ଗୁଳିମାଡ଼ରେ ଆଇଆର୍‌ବି ହାବିଲଦାର ମୃତ ଘଟଣା : ଖସିଗଲା, ଏବେ ଧରିବ ପୁଲିସ୍‌ର ୪ ଟିମ୍‌!

ଢେଙ୍କାନାଳ : ଆର୍‌ବିଆଇ ହାବିଲ୍‌ଦାରଙ୍କୁ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ଢେଙ୍କାନାଳ ପୁଲିସ୍‌ ୪ଟି ଟିମ୍‌ ଗଠନ କରିଛି। ଦୁଇ ଦିନ ଧରି ଉଦ୍ୟମ ଚଳାଇଛି ମାତ୍ର ଧରିବା ପାଇଁ ସକ୍ଷମ ହୋଇନାହିଁ।

ଅଭିଯୁକ୍ତ ଜଣକ ହେଲେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ। ଗତ ୧୩ ତାରିଖ ରାତିରେ ଦୋଳଯାତ୍ରା ଚାଲୁଥିବା ସମୟରେ ସାମାନ୍ୟ ବଚସାରୁ ଶ୍ରୀକାନ୍ତଙ୍କ ଗୁଲିମାଡ଼ରେ ଆଇଆର୍‌ବି ହାବିଲ୍‌ଦାର ରାମଚନ୍ଦ୍ର ସାହୁ(୪୫)ଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍ ଉପସ୍ଥିତିରେ ଏଭଳି ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯିବାରେ ସଫଳ ହୋଇଥିଲା। ଶ୍ରୀକାନ୍ତଙ୍କ ଫେରାର୍‌କୁ ନେଇ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ରହିଥିବାବେଳେ ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏ ସଂପର୍କରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ୪ଟି ଦଳ ବିଭିନ୍ନ ଆଡ଼କୁ ଯାଇ ଅଭିଯୁକ୍ତକୁ ଧରିବା ପାଇଁ ଚଢଉ ଜାରି ରଖିଛନ୍ତି। ଏଥିସହ ଗ୍ରାମରେ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯାଇଛି ।

ଅନ୍ୟପଟେ, ଶ୍ରୀକାନ୍ତ ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ରହିଥିବା ଜଣାପଡ଼ିଛି। ୧୯୯୯ ମସିହାରେ ପୁଲିସ୍ ଜାତୀୟ ନିରାପତ୍ତା ଆଇନରେ ତାଙ୍କୁ ଗିରଫ କରିଥିଲେ। ଜେଲ୍‌ରୁ ବାହାରିବା ପରେ ମଧ୍ୟ ସେ ବହୁ ଛୋଟବଡ଼ ଅପରାଧ ଘଟଣାରେ ଜଡ଼ିତ ରହିବା ସହ ଗ୍ରାମବାସୀଙ୍କୁ ଭୟଭୀତ କରାଇ ନିଜର ପ୍ରଭାବ ବିସ୍ତାର କରିଥିଲେ।

ସମ୍ବନ୍ଧିତ ଖବର