକଙ୍କୁ ଆଦୌ ଅନୁମତି ମିଳିବ ନାହିଁ। ଯଦି କେହି ବାହାର ବ୍ୟବସାୟୀ ପ୍ରବେଶ କରନ୍ତି ତେବେ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି ଜୟପୁର ବନଖଣ୍ଡ ଅଧିକାରୀ କହିଛନ୍ତି।

ସଂପୂର୍ଣ୍ଣ ଐତିହ୍ୟସ୍ଥଳ ଓ ଅଞ୍ଚଳର ପରିଚାଳନା କମିଟି ଦ୍ବାରା କରାଯିବ। କମିଟିରେ ଅନ୍ତର୍ଭୁକ୍ତ ଗ୍ରାମବାସୀଙ୍କୁ ଶିକାରୀଙ୍କୁ ରୋକିବା, ପଥର, ମାଟି, ଖଣିଜ ପଦାର୍ଥ ଖୋଳିବା ବନ୍ଦ କରିବା, ବନାଗ୍ନିକୁ ରୋକିବା, ଭଗବାନ ଦେଇଥିବା ପ୍ରାକୃତିକ ସଂପଦର ସଂପୂର୍ଣ୍ଣ ସୁରକ୍ଷା ପାଇଁ ଦାୟିତ୍ବ ଦିଆଯିବ। ପ୍ରସ୍ତାବିତ ଅଞ୍ଚଳରେ ପ୍ରବେଶ ଶୁଳ୍କ ଆଦାୟ ସହ ମିଳୁଥିବା ଲାଭାଂଶ ଗ୍ରାମବାସୀଙ୍କୁ ଦିଆଯିବା ସହ ଅଞ୍ଚଳର ବିକାଶରେ କିଛି ବିନିଯୋଗ କରାଯିବ। ଏହି ଅଞ୍ଚଳର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ସହାୟତା ପାଣ୍ଠି ମଧ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର