ପୁରୀ : ସୋମବାରଠାରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ସେବନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। କୋଭିଡଜନିତ କଟକଣାର ୩ ବର୍ଷ ପରେ ପୁଣିଥରେ ବ୍ରତଧାରୀ ହବିଷ୍ୟାଳୀଙ୍କ ଗହଳଚହଳରେ ପୂରି ଉଠିଛି ଶ୍ରୀକ୍ଷେତ୍ର। ସେପଟେ କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ ‌ହୋଇଥିବା ବେଳେ ହବିଷ୍ୟାଳୀମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶରେ ଦର୍ଶନ କରିଛନ୍ତି। ହବିଷ୍ୟାଳୀ ଶିବିର ବି ଭଜନକୀର୍ତ୍ତନରେ ପ୍ରକମ୍ପିତ ହୋଇଛି।

Advertisment

publive-image

ଗତ ୬ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ନୀତିକାନ୍ତି ଆରମ୍ଭ ହୋଇସାରିଛି। ଏହି ଅବସରରେ ମହାପ୍ରଭୁ ଦୈନିକ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ରାଇଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସେହିଭଳି ଦୈନିକ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଭିତରେ ବାଳଧୂପ ନୀତି ସମ୍ପନ୍ନ ହେବ ବୋଲି ଚୂଡ଼ାନ୍ତ ହୋଇଛି। କାର୍ତ୍ତିକ ମାସରେ ପ୍ରତିଦିନ ‌ଭୋର ୪ଟାରେ ଦ୍ବାରଫିଟା ନୀତି ସମ୍ପନ୍ନ କରିବାକୁ ବି କୁହାଯାଇଛି। ଦୈନନ୍ଦିନ ନୀତିକାନ୍ତି ପରେ ରାତି ୧୨ଟା ସୁଦ୍ଧା ପହୁଡ଼ କରିବାକୁ ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହୋଇଛି। କିନ୍ତୁ କାର୍ତ୍ତିକ ବ୍ରତ ଆରମ୍ଭର ପ୍ରଥମଦିନରୁ ନୀତିକାନ୍ତିରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଗତକାଲି ନୀତିକାନ୍ତି ବିଳମ୍ବ ହେବାସହ ଭୋର୍‌ ପ୍ରାୟ ୪ଟା ୪୫ରେ ସଂଧ୍ୟା ଆଳତି ଶେଷ ହେବାରୁ ବିନା ପହୁଡ଼ରେ ଶ୍ରୀଜିଉଙ୍କ ଆଜିର ନୀତିକାନ୍ତି ଆରମ୍ଭ ହୋଇଛି। ସକାଳ ୫ଟା ବଦଳରେ ୭ଟାରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି। ସାଢ଼େ ୩ ଘଣ୍ଟା ବିଳମ୍ବ ଅର୍ଥାତ୍‌ ସକାଳ ୬ଟା ବଦଳରେ ସକାଳ ସାଢ଼େ ୯ଟାରେ ହବିଷ୍ୟାଳୀ ଓ ଭକ୍ତମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି। ପୂର୍ବାହ୍ଣ ୧୦ଟା ବଦଳରେ ଅପରାହ୍ନ ସାଢ଼େ ୧ଟାରେ ବାଳଧୂପ ନୀତି ସମ୍ପନ୍ନ ହୋଇଛି।