ବ୍ରହ୍ମପୁର: କିଛି ଦିନ ଅନ୍ତରରେ ପୁଣି ବେଆଇନ୍ ଭାବେ ଚାଲିଥିବା ଏକ ଗୁଟ୍ଖା କାରଖାନାକୁ ବ୍ରହ୍ମପୁର ପୁଲିସ ଠାବ କରିବାରେ ସକ୍ଷମ ହୋଇଛି। ସଦରଥାନା ପୁଲିସ ଏହି ସଫଳତା ପାଇଛି। ଲୋଚାପଡ଼ା ଶ୍ରୀମା’ନଗର ଠାରେ ଏକ ବହୁତଳ ବିଶିଷ୍ଠ କୋଠାର ତଳ ମହଲାରୁ ବିପୁଳ ପରିମାଣର ବେଆଇନ୍ ଗୁଟ୍ଖା ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଶଙ୍କର କୁମାର ସାହୁ (୪୨) ଶ୍ରୀମାନଗରରେ ରହୁଥିବା ବେଳେ ସେ ବଡ଼ବଜାର ଥାନା ଅନ୍ତର୍ଗତ ନୂଆ କାଳୁପାତ୍ର ସାହିର ମୂଳ ବାସିନ୍ଦା। ଅନ୍ୟଜଣେ ଗିରଫ ଅଭିଯୁକ୍ତ କୈଳାସ ସାହୁ (୩୯) ହରିଡ଼ାଖଣ୍ଡି ତୋଟାସାହିର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଆଙ୍କୁଶପୁରରେ ରହୁଥିଲେ। କିଛି ମାସ ହେବ ମିଳିତ ଭାବେ ଦୁହେଁ ଏହି ଗୁଟ୍ଖା କାରଖାନା ଚଳାଉଥିବା ଏବଂ ପ୍ରସ୍ତୁତ ଗୁଟ୍ଖାକୁ ବିକ୍ରି ପାଇଁ ବାହାରକୁ ପଠାଉଥିବା ନେଇ ଜେରା ବେଳେ ସ୍ବୀକାର କରିଥିବା, ପୁଲିସ ସୂଚନା ଦିଆଯାଇଛି। ଅନ୍ୟ କାହାର ସମ୍ପୃକ୍ତି ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତା ଅନୁଯାୟୀ, ସଦର ଥାନା ପୁଲିସ ଗତକାଲି ଅପରାହ୍ଣରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଲୋଚାପଡ଼ାର ଶ୍ରୀମା ନଗର ୫ମ ଗଳିରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ଗୁଟ୍ଖା ଏବଂ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା। ସେଥିରେ ଶହଶହ ପ୍ୟାକେଟ୍ ଭର୍ତ୍ତି ହରିଡ଼ାଖଣ୍ଡି ମାୱା ମସଲା ଓ ମିରା ନଂ-୧ ଡିଲକ୍ସ ମିକ୍ସ ଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏଥିସହ ବହୁ ପରିମାଣର ଧୂଆଁପତ୍ର, ପାନମଧୁରୀ, ଚୁଆ, ଚୂନ ଆଦି କଞ୍ଚାମାଲ, ପାଉଚ୍ ରୋଲ୍, ଗୋଟିଏ ଲେଖାଏଁ ଓଜନ ମେସିନ୍, ପ୍ୟାକିଂ ମେସିନ୍, ମିକ୍ସର ମେସିନ୍, ଷ୍ଟିଚିଂ ମେସିନ୍ ମଧ୍ୟ ଉକ୍ତ ବେଆଇନ୍ ଗୁଟ୍ଖା କାରଖାନାରୁ ପୁଲିସ ଜବତ କରିଛି। ଗତ ୭ତାରିଖରେ ବଡ଼ବଜାର ଥାନା ପୁଲିସ ଗଣେବଜାର ଏବଂ ଆସ୍କାରୋଡ଼ ଅଂଚଳରୁ ବେଆଇନ୍ ଭାବେ ବିକ୍ରି ପାଇଁ ଥିବା ଗୁଟ୍ଖା ଏବଂ ଏକ ଗୁଟ୍ଖା କାରଖାନାକୁ ସିଲ୍ କରିଥିଲା। ସେଠାରୁ ମଧ୍ୟ ପ୍ରଚୁରୁ ପରିମାଣର ଗୁଟ୍ଖା ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିଲା।