ବ୍ରହ୍ମପୁର ସହରର କିଛି ଜିମ୍ ଖୋଲା, ଆଉ କେତେକ ଏବେ ବି ବନ୍ଦ

ବ୍ରହ୍ମପୁର: ଚାଲିଛି ଅନ୍‌ଲକ୍‌-୩। ରାଜ୍ୟର ପ୍ରମୁଖ ହଟ୍‌ସ୍ପଟ୍ ଗଞ୍ଜାମ ଜିଲ୍ଲାରେ କଟକଣାକୁ କିଛି ମାତ୍ରାରେ ‌କୋହଳ କରାଯାଇଥିବା ଦୋକାନବଜାର ଖୋଲିବା ଲାଗି ଅଧିକ ସମୟ ଦିଆଯାଇଛି। ଏଥିରେ ସାମିଲ୍ ହୋଇଛି ଜିମ୍। ସାଢ଼େ ୪ ମାସ ପରେ ଜିମ୍‌ ଓ ଯୋଗ କେନ୍ଦ୍ର ଖୋଲିବା ପାଇଁ ଅନୁମତି ମିଳିଛି। କିନ୍ତୁ ଜିମ୍ ପାଇଁ ବହୁ ନିୟମ ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସହରର କିଛି ଜିମ୍ ଖୋଲିଥିବା ବେଳେ ଆଉ କେତେକ ଜିମ୍ ଏଯାଏ ବନ୍ଦ ରହିଛି। ଗୋଟିଏ ମାଲିକ ସଂକ୍ରମିତ ଭୟ‌ରେ ଜିମ୍ ଖୋଲୁ ନଥିବା ବେଳେ ଅନ୍ୟପଟେ ଜିମ୍ ଖୋଲିଥିଲେ ବି ଆଶଙ୍କାରେ ଯୁବଗୋଷ୍ଠୀ ଅଭ୍ୟାସ ପାଇଁ ଯାଉନାହାନ୍ତି। ଫଳରେ ସହରରେ ଆଜି ସୁଦ୍ଧା ସମସ୍ତ ଜିମ୍ ସେଣ୍ଟର ଖୋଲିପାରି ନାହିଁ।
ଜୀବନଶୈଳୀ ବଦଳିବା ସାଙ୍ଗକୁ ସମସ୍ତେ ଫିଟ୍ ରହିବାକୁ ଚାହୁଁ ଥିବାରୁ ବର୍ତ୍ତମାନ ଯୋଗ କେନ୍ଦ୍ର ଓ ଜିମ୍ ସେଣ୍ଟର୍‌ର ଚାହିଦା ଦିନକୁ ଦିନ ବଢ଼ୁଛି। ସହରର ବହୁସ୍ଥାନରେ ଜିମ୍ ଖୋଲାଯାଇଥିବା ନୂତନ ଓ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ଶିକ୍ଷା ଦିଆଯାଉଛି। ବିଭିନ୍ନ ବର୍ଗର ଲୋକ ଜିମ୍‌କୁ ଯାଉଥିବା ବେଳେ ଯୁବଗୋଷ୍ଠୀ ଓ ଗୃହିଣୀଙ୍କ ମଧ୍ୟରେ ଏହାର ଚାହିଦା ଅଧିକ।
କିନ୍ତୁ କ‌ରୋନା ମହାମାରୀ ଯୋଗୁଁ ସାମାଜିକ ଦୂରତ୍ବ ଭଙ୍ଗ ହେବା ଆଶଙ୍କାରେ ମାର୍ଚ୍ଚ ମାସରୁ ଜିମ୍ ଓ ଯୋଗ କେନ୍ଦ୍ର ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଜିମ୍‌ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ‌ଏହାକୁ ଖୋଲିବା ପାଇଁ ଅନୁମତି ଦେବାକୁ ଇନଷ୍ଟ୍ରକ୍ଟର୍ ଓ ମାଲିକ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ସାଢ଼େ ୪ ମାସ ପରେ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦେଇଛନ୍ତି।
କିନ୍ତୁ ଅର୍ଦ୍ଧାଧିକ ସେଣ୍ଟର୍ ଏଯାଏ ଖୋଲିନି। ଯାହାବି ଖୋଲିଛି ତାହାକୁ ନିୟମାବଳୀ ଅନୁସାରେ ସଂପୂର୍ଣ୍ଣ ସାନିଟାଇଜ୍ କରାଯାଉଛି। ଜିମ୍‌କୁ ଆସୁଥିବା ଲୋକ ମାନଙ୍କ ପାଇଁ ମାସ୍କ୍ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

ସେମାନେ ଯାହା କହନ୍ତି….
ଅଜିତ୍ କୁମାର ପାତ୍ର, ଜିମ୍ ମାଲିକ
ସାଢ଼େ ୪ ମାସ ପରେ ଜିମ୍ ସେଣ୍ଟର୍ ଖୋଲିବା ପରେ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରିବା ସହ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବ୍ୟାୟାମ ପାଇଁ ଆସୁଥିବା ଯୁବକଯୁବତୀ ମାନେ ମାସ୍କ୍ ଓ ଗ୍ଲୋବ୍‌ସ୍ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର କରୁଛନ୍ତି। ଜୋତା ବାହାରେ ରଖିବା ସହ ନିଜ ଘରୁ ପାଣି ବୋତଲ ଆଣିଛନ୍ତି। ସେମାନଙ୍କ ଶରୀରର ତାପମାତ୍ରାକୁ ଯାଞ୍ଚ କରାଯାଉଛି। ବର୍ତ୍ତମାନ ୫ରୁ ୬ଜଣ ହିଁ ଆସୁଛନ୍ତି।
ଗତ ୪ ମାସ ଧରି ଘର ଭଡ଼ା ବାବଦକୁ ୫୦ ହଜାର ଓ ୨ ଜଣ‌ ଟ୍ରେନର୍‌ଙ୍କୁ ୧୮ ହଜାର ଦରମା ଦିଆଯାଇନି। ଏଭଳି ସ୍ଥିତିରେ ଜିମ୍ ଖୋଲିବା ନ ଖୋଲିବା ଭଳି ସମାନ ହୋଇଛି।

ଦୀପକ ମହାନ୍ତି, ଜିମ୍ ମାଲିକ
ଜିମ୍ ଖୋଲିବା ପାଇଁ ସୁଯୋଗ ମିଳିଛି। କିନ୍ତୁ ବ୍ରହ୍ମପୁର ସହରରେ ସଂକ୍ରମଣକୁ ଦେଖି ଭୟ ଲାଗୁଛି। ଜିମ୍ ସେଣ୍ଟରରେ ଯୁବକମାନ‌େ ବ୍ୟାୟାମ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ନିଜ‌େ ସୁସ୍ଥ ରହିପାରିବେ। କିନ୍ତୁ ସେମାନେ ଯଦି ଏଠି ସଂକ୍ରମିତ ହୋଇ ଘରକୁ ଗଲେ ତାହେଲେ ପରିବାରରେ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଶିଶୁ ସଂକ୍ରମଣ ହେବାର ଭୟ ମଧ୍ୟ ରହୁଛି। ଏଣୁ ସଂକ୍ରମିତ ସଂଖ୍ୟା କମି ସ୍ଥିତିରେ ସୁଧାର ଆସିଲେ ଜିମ୍ ସେଣ୍ଟର ଖୋଲିବ।

ଏସ୍.ରାଜେଶ ଆଚାରୀ, ଜିମ୍ ମାଲିକ
ବ୍ରହ୍ମପୁର ଏବଂ ଆସିକା ଠାରେ ଥିବା ମ‌ୋର ୩ଟି ଜିମ୍ ସେଣ୍ଟରକୁ ପ୍ରତିଦିନ ବହୁ ଲୋକ ଆସୁଛନ୍ତି। କିନ୍ତୁ ଏବେ ସରକାର ନିୟମ ରଖିଛନ୍ତି ଅଳ୍ପ ସଂଖ୍ୟକ ଲୋକେ ଆସିବେ। ଏଭଳି ‌କ୍ଷେତ୍ରରେ କାହାକୁ ଆସିବାକୁ ମନା କରିବୁ। ପୁଣି ଅଧିକ ସମୟ ମଧ୍ୟ ବ୍ୟାୟାମ କରିପାରିବେ ନାହିଁ। ଏଥିସହ ସଂକ୍ରମଣ ଭୟ ଥିବାରୁ ମଧ୍ୟ ଜିମ୍ ସେଣ୍ଟର ଖୋଲାଯାଇନି।

ଦିପାଂଶୁ ସାହୁ, ସ୍ଥାନୀୟ ଯୁବକ
ପୂର୍ବରୁ ପ୍ରତିଦିନ ଦୁଇ ଓଳା ବ୍ୟାୟାମ କରିବାକୁ ଆସୁଥିଲି। କିନ୍ତୁ ଲକ୍‌ଡାଉନ୍ ପରଠୁ ସେଣ୍ଟର ବନ୍ଦ ଥିବାରୁ ଘରେ ହିଁ କିଛି ବ୍ୟାୟାମ କରୁଥିଲି। ଘରେ ସମସ୍ତ ପ୍ରକାର ସାମଗ୍ରୀ ନଥିବାରୁ ବଡ଼ ଅସୁବିଧା ହେଉଥିଲା। ଅଧିକାଂଶ ସମୟରେ ସାଇକେଲ୍ ହିଁ ଚଲାଉଥିଲା। ଏବେ ଜିମ୍ ସେଣ୍ଟର ଖୋଲିଥିବାରୁ ବହୁତ ଖୁସି ଲାଗୁଛି, କିନ୍ତୁ ମାସ୍କ ପିନ୍ଧି ବ୍ୟାୟାମ କରିବାରେ ବହୁ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର