୧୯ ବର୍ଷ ଧରି ଅଟକି ରହିଛି ହାବେଳୀ ପଡ଼ିଆ ମାର୍କେଟ୍ କମ୍ପ୍ଲେକ୍ସ;  ୧୪ ଜିଲ୍ଲାପାଳ ବଦଳିଲେ, ୩ ଥର ଯୋଜନା ହୋଇ ଫେଲ୍

ବେଆଇନ କ୍ୟାବିନ୍ ସଂଖ୍ୟା ୫୪୦ରୁ ବଢ଼ି ୧୨୦୦

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ସଦରମହକୁମା ଖୋର୍ଦ୍ଧା ସହରର ରାସ୍ତାଘାଟକୁ ବେଆଇନ କ୍ୟାବିନ୍ରୁ ମୁକ୍ତ କରିବାକୁ ଗତ ୧୯ ବର୍ଷ ଧରି ଅଭିଯାନ ଚାଲିଛି । ଏହା ମଧ୍ୟରେ କ୍ୟାବିନ୍ ସଂଖ୍ୟା ୫୪୦ରୁ ବୃଦ୍ଧି ପାଇ ୧୨୦୦ ଛୁଇଁଛି । ବ୍ୟବସାୟୀ ସଂଘ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୩ ହୋଇଛି । ୧୪ଟି ଜିଲ୍ଲାପାଳ ବଦଳି ହୋଇ ଚାଲିଯାଇଥିବା ବେଳେ ତିନି ତିନି ଥର ଯୋଜନା ହୋଇ ଫେଲ୍ ମାରିଛି । କିନ୍ତୁ ରାସ୍ତାକଡ଼, ନାଳ, ସରକାରୀ ଜମିରେ ଜବରଦଖଲ କରିରହିଥିବା କ୍ୟାବିନ୍କୁ ହଟାଯାଇପାରୁନାହିଁ କି ସେମାନଙ୍କୁ ଥଇଥାନ କରିବାକୁ ଯୋଜନା ହୋଇଥିବା ହାବେଳୀ ପଡ଼ିଆ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହୋଇପାରୁନାହିଁ ।

ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ଖୋର୍ଦ୍ଧାର ନାଳ, ସଡ଼କ ଓ ସରକାରୀ ଜମି ଜବରଦଖଲ କରି ରହିଥିବା ଦୋକାନଗୁଡ଼ିକୁ ଚିହ୍ନଟ କରିଛି । ମାଇକ୍ ଦ୍ୱାରା ତିନିଥର ପ୍ରଚାର କରାଯାଇ ଜବରଦଖଲ ସ୍ଥାନରୁ ହଟିଯିବାକୁ ନିଦେ୍ର୍ଦଶ ଦିଆଯାଇଛି । କେବଳ ଏହାନୁହେଁ ଦୁଇଥର ପୌର ପ୍ରଶାସନ ପକ୍ଷରୁ ରାସ୍ତା ଉପରେ ଥିବା ଦୋକାନଗୁଡ଼ିକୁ ପୋକ୍ଲିନ୍ ଲଗାଇ ଭଙ୍ଗାଯାଇଛି । କିନ୍ତୁ ସହରରେ ବେଆଇନ କ୍ୟାବିନ୍ ସଂଖ୍ୟା କମିବା ପରିବର୍ତେ ବଢ଼ିବାରେ ଲାଗିଛି । ୨୮ ତାରିଖରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ବ୍ୟବସାୟୀ ସଂଘର କର୍ମକର୍ତା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ସାକ୍ଷାତ କରି ବେଆଇନ କ୍ୟାବିନ୍ ହଟାଇବା ଅଭିଯାନକୁ ସ୍ଥଗିତ ରଖିବାକୁ ଅନୁରୋଧ କରି ବିଫଳ ହୋଇ ଫେରିଥିଲେ । ଗତକାଲି ରାତିରେ ପୂର୍ତ ବିଭାଗ ଡାକବଙ୍ଗଳାରେ ଦୁଇ ବିଧାୟକଙ୍କୁ ନେଇ ବୈଠକ ହୋଇଥିଲା । ବୈଠକରେ ବ୍ୟବସାୟୀ ସଂଘ ଆନେ୍ଦାଳନ କରିବାକୁ ପ୍ରସ୍ତାବକୁ ବିଧାୟକ ଦ୍ୱୟ ନାପସନ୍ଦ କରି ପ୍ରଶାସନ ସହ ସହଯୋଗ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ୨୦୦୩ରେ ତତ୍କାଳୀନ ଜିଲ୍ଲାପାଳ ମଧୁସୂଦନ ପାଢ଼ୀ ରାସ୍ତା, ପୁରୁଣା ବସ୍ଷ୍ଟାଣ୍ଡ ରାସ୍ତା, ପୁରୁଣା ହସ୍ପିଟାଲ୍ ରାସ୍ତା ଓ ମାରୁୱାଡି ପଟି ଠାରୁ ନୟାଗଡ଼ ରାସ୍ତାର ଉଭୟ କଡ଼, ନାଳ ଓ ସରକାରୀ ଜମିରେ ଜବରଦଖଲ କରି ଦୋକାନ କରିଥିବା ୫୪୦ଟି ଦୋକାନକୁ ହଟାଇବାକୁ ପଦକ୍ଷେପ ନେଇଥିଲେ । ଦୋକାନୀମାନଙ୍କୁ ହାବେଳୀ ପଡ଼ିଆକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା । ଏଥିପାଇଁ ପଡ଼ିଆର ୨.୭୩୦ ଏକର ଜମି ଚିହ୍ନଟ କରାଯାଇ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଏକ ବ୍ଲୁପ୍ରିଂଟ୍ ପ୍ରସ୍ତୁତ ହୋଇଥିଲା । ଏହି ସମୟରେ ବର୍ତମାନ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ ପୌର ପରିଷଦର ଅଧ୍ୟକ୍ଷ ଥିଲେ ଓ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ବିଧାୟକ । ଦୋକାନ ନିର୍ମାଣ କରିବାକୁ ୫୪୦ ଦୋକାନୀଙ୍କ ପକ୍ଷରୁ ପୌର ପରିଷଦ ୩୪୦୦ଟଙ୍କା ଲେଖାଏଁ ଆଦାୟ କରିଥିଲା । ତେବେ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ଆଗେଇ ପାରିନଥିଲା । ଦୀର୍ଘ ୧୨ ବର୍ଷ ମଧ୍ୟରେ ଆସିଥିବା ପରବର୍ତୀ ଜିଲ୍ଲାପାଳମାନେ ମଧ୍ୟ ଏଦିଗରେ ସମ୍ୟକ ଚେଷ୍ଟା କରି ବିଫଳ ହୋଇଥିଲେ । ୨୦୧୫ରେ ଏହି ଯୋଜନାକୁ ବିଡିଏକୁ ହସ୍ତାନ୍ତର କରାଯାଇଥିଲା । ସେହିବର୍ଷ ବିଡିଏ ହାବେଳୀ ପଡ଼ିଆ ଚାରିପଟେ କେବଳ ପାଚେରୀ ନିର୍ମାଣ କରି ଚୁପ ବସିଥିଲା ।

୪ ଅପ୍ରେଲ୍ ୨୦୧୮ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ)ର ୧୩୭ତମ ବୈଠକରେ ଖୋର୍ଦ୍ଧାର ବିକାଶ ପାଇଁ ବିସ୍ତୃତ ଆଲୋଚନା ହୋଇ କେତେକ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ, ହାବେଳୀ ପଡ଼ିଆର ୨.୧୬ ଏକ ପରିମିତ ସ୍ଥାନରେ ୬୨୪ଟି ଦୋକାନ ଘର ସହ ଏକ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଯୋଜନା କରିଥିଲା । ଏହି ଯୋଜନା ଅନୁସାରେ, ଗାଡ଼ି ଆଦି ରଖିବାକୁ ସ୍ଥାନ ସହ ତିନି ମହଲା କରାଯିବ । ଏଥିରେ ଲୋକଙ୍କ ଯିବାଆସିବା ପାଇଁ ଉଭୟ ସିଡି ଓ ଲିଫ୍ଟ ରହିବ, କମ୍ପ୍ଲେକ୍ସର ଗୋଟିଏ ପଟେ ମାଛ-ମାଂସ ଦେକାନ, ଶୌଚାଳୟ, ମାପ ଓ ଓଜନ ବିଭାଗର କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପ ରହିବ । ଏହି ଯୋଜନା ପାଇଁ ୩୦ କୋଟି ୮୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କେବଳ ଏହାନୁହେଁ ପ୍ରଥମ ପର୍ଯ୍ୟାୟରେ ୧.୧୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ବସଷ୍ଟାଣ୍ଡ ଓ ହାବେଳୀ ପଡ଼ିଆ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ୩ କୋଟି ଟଙ୍କା ଅନୁଦାନ ଦେବାକୁ ନିଷ୍ପତ୍ତି ହୋଇଥିଲା । ତେବେ ପରବର୍ତୀ ସମୟରେ ପୂର୍ବ ଦୁଇଟି ପ୍ରକଳ୍ପ ସ୍ଥଗିତ ରହିଯାଇଥିବା ବେଳେ ମିଳିଥିବା ବଜେଟ୍ ଅନୁଦାନକୁ ପରିବର୍ତିତ କରାଯାଇ ଜୟୀ ରାଜଗୁରୁ ଭବନର ନବୀକରଣ, ନୂତନ ଓ ଅତ୍ୟାଧୁନିକ ଶ୍ମଶାନ, ବରୁଣେଇରେ ଆଧୁନିକ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ବିନିଯୋଗ ହୋଇଥିଲା ।

ଏଭଳି ସ୍ଥିତିରେ, ଗୋଟିଏ ପଟେ ସହରକୁ ଜବରଦଖଲ ମୁକ୍ତ କରି ମୁକ୍ତ ଗମନାଗମନର ସୁବିଧା ଯୋଗାଇବା ପ୍ରସଙ୍ଗ ରହିଥିବା ବେଳେ ଆରପଟେ ଦୋକାନ କରି ଜୀବିକା ଉପାର୍ଜନ କରୁଥିବା ପରିବାରଙ୍କ ଥଇଥାନ କଥା ମଧ୍ୟ ଦୁଇ ଛକରେ ଅଟକି ରହିଛି । ବର୍ତମାନ ରାଜନୈତିକ ପଶାପାଲିରେ ସହରକୁ ଜବରଦଖଲ ମୁକ୍ତ କରିବା ଅଭିଯାନ ପୁଣି ଅଟକି ଯିବ ନା ଦୋକାନୀଙ୍କ ଥଇଥାନ ପାଇଁ ଠୋସ୍ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର