ଭୁବନେଶ୍ୱର : ରାଜ୍ୟରେ ଧୂମପାନ ବ୍ୟବହାର କମିଛି। ବିଶ୍ୱ ବୟସ୍କ ତମାଖୁ ସର୍ବେକ୍ଷଣ-୨ ବା ଜିଏଟିଏସ୍ ତଥ୍ୟରେ ରାଜ୍ୟରେ ଧୂମପାନର ମାତ୍ରା ଯଥେଷ୍ଟ ହ୍ରାସ ପାଇଥିବା ଜଣାପଡ଼ିଛି। ୨୦୦୯/୧୦ରେ ପ୍ରକାଶ ପାଇଥିବା ଜିଏଟିଏସ୍-୧ରେ ରାଜ୍ୟରେ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା ୧୦.୩ ପ୍ରତିଶତ ରହିଥିବା ବେଳେ ଜିଏଟିଏସ୍-୨ରେ ଏହାର ମାତ୍ରା ୩.୩ ପ୍ରତିଶତକୁ କମି ଆସିଛି।
ଅପରପକ୍ଷରେ ରାଜ୍ୟବାସୀଙ୍କ ମଧ୍ୟରେ ଖଇନି ଓ ଗୁଡ଼ାଖୁର ବ୍ୟବହାର ଯଥେଷ୍ଟ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏହାର ବ୍ୟବହାର ଯଥେଷ୍ଟ ଅଧିକ ରହିଥିବା ଜଣାପଡ଼ିଛି। ତେବେ ଖଇନି ଓ ଗୁଡ଼ାଖୁ କୋଟ୍ପା ଆଇନ ପରିସର ମଧ୍ୟରେ ଆସୁ ନ ଥିବାରୁ ଏହାର ବ୍ୟବହାର କିଭଳି ରୋକାଯିବ ତାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି। ତେଣୁ ସଚେତନତା ଜରିଆରେ ଏହାର ବ୍ୟବହାର କମାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଅବକାରୀ, ଖାଦ୍ୟ ସୁରକ୍ଷା ଓ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଏହାକୁ ନିୟନ୍ତ୍ରଣ କରିବା ଉପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇ ଦିନିଆ ସମ୍ମିଳନୀରେ ଆଲୋଚନା ହୋଇଥିଲା।
ରାଜ୍ୟରେ ତମାଖୁ ନିୟନ୍ତ୍ରଣ ଓ ନିକଟରେ ପ୍ରକାଶିତ ଜିଏଟିଏସ୍-୨ରେ ପ୍ରକାଶ ପାଇଥିବା ତଥ୍ୟ ସଂପର୍କରେ ଗତ ଦୁଇ ଦିନ ଧରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନ୍ଥନିବାସରେ ଆଲୋଚନା ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ତମାଖୁ ନିୟନ୍ତ୍ରଣରେ କାର୍ଯ୍ୟରତ ଅଧିକାରୀମାନେ ଯୋଗ ଦେଇଥିଲେ।
ରାଜ୍ୟରେ ଖଇନି ଓ ତମାଖୁର ବ୍ୟବହାର ବଢ଼ି ଚାଲିବାକୁ ନେଇ ସମ୍ମିଳନୀରେ ଅଧିକାରୀମାନେ ଚିନ୍ତା ପ୍ରକଟ କରିଥିଲେ। ଗତ ୭ବର୍ଷରେ ଖଇନି ଓ ଗୁଡ଼ାଖୁର ବ୍ୟବହାର ବଢ଼ିଛି। ଜିଏଟିଏସ୍-୧ରେ ଖଇନିର ବ୍ୟବହାର ରାଜ୍ୟରେ ୧୧ପ୍ରତିଶତ ରହିଥିବା ବେଳେ ଜିଏଟିଏସ୍-୨ରେ ଏହା ବୃଦ୍ଧି ପାଇ ୧୬.୯ପ୍ରତିଶତରେ ପହଞ୍ଚିଛି। ସେହିପରି ଗୁଡ଼ାଖୁର ବ୍ୟବହାର ଜିଏଟିଏସ୍-୧ରେ ୭.୩ ପ୍ରତିଶତ ରହିଥିବା ବେଳେ ଜିଏଟିଏସ୍-୨ରେ ଏହା ବୃଦ୍ଧି ପାଇ ୧୪.୯ପ୍ରତିଶତରେ ପହଞ୍ଚିଛି। ରାଜ୍ୟରେ ଏବେ ୧୬.୯ପ୍ରତିଶତ ଲୋକ ଖଇନି ବ୍ୟବହାର କରୁଥିବା ବେଳେ ୧୪.୯ପ୍ରତିଶତ ଲୋକ ଗୁଡ଼ାଖୁ, ୯.୪ପ୍ରତିଶତ ଗୁଟ୍ଖା, ୮.୬ପ୍ରତିଶତ ପାନ ମସଲା ଓ ୮.୬ପ୍ରତିଶତ ତମାଖୁଯୁକ୍ତ ପାନ ମସଲାର ବ୍ୟବହାର କରୁଛନ୍ତି। ଯାହାକି ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ କୋଟ୍ପା ଆଇନ ସହିତ ଏଫ୍ଏସ୍ଏସ୍ଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ମଧ୍ୟ ରହିଛି। ଏହାସତ୍ୱେ ରାଜ୍ୟରେ ତମାଖୁ ନିୟନ୍ତ୍ରଣ ଆଶାଜନକ ଭାବେ ହୋଇପାରି ନାହିଁ। ତମାଖୁ ଓ ଖଇନି କୋଟ୍ପା ଆଇନ ଭିତରେ ଆସୁ ନ ଥିବାରୁ କେବଳ ସଚେତନତା ହିଁ ଏହାକୁ ନିୟନ୍ତ୍ରଣ କରିବାରେ ସଚେତନତା ଏକମାତ୍ର ବାଟ ବୋଲି ଆଲୋଚନାରେ ନିଷ୍ପତ୍ତି ହୋଇଥିଲା।
ଏଥିପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଚେତନତା ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ଏଡିଏମ୍ଓ(ଜନସ୍ୱାସ୍ଥ୍ୟ)ଙ୍କ ମଧ୍ୟ ତମାଖୁ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯିବା ଉପରେ ଆଲୋଚନା ହୋଇଛି। ତେବେ ତମାଖୁର ବ୍ୟବହାକୁ ଆଶାତୀତ ଭାବେ କମାଇବାକୁ ହେଲେ ଅବକାରୀ, ପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଏକତ୍ରଭାବେ କାର୍ଯ୍ୟ କରିବାର ଆବଶ୍ୟକତାର ରହିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।