ଗୋଳନ୍ଥରା : ବେଆଇନ ଭାବେ ଚାଲିଥିବା ଏକ ବଡ଼ ଧରଣର ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢ଼ଉ କରିଛି। ସେଠାରୁ ବିପୁଳ ପରିମାଣ ଗୁଟ୍ଖା ଓ କଞ୍ଚାମାଲ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇଜଣ ସୁପର୍ଭାଇଜର୍ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସେଠାରେ ବେଆଇନ ଭାବେ ଗୁଟ୍ଖା ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ପୁଲିସ କହିଛି।
ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓ ଅଟୋନଗରରେ ଦୁଇଟି ଗୁଟ୍ଖା କାରଖାନା ଚାଲିଥିବା ପୁଲିସ ଖବର ପାଇଥିଲା। ଗତକାଲି ସଂଧ୍ୟାରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ବରେ ଏକ ଟିମ୍ ଉଭୟ ଘର ଚିହ୍ନଟ କରିଥିଲେ। ସେଠାରେ ତାଲା ପଡ଼ିଥିବାରୁ ପୁଲିସ ଫେରି ଆସିଥିଲା। ଆଜି ସକାଳେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ମହନ୍ତ ଉଭୟ ଘର ତାଲା ଭାଙ୍ଗି ଯାଞ୍ଚ କରିଥିଲେ। ପ୍ରଥମେ ଅଟୋନଗର ସ୍ଥିତ ଭଡ଼ାଘର ତାଲା ଭଙ୍ଗା ଯାଇଥିଲା। ଯାଞ୍ଚ ପରେ ସେଠାରୁ ବିପୁଳ ପରିମାଣ ଗୁଟ୍ଖା ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିଲା। ବସ୍ତାବସ୍ତା ହୋଇ ଗୁଟ୍ଖା ଓ ପ୍ରସ୍ତୁତ ସାମଗ୍ରୀ ରଖା ହୋଇଥିଲା। ଏତେ ପରିମାଣ ଗୁଟ୍ଖା ଦେଖି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା।
ଏହାପରେ ହଳଦିଆପଦର ନିଟକସ୍ଥ ଏକ ଗୁଟଖା ୟୁନିଟ୍ ଉପରେ ଛାପା ମାରିଥିଲା ପୁଲିସ। ଯାଞ୍ଚ ପରେ ସେଠାରୁ ମଧ୍ୟ ବିପୁଳ ପରିମାଣ ଜର୍ଦ୍ଦା, ଅଳେଇଚ, ପଲିଥିନ ରୋଲ ପ୍ରଭୃତି ଜବତ ହୋଇଥିଲା। ଏଠାରେ ବିଭିନ୍ନ କମ୍ପାନିର ଗୁଟ୍ଖା ପ୍ରସ୍ତୁତ ହେଉଥିଲା ବୋଲି ପୁଲିସ କହିଛି। ଉଭୟ ସ୍ଥାନରୁ ୫ଶହରୁ ଅଧିକ ବସ୍ତା ଗୁଟ୍ଖା ଓ କଞ୍ଚାମାଲ ଏବଂ ପ୍ରାୟ ୪୦ଟି ବିଭିନ୍ନ ପ୍ରକାର ମେସିନ୍ ଜବତ ହୋଇଥିଲା। ହଳଦିଆପଦରରୁ ଜବତ ହୋଇଥିବା ଗୁଟଖାକୁ ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଅଟୋନଗରରୁ ଜବତ ସାମଗ୍ରୀକୁ ସେଠାରେ ରଖି ଘରକୁ ସିଲ୍ କରାଯାଇଛି। ଏ ନେଇ ପୁଲିସ କେସ୍ ନମ୍ବର ୩୭୧/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଜବତ ମେସିନ୍ ଓ ସାମଗ୍ରୀ ପ୍ରାୟ ୧୦କୋଟି ଟଙ୍କାର ହେବ ବୋଲି ସଦର ଏସଡିପିଓ ମହାପାତ୍ର ସୂଚନା ଦେଇଛନ୍ତି।