ପୁରୀ: ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି। ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଗାଳିମନ୍ଦ କରିଛନ୍ତି। ପ୍ରବଳ ପାଟିତୁଣ୍ଡ ଓ ନାରାବାଜି କରିଛନ୍ତି। ବୃନ୍ଦାବତୀନିବାସ ଫାଟକକୁ ଠେଲାପେଲା କରିବା ସହ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି।

Advertisment

ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏଣୁ ହବିଷିଆଳିମାନେ ଗତକାଲିଠାରୁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି। ପୂର୍ବରୁ ୩ହଜାରରୁ ଅଧିକ ହବିଷିଆଳି ବିଭିନ୍ନ ଶିବିରରେ ରହୁଥିଲେ। କିନ୍ତୁ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ହବିଷିଆଳି ଯୋଜନାରେ ଜିଲ୍ଲା ପ୍ରଶାସନ ୨୫ଶହ ଲୋକଙ୍କ ରହିବା ବ୍ୟବସ୍ଥା କରିଛି। ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣମଣ୍ଡପ ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଗୃହରେ ଖୋର୍ଦ୍ଧା ଜିଲ୍ଲାର ହବିଷିଆଳି ଏବଂ ବୃନ୍ଦାବତୀନିବାସରେ ବାକି ୨୯ଟି ଜିଲ୍ଲାର ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଅନ୍ୟପଟରେ ହବିଷିଆଳି ଯୋଜନାରେ ରହିବାକୁ ସାରା ରାଜ୍ୟରୁ ୩୬ରୁ ଅଧିକ ବ୍ରତଧାରୀମାନେ ନାମ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ କାଣ୍ଟଛାଣ୍ଟ କରି ୨୫ଶହଙ୍କୁ ରହିବା ବ୍ୟବସ୍ଥା କରାଯାଇଛି ଓ ବାକି ପ୍ରାୟ ୧୧ଶହ ଆବେଦନପତ୍ରକୁ ନାକଚ କରାଯାଇଛି। ହେଲେ ନାକଚ ହୋଇଥିବା କିଛି ଆବେଦନକାରୀ ବିଭିନ୍ନ ଶିବିରରେ ପହଞ୍ଚିଛନ୍ତି। ଏଥିସହ ବିନା ପଞ୍ଜୀକରଣରେ ଆଜି ୫ଶହରୁ ଅଧିକ ବୃଦ୍ଧା ବ୍ରତଧାରୀ ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜିଦ୍‌ ଧରିଛନ୍ତି। ଯାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦାୟିତ୍ବରେ ଥିବା ଅଧିକାରୀମାନେ ଏହି ବୃଦ୍ଧାମାନଙ୍କୁ ବୁଝାଇ ବୁଝାଇ ନାକେଦମ୍‌ ହୋଇଛନ୍ତି। ତଥାପି ସେମାନେ ବୁଝିବାକୁ ନାରାଜ। 
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବୃନ୍ଦାବତୀନିବାସରେ ପ୍ରାୟ ୧୬୧୮ଜଣ ହବିଷିଆଳି ରହିବାର ବ୍ୟବସ୍ଥା ରହିଛି।

 ରହିବେ ୨୫ଶହ, ପହଞ୍ଚିଲେଣି ୪ ହଜାର
ବିଧବା ଓ ପୂର୍ବବର୍ଷ ରହି ନଥିବା ବ୍ରତଧାରୀଙ୍କୁ ପ୍ରାଧାନ୍ୟ ଦେଇଛୁ: ଜିଲ୍ଲାପାଳ

ଆଜି ସନ୍ଧ୍ୟା ସୁଦ୍ଧା ୧୨ଶହରୁ ଅଧିକ ହବିଷିଆଳି ଏଠାରେ ପହଞ୍ଚି ସାରିଛନ୍ତି। ସେହିଭଳି ବଗଲା, ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଓ ମୋଚିସାହି କଲ୍ୟାଣମଣ୍ଡପରେ ୭୮୮ଜଣ ହବିଷିଆଳି ରହିବାର ବ୍ୟବସ୍ଥା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ବଗଲା ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ରେ ୩୦୪ଜଣ ଓ ମୋଚିସାହି କଲ୍ୟାମଣ୍ଡପରେ ୩୦୦ଶହରୁ ଅଧିକ ହବିଷିଆଳି ପହଞ୍ଚି ସାରିଛନ୍ତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଆମେ ପୂର୍ବରୁ ବାରମ୍ବାର ସ୍ପଷ୍ଟ କରି ସାରିଛୁ କି ଚଳିତବର୍ଷ ୨୫ଶହ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ସେଠାରେ ରହିବା ପାଇଁ ବିଧବା ଓ ପୂର୍ବବର୍ଷ ହବିଷିଆଳି ଯୋଜନାରେ ସାମିଲ୍‌ ହୋଇନଥିବା ବ୍ରତଧାରୀମାନଙ୍କୁ ପ୍ରଧାନ୍ୟ ଦେଇଛୁ। ସେମାନଙ୍କ ରହିବା, ଖାଇବା, ଭଜନକୀର୍ତ୍ତନ ଆଦିର ବ୍ୟବସ୍ଥା କରିଛୁ। ପଞ୍ଜୀକୃତଙ୍କ ଭିତରୁ କେଉଁମାନେ ରହିବାକୁ ଯୋଗ୍ୟ ଓ ଅଯୋଗ୍ୟ ବିବେଚିତ ହୋଇଛନ୍ତି, ସେ ସଂପର୍କରେ ମୋବାଇଲ୍‌ ନମ୍ବରରେ ଜଣାଇଛୁ। ଏହାସତ୍ତ୍ବେ ବି ଅନେକ ବିନା ପଞ୍ଜୀକରଣରେ ହବିଷିଆଳି ଶିବିରରେ ପହଞ୍ଚିଛନ୍ତି। ଆମେ କେବଳ ୨୫ଶହ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରିଛୁ, ସେହି ଅନୁସାରେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଣୁ ବିନା ପଞ୍ଜୀକରଣ ଓ ଅନ୍ୟ ବ୍ରତଧାରୀଙ୍କୁ ରଖିବା ସମ୍ଭବପର ନୁହେଁ। ବାରମ୍ବାର କହି ବି ଯଦି ବ୍ରତଧାରୀମାନେ ବିନା ପଞ୍ଜୀକରଣରେ ପହଞ୍ଚିବେ, ଆମେ କ’ଣ କରିପାରିବୁ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି।

ହବିଷିଆଳିମାନେ ଅଭିଯୋଗ କରିଛନ୍ତି, ଗତବର୍ଷ ୫ଟି ଜାଗାରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଚଳିତବର୍ଷ ୪ଟି ଜାଗାରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ବାଗେଡିଆ ଧର୍ମଶାଳାରେ ଚଳିତବର୍ଷ କୌଣସି ହବିଷିଆଳିଙ୍କୁ ରଖିବା ବ୍ୟବସ୍ଥା କରାଯାଇନି। ସେପଟେ ଆଉ ରହିବା ପାଇଁ ସେଭଳି ମଠ, ମନ୍ଦିର ବି ନାହିଁ। ଏଣୁ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଏତେ କାଣ୍ଟଛାଣ୍ଟ କାହିଁକି? ଯାହା ହବିଷିଆଳିଙ୍କ ରହିବାରେ ଅସୁବିଧା ସୃଷ୍ଟି କରିଛି ବୋଲି ହବିଷିଆଳିମାନେ ଅଭିଯୋଗ କରିଛନ୍ତି।