ବେଆଇନ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ଉ: ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗୁଟ୍‌ଖା ଜବତ

ଫ୍ୟାକ୍ଟ୍ରିରୁ ମିଳିଲା ଦେଢ଼ଲକ୍ଷ ନଗଦ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଇଲାକାରେ ଚାଲିଥିଲା ବେଆଇନ ଗୁଟ୍‌ଖା ଫ୍ୟାକ୍ଟ୍ରି। ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର ବାଉଁଶିଆପଲ୍ଲୀ ଗ୍ରାମରେ ୩ରୁ ୪ ବର୍ଷ ଧରି ବେଧଡ଼କ ଚାଲିଥିଲା କାରବାର। ବ୍ରହ୍ମପୁର ଏସ୍‌ପି. ଶରବଣା ବିବେକ. ଏମ୍‌ଙ୍କ ସୂଚନା ଅନୁଯାୟୀ ଆଜି ପୁଲିସ ହେଡ଼୍‌କ୍ବାଟରରୁ ଏକ ଟିମ୍‌ ଏହି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗୁଟ୍‌ଖା ପ୍ରସ୍ତୁତ ମେସିନ୍‌, ଗୁଟ୍‌ଖା, କଞ୍ଚାମାଲ, ବିଭିନ୍ନ ବ୍ରାଣ୍ଡର ପଲିଥିନ୍‌ ପ୍ୟାକ୍‌, ଓଜନ ମେସିନ୍‌, ମିଶ୍ରଣ କରୁଥିବା ମେସିନ୍‌, ଦୁଇଟି ଟ୍ରକ୍‌, ଗୋଟିଏ ଅଟୋ ଓ ଟାଟା ମେଜିକ୍‌ ଗାଡ଼ି ସହ ଦେଢ଼ଲକ୍ଷ ଟଙ୍କା ଜବତ କରିଛି।

ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ନରେନ୍ଦ୍ର ସାହୁ ଏହାର ମାଲିକ ହୋଇଥିବା ବେଳେ ଏହାକୁ ମିଟୁ ସାହୁ ପରିଚାଳନା କରୁଥିଲେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ପୁଲିସ ହାବୁଡ଼ରେ ଉଭୟେ ପଡ଼ି ନଥିବା ବେଳେ ଚଢ଼ଉ ସମୟରେ ସେଠାରେ କାର୍ଯ୍ୟରତ କିଛି ଶ୍ରମିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା କୁକୁଡ଼ାଖଣ୍ଡି ତହସିଲଦାର ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ୩ଟି ଗୋଦାମକୁ ସିଲ୍‌ କରାଯାଇଥିଲା। ଚଳିତ ମାସରେ ବ୍ରହ୍ମପୁର ପୁଲିସ କ୍ରମାଗତ ଭାବେ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଥିବା ବେଳେ ଆଜି ତୃତୀୟ ଘଟଣା ବୋଲି ଜଣାପଡିଛି।

ବାଉଁଶିଆପଲ୍ଲୀ ଗ୍ରାମରେ ଏକ ବେଆଇନ ଗୁଟ୍‌ଖା ଫ୍ୟାକ୍ଟ୍ରି ଚାଲିଥିବା ନେଇ ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ.ଏମ୍‌ କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲେ। ନିଜେ ସାଧାପୋଷାକରେ ବାଇକ୍‌ରେ ଯାଇ ଫ୍ୟାକ୍ଟ୍ରିର ଅବସ୍ଥିତି ଉପରେ ସୂଚନା ସଂଗ୍ରହ କରି ଫେରିଥିଲେ। ପୁଲିସ ହେଡ଼କ୍ବାର୍ଟରରୁ ଡିଏସ୍‌ପି ସ୍ବରାଜ ଦେବତ୍ତାଙ୍କ ନେତୃତ୍ବରେ ହେଡ଼୍‌କ୍ବାର୍ଟର ଇନିସପେକ୍ଟର ଏବଂ ପୁଲିସ ଫୋର୍ସ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ହେଡ଼କ୍ବାର୍ଟର ଟିମ୍‌ ଚଢ଼ଉ ଖବର ପାଇବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତ ବେଳେ ବଡ଼ବଜାର ଅଞ୍ଚଳର ନରେନ୍ଦ୍ର ସାହୁ ଏହାର ମାଲିକ ଥିବା ବେଳେ ମିଟୁ ସାହୁ ଏହାର ପରିଚାଳନା କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏଠାରୁ ବିଭିନ୍ନ ବ୍ରାଣ୍ଡର ଗୁଟ୍‌ଖା ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ତେବେ ଏହି ଗୁଟ୍‌ଖା ପ୍ରସ୍ତୁତ ପାଇଁ ବିହାର ରାଜ୍ୟର ଶ୍ରମିକ ମାନେ ନିୟୋଜିତ ହୋଇଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ଏଥିନେଇ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ସୂଚନା ଆଧାରରେ ପୁଲିସ ତିନୋଟି ସ୍ଥାନରେ ଚଢ଼ଉ କରିଥିଲା। ଗୋଟିଏ ସ୍ଥାନରେ ଗୁଟ୍‌ଖା ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ଗୋଟିଏ ସ୍ଥାନରେ ଗୁଟ୍‌ଖା ପାଇଁ ଆବଶ୍ୟକ କଞ୍ଚାମାଳ ରହୁଥିବା ସ୍ଥାନ ଏବଂ ଗୁଟ୍‌ଖା ଗଚ୍ଛିତ ରହିଥିବା ଅନ୍ୟ ଏକ ସ୍ଥାନ ଉପରେ ଚଢ଼ଉ କରାଯାଇଥିଲା। ବ୍ରହ୍ମପୁର ଏବେ ବେଆଇନ ଗୁଟ୍‌ଖା ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟିଯାଇଛି। ଚଳିତ ମାସ ୬ ତାରିଖ ଦିନ ବଡ଼ବଜାର ଥାନା ପୁଲିସ ଗଣେଣ ମାର୍କେଟ୍‌ ନିକଟରେ ଚଢ଼ଉ କରି ପ୍ରାୟ ୭୮୦କେଜି ଓଜନର ଗୁଟ୍‌ଖା ଜବତ କରିବା ସହ ଟୁନୁନା ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ୮ ତାରିଖ ଦିନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁକୁ ପୁଲିସ ଗିରଫ କରିଥିଲା। ସେଭଳି ୨୩ ତାରିଖ ରାତିରେ ସଦର ଥାନା ପୁଲିସ ଶ୍ରୀମାନଗର ୫ମ ଲାଇନ୍‌ରେ ଏକ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରି ଦୁଇ ଜଣ ଅଭିଯୁକ୍ତ ଶଙ୍କର କୁମାର ସାହୁ ଓ କୈଳାସ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର