‘ନୂତନତା, ଔଦ୍ୟୋଗିକତା ଓ ସହଭାଗିତା ଶୈକ୍ଷିକ ବିପ୍ଳବର ଚାବିକାଠି’

ଏକବିଂଶ ଜ୍ଞାନପୁଞ୍ଜ ବକ୍ତୃତାମାଳା

ଭୁବନେଶ୍ବର : ଶିକ୍ଷା ତଥା ଜନଜୀବନ ଧାରା ପରିବର୍ତ୍ତନ ନିମନ୍ତେ ନବସୃଜନ, ଔଦ୍ୟୋଗିକତା ଏବଂ ସହଯୋଗିତା ହିଁ ଚାବିକାଠି। ଏହା କହିଛନ୍ତି ମାଗାସେସ୍ ପୁରସ୍କାର ବିଜେତା ସୋନମ୍ ୱାଙ୍ଗଚୁକ୍।

ଲୋକସେବା ଭବନରେ ଆଜି ଏକବିଂଶତମ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ୱାଙ୍ଗଚୁକ୍ କହିଥିଲେ ଯେ ନ୍ୟୁୟର୍କ କିମ୍ବା ନୂଆଦିଲ୍ଲୀକୁ ଅପେକ୍ଷା ନକରି ଲୋକସମୂହ ସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ। ଜ୍ଞାତରୁ ଅଜ୍ଞାତକୁ ଯାତ୍ରା କରିବା ନିମନ୍ତେ ଯଥାର୍ଥ କୌଶଳ ଅବଲମ୍ବନ କରିବା ହେତୁ ଶିକ୍ଷା କ୍ଷେତ୍ରରେ ନୂତନତ୍ବ ଆସିବା ସମ୍ଭବପର ହୋଇପାରିଛି। ଏହି ନୂତନତ୍ବ ବିଭିନ୍ନ ଲୋକଗୋଷ୍ଠୀ ଓ ନାଗରିକ ସମାଜ ସଂଗଠନଗୁଡ଼ିକର ସହଯୋଗିତା ବଳରେ ବିକଳ୍ପ ଶିକ୍ଷାର ପରବର୍ତ୍ତୀ ସୋପାନକୁ ଯାଇପାରିବ।

ସେ କହିଥିଲେ ଯେ ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀମାନେ ଅଧ୍ୟୟନ, ଲିଖନ ଓ ଅଙ୍କ କଷିବାରେ ମନ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଉନ୍ନତ ମସ୍ତିଷ୍କ, ଦୟାଶୀଳ ହୃଦୟ ଓ କୁଶଳୀ ହାତ ଉପରେ ଶିକ୍ଷା ବ୍ୟବସ୍ଥା ପର୍ଯ୍ୟବସିତ ହେବ। ଯାହା ହିଁ ‘ପରବର୍ତ୍ତୀ ଶୈକ୍ଷିକ ବିପ୍ଳବ’ ହେବ। ଓଡ଼ିଶା ସମ୍ପର୍କରେ ୱାଙ୍ଗଚୁକ୍ କହିଥିଲେ ଯେ ଏଠାରେ ସଂଘଟିତ ମହତ ଘଟଣାଗୁଡ଼ିକ ବାବଦରେ ଶୁଣିଛି। ଏଠାରେ ରାଜ୍ୟ ସରକାର ନବସୃଜନ ଓ ପରିବର୍ତ୍ତନ ଉପରେ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ଉପରସ୍ତରରେ ସମସ୍ୟା ଅବଗତି ନିମନ୍ତେ ସରକାରଙ୍କ ପକ୍ଷରୁ ଚମତ୍କାର ବ୍ୟବସ୍ଥା ସୃଷ୍ଟି କରାଯାଇଛି, ଯାହା ଅନ୍ୟ ସ୍ଥାନରେ ଦୃଷ୍ଟିଗୋଚର ହେବା ବିରଳ।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରାରମ୍ଭରେ ଶ୍ରୀ ୱାଙ୍ଗଚୁକ୍‌ଙ୍କ ପରିଚୟ ପ୍ରଦାନ କରି କହିଲେ ଯେ ବିକଳ୍ପ ଶିକ୍ଷା କ୍ଷେତ୍ରରେ ହିମାଳୟ ଅଞ୍ଚଳର ଲଦାଖ୍‌ରେ ଜନ୍ମିତ ଶ୍ରୀ ୱାଙ୍ଗଚୁକ୍ ଜଣେ ପ୍ରେରଣା‌ଦାୟୀ ପ୍ରସିଦ୍ଧ ବ୍ୟକ୍ତିତ୍ବ। ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ଅକୃତକାର୍ଯ୍ୟ ହେଉଥିବା ଶିକ୍ଷାର୍ଥୀମାନଙ୍କୁ ନେଇ ସେ ବିକଳ୍ପ ଶିକ୍ଷଣର ଅନବଦ୍ୟ ନୂତନତ୍ବକୁ ସଫଳତାର ସହ ପ୍ରଦର୍ଶନ କରିପାରିଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଶ୍ରୀ ୱାଙ୍ଗଚୁକ୍‌ଙ୍କୁ ଓଡ଼ିଶା ଜ୍ଞାନପୁଞ୍ଜ ସ୍ମାରକ ପ୍ରଦାନ କରିଥିଲେ। ପରେପରେ ମୁକ୍ତ ଆଲୋଚନାରେ ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବମାନେ, ଶିକ୍ଷାବିତ୍‌ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଆଜିର କାର୍ଯ୍ୟକ୍ରମ ଲୋକସେବା ଭବନର ଅନ୍ୟ ଦୁଇଟି ସମ୍ମିଳନୀ କକ୍ଷ ଓ ବିଭିନ୍ନ ଜିଲ୍ଲା ସଦର ମହକୁମା ଦପ୍ତରକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସଂପ୍ରସାରିତ ହୋଇଥିଲା। ୩୦ଟି ଜିଲ୍ଲାର ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକମାନେ ମଧ୍ୟ ଏହି ଭିଡ଼ିଓ କ‌ନ‌ଫରେନ୍ସିଂରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର