କେନ୍ଦୁଝର : କାଗଜକଲମରେ ସୀମିତ ଗୁଟ୍‌ଖା ନିଷିଦ୍ଧ!

କେନ୍ଦୁଝର : ଗୁଟ୍‌କା ସେବନ ମାରାତ୍ମକ କର୍କଟ ରୋଗର କାରଣ ହୋଇଥିବାରୁ ସରକାର ଏହାର ବିକ୍ରି ଉପରେ କଟକଣା ଜାରି କରିଛନ୍ତି। ଗୁଟ୍‌କା ଓ ନିକୋଟିନ୍‌ଯୁକ୍ତ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ଏବେ ଫାଇଲ୍‌ ତଳେ ଚାପି ହୋଇ ରହିଛି। କେନ୍ଦୁଝର ସହରର ପ୍ରତ୍ୟେକ ପାନ ଦୋକାନରେ ମାଳ ମାଳ ଗୁଟ୍‌କା ବିକ୍ରି ହେଉଥିବା ବେଳେ ଏହାକୁ ହାଇସ୍କୁଲ୍‌ଠାରୁ ଆରମ୍ଭ କରି କଲେଜ ପଢ଼ୁଆ ଛାତ୍ରମାନେ ସେବନ କରୁଛନ୍ତି। ନିୟମିତ ଧରପଗଡ଼ ହେଉନଥିବାରୁ ଏହି କାରବାର ଅବାଧରେ ଚାଲିଛି।

indianexpress.com

ରାଜ୍ୟ ସରକାର ଆଇନ ପ୍ରଣୟନ କରିବା ପରେ ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଉଛି। ଲୋକେ ଏହାର ପ୍ରତିବାଦ କଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନ ବେପାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ସରକାର ଗୁଟ୍‌କାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ତତ୍ପରତା ପ୍ରକାଶ କରୁନାହାନ୍ତି। ରାସ୍ତାକଡ଼ ଦୋକାନ ଏପରିକି ସ୍କୁଲ ଓ କଲେଜ ନିକଟରେ ମଧ୍ୟ ଗୁଟ୍‌କା ଏବଂ ସିଗାରେଟ ବିକ୍ରି ହେଉଥିବା କେନ୍ଦୁଝର ଯୁବ ପରିଷଦ ସଭାପତି ବରଦା ପ୍ରସନ୍ନ ଦାସ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୁଲିସ ଚଢ଼ଉ କରି କେବଳ କିଛି ଟଙ୍କା ଫାଇନ ଆଦାୟ କରି ନିଜ କାମ ଶେଷ କରିଦେଉଛନ୍ତି। ନିୟମିତ ଚଢ଼ଉ ହେଉନଥିବାରୁ ଜିଲ୍ଲାରେ ବର୍ଷକୁ କୋଟି କୋଟି ଟଙ୍କାର ଗୁଟ୍‌କା କାରବାର ହେଉଛି। ଗୁଟ୍‌କା ବ୍ୟବସାୟୀ ଚୋରାରେ ଗୋଦାମ କରି ବ୍ୟବସାୟ କରୁଥିବାବେଳେ ଏହି ଗୋଦାମ ଘର ଠାବ କରିବା ପାଇଁ ପଦକ୍ଷେପ ନିଆଯାଉ ନାହିଁ। ଏହା ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର