ଭୁବନେଶ୍ବର : ଗତ ୪ବର୍ଷ ଭିତରେ ରାଜ୍ୟରେ ୬୦୯୬ ଶିକ୍ଷାନୁଷ୍ଠାନ ତମାଖୁମୁକ୍ତ ହୋଇପାରିଛି। ରାଜ୍ୟ ସରକାର କିନ୍ତୁ ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ୫୦ ପ୍ରତିଶତ ବିଦ୍ୟାଳୟକୁ ତମାଖୁମୁକ୍ତ କରିବେ। କୋଭିଡ୍‌ ପାଇଁ ଧିମେଇ ଯାଇଥିବା ଏହି କାର୍ଯ୍ୟକୁ ଜୋରଦାର କରାଯିବ। ଅନ୍ୟପକ୍ଷରେ ତମାଖୁମୁକ୍ତକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ନିକଟରେ ସବୁ ରାଜ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ ସେମାନେ କୋଟ୍‌ପା ବା ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନରେ ତୁରନ୍ତ ସଂ‌ଶୋଧନ କରନ୍ତୁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଶୋଧିତ ‘କୋଟ୍‌ପା’ ଆଇନ (ନିଜସ୍ବ) ଆଣିବାକୁ ଯୋଜନା କରୁଛନ୍ତି। ଛତିଶଗଡ଼, ଗୁଜରାଟ ସରକାର ଏଭଳି ସଂଶୋଧିତ ଆଇନ ଆଣିଥିବାରୁ ରାଜ୍ୟ ସରକାର ସେହି ଆଧାରରେ ଏହି ଚିଠା ବିଲ୍‌ ପ୍ରସ୍ତୁତ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment

ଆସିବ ଓଡ଼ିଶା ସଂଶୋଧିତ ‘କୋଟ୍‌ପା’ ଆଇନ !
ତମାଖୁମୁକ୍ତ ହେବ ରାଜ୍ୟର ୫୦% ବିଦ୍ୟାଳୟ
ପୁରୁଷଙ୍କଠାରେ ତମାଖୁ ସେବନ କମୁଛି, ମହିଳାଙ୍କଠାରେ ବଢ଼ୁଛି
ତମାଖୁ ପ୍ରବର୍ତ୍ତନରେ ଓଡ଼ିଶା ଦେଶରେ ଦ୍ବିତୀୟ, ସମ୍ବର୍ଧିତ

publive-image Patrika

ତମାଖୁ ସେବନକୁ ନେଇ ହୋଇଥିବା ୩ଟି ବିଭିନ୍ନ ସର୍ଭେରେ ରାଜ୍ୟର ସ୍ଥିତି ଚିନ୍ତାଜନକ ରହିଛି। ଜରିମାନା ଆଦାୟ ବଢ଼ୁଛି ହେଲେ, ତମାଖୁ ସେବନରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ପରିଣାମସ୍ବରୂପ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୦୯-୧୦ରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ସର୍ଭେ(ଜିଏଟିଏସ୍‌)ରେ ରାଜ୍ୟରେ ୪୬.୨ ପ୍ରତିଶତ ଏହି ବର୍ଗର ଲୋକ ତମାଖୁ ବ୍ୟବହାର କରୁଥିବା ବେଳେ ୨୦୧୬-୧୭ରେ ଏହା ସାମାନ୍ୟ ହ୍ରାସ ପାଇ ୪୫.୬ ପ୍ରତିଶତରେ ପହଞ୍ଚିଥିଲା। ପ୍ରଥମ ଜିଏଟିଏସ୍‌ ସର୍ଭେରେ ଧୂମ୍ରପାନ ୧୦.୩ ପ୍ରତିଶତ ଥିବା ବେଳେ ଦ୍ବିତୀୟ ସର୍ଭେରେ ଏହା ୭କୁ ଖସି ଆସିଥିଲା। ମାତ୍ର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌ରେ ତମାଖୁ ସେବନ ସଂପର୍କରେ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ୨୦୦୫-୦୬ରେ ଆସିଥିବା ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୬୮.୮ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୫୫.୯ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୫୧.୬ ପ୍ରତିଶତକୁ ଖସି ଆସିଛି। ହେଲେ ମହିଳାଙ୍କ କ୍ଷେତ୍ରରେ ଏହି ହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୩୧.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ବେଳେ ଏନ୍‌ଏଫଏଚ୍‌ଏସ୍‌-୪‌ରେ ୧୭.୩ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୨୬ ପ୍ରତିଶତରେ ପହଞ୍ଚିଛି। ଯଦି ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍‌)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨ ପ୍ରତିଶତ ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ଏଥିରେ କେବଳ ଧୂମ୍ରପାନ କରୁଥିବା ଯୁବକଙ୍କ ହାର ୫.୩ ପ୍ରତିଶତ ଥିବା ବେଳେ ଯୁବତୀଙ୍କ ହାର ରହିଛି ୩.୯ ପ୍ରତିଶତ।

publive-imagepublive-image

ଆହୁରି ଚିନ୍ତାଜନକ କଥା ହେଲା, ରାଜ୍ୟରେ ତମାଖୁ ସେବନର ହାରାହାରି ବୟସ ୧୦.୨ବର୍ଷ ରହିଛି। ବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ପିଲାମାନେ ତମାଖୁର କୁଅଭ୍ୟାସରେ ପଡ଼ୁଛନ୍ତି। ଏହି ତଥ୍ୟକୁ ବିଚାରକୁ ନେଇ ସ୍ବାସ୍ଥ୍ୟ ବିଭାଗ ବିଦ୍ୟାଳୟକୁ ତମାଖୁମୁକ୍ତ କରିବା ପାଇଁ ପାଗ ଭିଡ଼ିଛି। ଗୋଟିଏ ବିଦ୍ୟାଳୟକୁ ତମାଖୁମୁକ୍ତ କରିବାକୁ ପାଇଁ ପ୍ରାୟ ୮ଟି ମାନଦଣ୍ଡ ରହିଛି। ତମାଖୁମୁକ୍ତ ବିଦ୍ୟାଳୟ ତାଲିକାରେ ଆସିବାକୁ ହେଲେ ୨୦୦ ମିଟର ଭିତରେ ଯେ କୌଣସି ପ୍ରକାର ତମାଖୁର ବିକ୍ରି ନି‌ଷିଦ୍ଧ ହେବ। ଉପଯୁକ୍ତ ସାଇନ୍‌ଏଜ୍, ପିଲା ଓ ଶିକ୍ଷକମାନଙ୍କୁ ସଚେତନତା କରିବା ଭଳି ମାନଦଣ୍ଡ ପୂରଣ କରିବା ଜରୁରୀ। ଏହାର ନିରୀକ୍ଷଣ ପାଇଁ ଜିଲ୍ଲାସ୍ତରରେ ସ୍କ୍ବାଡ୍‌ ଗଠନ କରାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ଗ୍ରାମାଞ୍ଚଳରେ ଏଥିପାଇଁ ଅଧିକ ଗୁରୁତ୍ବ ଦିଆଯାଉଛି। ନିକଟରେ ବିଏମ୍‌ସି ଅଞ୍ଚଳରେ ଓମ୍‌ଫେଡ୍‌ ଓ ଓପୋଲଫେଡ୍‌ରେ ପାନ ମସଲା ଓ ଗୁଟ୍‌ଖା ବିକ୍ରିକୁ ବାରଣ କରାଯାଉଛି। ତେବେ ସ୍ବାସ୍ଥ୍ୟ ବିଭାଗକୁ ପ୍ରବର୍ତ୍ତନ ଦାୟିତ୍ବ ଦିଆଯାଇଥିବାରୁ ଅନେକ କ୍ଷେତ୍ରରେ ସମସ୍ୟା ଉପୁଜୁଛି। ଅନେକ ମାମଲା ମଧ୍ୟ କୋର୍ଟରେ ଦାୟର କରିବାରେ ସମସ୍ୟା ଉପୁଜୁଛି। ତେଣୁ ତମାଖୁ ଚଢ଼ାଉ ଜୋରଦାର କରିବାକୁ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପୁଲିସ ଓ ଅନ୍ୟ ବିଭାଗକୁ ଉତ୍ତରଦାୟୀ କରିବା ଲାଗି ବିଶେଷଜ୍ଞ ମତ ରଖୁଛନ୍ତି।

publive-image weunetwork

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦାବି କରିଛି ଯେ ତମାଖୁ ପ୍ରବର୍ତ୍ତନରେ ଦେଶରେ ରାଜସ୍ଥାନ ପରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଏଥିପାଇଁ କେନ୍ଦ୍ର ସରକାର ନିକଟରେ ରାଜ୍ୟକୁ ପୁରସ୍କୃତ ମଧ୍ୟ କରିଛନ୍ତି। ମାତ୍ର ତୃଣମୂଳସ୍ତରରେ ତମାଖୁ ପ୍ରବର୍ତ୍ତନର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ୨୦୧୩ ମସିହା ଜାନୁଆରି ୩ରେ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍‌ଖାକୁ ନିଷିଦ୍ଧ ଘୋଷଣା କରିଥିଲେ। ଏହାର ୯ବର୍ଷ ପରେ ବି ଗୁଟ୍‌ଖା ପୂର୍ବଭଳି ବେଧଡ଼କ ବିକ୍ରି ଚାଲିଛି। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପ୍ରତିବର୍ଷ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୮-୧୯ରେ ଆଚାର୍ଯ୍ୟ ହରିହରର ହେଡ୍‌ ଓ ନେକ୍ ଅଙ୍କୋଲୋଜି ବହିର୍ବିଭାଗ(ଓପିଡି)କୁ ୪୩୦୯ଜଣ, ୨୦୧୯-୨୦ରେ ୫୮୧୭ଜଣ ଓ ୨୦୨୦-୨୧ରେ ୩୧୮୧ଜଣ ଚିକିତ୍ସା ପାଇଁ ଆସିଛନ୍ତି। ଏହା କେବଳ ଗୋଟିଏ ହସ୍ପିଟାଲର ଚିତ୍ର। ଏଥିରୁ ରାଜ୍ୟବ୍ୟାପୀ ଥିବା କର୍କଟ ଚିକିତ୍ସା କେନ୍ଦ୍ରକୁ କେତେ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଥିବେ ତାହା ଅନୁମାନ କରାଯାଇପାରେ। ତହିଁରୁ ଅଧିକାଂଶ ରୋଗୀ କର୍କଟ ରୋଗର ଦ୍ବିତୀୟ କିମ୍ବା ତୃତୀୟ ପର୍ଯ୍ୟାୟରେ ପହଞ୍ଚୁଛନ୍ତି। ତେଣୁ ସେମାନଙ୍କୁ ସବୁ ସମୟରେ ବଞ୍ଚାଇବା ସମ୍ଭବ ହୋଇପାରୁନାହିଁ।

publive-image Punekar News

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ଯଦିଓ ଗୁଟ୍‌ଖା ନିଷିଦ୍ଧ ହୋଇଛି, ମାତ୍ର ଦୋକାନୀମାନେ ଗୁଟ୍‌ଖାରେ ମିଶୁଥିବା ତମାଖୁକୁ ଅଲଗା ବିକ୍ରି କରୁଛନ୍ତି। ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭବ ହେଉନାହିଁ। ଏହାସହ କୋଟ୍‌ପା ଆଇନରେ ଯେଉଁ ଜରିମାନା ପରିମାଣ ରହିଛି ତାହା ଯଥେଷ୍ଟ କମ୍। ତେଣୁ ଅଧିକ ଜରିମାନା ପରିମାଣ ବଢ଼ାଇବାର ଆବଶ୍ୟକତା ରହିଛି। ଏହାସହ ଯେଉଁ ସ୍ଥାନଗୁଡ଼ିକୁ ସ୍ବତନ୍ତ୍ରଭାବେ‌ ସ୍ମୋକିଂ ଜୋନ୍‌ ବୋଲି ଘୋଷଣା କରାଯାଇଛି, ସେସବୁର ବନ୍ଦ ହେବା ଦରକାର। ନଚେତ୍ ଆଇନ ରହିଥିଲେ ବି ଲୋକମାନେ ତମାଖୁ ସେବନ ବନ୍ଦ ପାଇଁ ଆଗ୍ରହ ଦେଖାଇବେ ନାହିଁ। ରାଜ୍ୟରେ ଏବେ ପ୍ରବର୍ତ୍ତନ କାର୍ଯ୍ୟ ଜୋରଦାର କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୮,୩୪.୯୫୨ ଟଙ୍କା ଜରିମାନା ଆଦାୟ ହୋଇଛି। ମାସକୁ ଅତିକମ୍‌ରେ ୨ଥର ଯାଞ୍ଚ ଜାରି ରହିଛି। ଏହାସହ ତମାଖୁ ଛାଡ଼ିବାକୁ ଚାହୁଁଥିବା ଲୋକମାନଙ୍କୁ କାଉନସେଲିଂ ଓ ଫାର୍ମାକୋଥେରାପି ମଧ୍ୟ ଦିଆଯାଉଛି। ୨୦୨୨-୨୩ବର୍ଷରେ ରାଜ୍ୟରେ ୭୧୩୬ ଜଣ ତମାଖୁ ଛାଡ଼ିଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।