ରାଉରକେଲା: ରାଉରକେଲାରେ ଡେଙ୍ଗୁ କୋକୁଆ ଭୟ ଖେଳାଇଦେଇଛି। ରାଉରକେଲା ମହାନଗର ନିଗମ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ। ସେକ୍ଟର-୧, ସେକ୍ଟର-୧୪, ସେକ୍ଟର-୧୫, ସେକ୍ଟର-୧୬, ସେକ୍ଟର-୧୯, ସେକ୍ଟର-୨୧ ଆଦି ଡେଙ୍ଗ ହଟ୍‌ସ୍ପଟ୍‌ ପାଲଟିଛି। ଆର୍‌ଏସ୍‌ପି ସହରାଞ୍ଚଳରେ ଏହା ପ୍ରଥମଥର ନୁହେଁ, ବରଂ ପ୍ରତିବର୍ଷ ଏ ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ରହିଥାଏ।
Advertisment
ରାଉରକେଲାରୁ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତ କେବଳ ଆର୍‌ଏସ୍‌ପି ସହରାଞ୍ଚଳରୁ ଚିହ୍ନଟ ହୋଇଥାନ୍ତି। ବାସ୍ତବରେ ତ୍ରୁଟି ସୁଧାର କରାଯାଉନଥିବାରୁ ପ୍ରତିବର୍ଷ ଅଞ୍ଚଳରେ ଡେଙ୍ଗୁ ଜନସାଧାରଣଙ୍କ ନିଦ ହଜାଉଛି।
ଗତବର୍ଷ, ଅର୍ଥାତ୍‌ ୨୦୨୩ ଜାନୁଆରିରୁ ‌ଡିସେମ୍ବର ମାସ ଭିତରେ ଜିଲ୍ଲାରେ ମୋଟ୍‌ ପ୍ରାୟ ୭୫୦ରୁ ଉପରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ପାଖାପାଖି ୭୦% ଆକ୍ରାନ୍ତ ଆର୍‌ଏସ୍‌ପି ସହରାଞ୍ଚଳବାସୀ ହୋଇଥିବାବେଳେ ଅବଶିଷ୍ଟ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ବିଭିନ୍ନ ଅଞ୍ଚଳ ତଥା ରେଲୱେ କଲୋନିର ଥିଲେ। ୨୦୨୨ ମସିହାରେ ଜିଲ୍ଲାରେ ମୋଟ୍‌ ୧୭୪୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।
ଏଥିମଧ୍ୟରୁ ୯୦%ରୁ ଅଧିକ ସଂକ୍ରମିତ କେବଳ ରାଉରକେଲାର ଥିଲେ। ୨୦୨୧ ମସିହାରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ୧୧୦୦ ଟପିଥିଲା। ଡେଙ୍ଗୁ ଯୋଗୁଁ ପ୍ରତିବର୍ଷ ୨/୩ ଜଣଙ୍କ ମୃତ୍ୟୁ ବି ହୋଇଛି। ଏମିତିକି ଅବସରପ୍ରାପ୍ତ ଆର୍‌ଏସ୍‌ପି କର୍ମଚାରୀଙ୍କ ବି ଜୀବନ ନେଇଛି ଡେଙ୍ଗୁ। କିନ୍ତୁ ବର୍ଷବର୍ଷ ଧରି ଲାଗିରହିଥିବା ଅବ୍ୟବସ୍ଥାକୁ ଦୂର କରାଯାଉନି।
ଏବେ ମଧ୍ୟ ବିଭିନ୍ନ ପରିତ୍ୟକ୍ତ କ୍ବାର୍ଟର, ଛୋଟବଡ଼ ନାଳ, ଗଚ୍ଛିତ ରହିଥିବା ବାହ୍ୟ ଜଳ, ମାତ୍ରାଧିକ ବୁଦା, ଅଳିଆ ଆବର୍ଜନା ପଡ଼ିରହୁଛି। କେବଳ ପରିତ୍ୟକ୍ତ କ୍ବାର୍ଟର ନୁହେଁ, ବରଂ ଲୋକେ ରହୁଥିବା ଘରର ଚାରିକଡ଼େ ପାଣି ଜମି ରହି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏସବୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରିବାକୁ ଦାବି ହେଉଛି।