ଭଡ଼ା ଘରୁ ମିଳିଲା ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଓ ଗୁଟ୍‌ଖା ପ୍ରସ୍ତୁତ ସାମଗ୍ରୀ, ଜଣେ ଅଟକ 

ଗୋପାଳପୁର : ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଗୁ୍ଟ୍‌ଖା ଫ୍ୟାକ୍ଟ୍ରି ଉପରେ କ୍ରମାଗତ ଭାବେ ଚଢ଼ଉ ଜାରି ରଖିଥିବା ବେଳେ ଆଜି ଏକ ଭଡ଼ା ଘରୁ ଲକ୍ଷାଧିକ ଟଙ୍କା ଗୁଟ୍‌ଖା ଓ ଗୁଟ୍‌ଖା ପାଇଁ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି। ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନସ୍ କଲୋନି ଅଞ୍ଚଳର ଏକ ଘରେ ଦୁର୍ବୃତ୍ତମାନେ ଚୋରି କରିବା ଉଦ୍ଦେଶ୍ୟରେ ତାଲା ଭାଂଗିଥିବା ନେଇ ପୁଲିସ ସୂଚନା ପାଇଥିଲା। ଆଜି ସକାଳୁ ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ବେଳେ ଘରର ମୁଖ୍ୟ ଗ୍ରିଲ୍‌ ଓ କବାଟର ତାଲା ଭଂଗା ଯାଇଥିବା ଦେଖିବାକୁ ପାଇଥିଲେ। ପୁଲିସ ଯାଞ୍ଚ ବେଳେ ଉକ୍ତ ଘର ଭିତରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଗୁଟ୍‌ଖା, ଗୁଟ୍‌ଖା ପ୍ରସ୍ତୁତି ପାଇଁ ଥିବା ଦୁଇଟି ମେସିନ୍‌, ଓଜନ ମାପିବା ଯନ୍ତ୍ର, ଦୁଇଟି ସିଲ୍‌ ମେସିନ, ଛଅ ବଣ୍ଡଲ ଡିଲକ୍ସ ମିକ୍ସ ଜରି, ୯୦କେଜି କଞ୍ଚାମାଲ, ତମାଖୁ ପାଉଡ଼ର ୭୦କେଜି, ବିନ୍‌ଦାସ ଗୋକୁଲ ଡିଲକ୍ସ ମିକ୍ସ ଶହେ ପାଉଚ୍‌ ବିଶିଷ୍ଟ ୫୭ଟି ପ୍ୟାକେଟ୍‌, ଡିଲକ୍ସ ମିକ୍ସ ୩୧ ପ୍ୟାକେଟ୍, ୯୦୯ ଜର୍ଦ୍ଦା ପତି ଦୁଇ ଶହ ପାଉଚ୍‌ ଥିବା ଦେଖିବାକୁ ପାଇଥିଲେ।

ଖବର ପାଇ ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ମାଲିକଙ୍କୁ ପଚରାଉଚରା କରିବାରେ ଧିରେନ୍‌ ସାହୁ, ବିପିନ୍‌ ସାହୁ, ବିଜନ ସାହୁ ଓ ତପନ ସାହୁ ନାମକ ୪ଜଣ ଯୁବକ ଘର ଭଡ଼ା ନେଇଥିବା ପୁଲିସକୁ କହିଥିଲେ। ପୁଲିସ ମୋବାଇଲ୍‌ ଟ୍ରାକିଂ କରି ଗୋପାଳପୁରରୁ ବିଜନ କୁମାର ସାହୁକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଅନ୍ୟମାନଙ୍କ ପତ୍ତା ମିଳିପାରି ନାହିଁ। ଗୋପାଳପୁର ଥାନା ପୁଲିସ ପକ୍ଷରୁ କେସ୍ ନଂ ୨୩୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହି ଭଡ଼ା ଘରେ ଗୁଟ୍‌ଖା ପ୍ରସ୍ତୁତ ହେଉଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର