ପୁରୀ/ଭୁବନେଶ୍ବର : ଆଜିଠାରୁ ପବିତ୍ର କାର୍ତିକ ବ୍ରତ ଆରମ୍ଭ ହୋଇଛି। ଏ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ପୁରୀରେ ହବିଷ୍ୟାଳିଙ୍କ ପାଇଁ ଖୋଲା ଯାଇଥିବା ଆଶ୍ରୟସ୍ଥଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସଚିବାଳୟରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳିଙ୍କ ସହ ଭାବର ଆଦାନପ୍ରଦାନ କରିବା ସହ ପୁରୀ ଆସି ସେମାନେ ଖୁସି ନା ନାହିଁ ପଚାରି ବୁଝିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ହବିଷ୍ୟାଳିଙ୍କ ଶୁଭ ମନାସିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ। ଏ ନେଇ ଆଜି ହବିଷ୍ୟାଳି ଆଶ୍ରୟସ୍ଥଳୀ ହୁଳହୁଳିରେ କମ୍ପି ଉଠିଥିଲା।
ଉଦ୍ଘାଟନୀ କାର୍ଯ୍ୟକ୍ରମ ଉପଲକ୍ଷେ ରେଳବାଇ ଯାତ୍ରୀନିବାସ ଆଶ୍ରୟସ୍ଥଳୀରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ଶହ ଶହ ହବିଷ୍ୟାଳିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ଉପସ୍ଥିତ ୫ରୁ ଅଧିକ ହବିଷ୍ୟାଳିଙ୍କ ସହ ଖୋଲା ବାର୍ତାଳାପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, କାର୍ତ୍ତିକ ବ୍ରତ ଅବସରରେ ଆପଣମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା କରାଯାଇଛି। ଆପଣମାନଙ୍କର ପୁରୀ ଠାରେ ରହଣି, ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ଆଦିର ସୁବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆପଣମାନଙ୍କର ଯତ୍ନ ନିଆଯାଉଛି। ଏହି ଅବସରରେ ସେ ହବିଷ୍ୟାଳିଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସେମାନଙ୍କର ସୁଖଶାନ୍ତି କାମନା କରିଥିଲେ।
ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲା ବେଳେ ପୁରୀରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ଜଗତସିଂହପୁର ସାଂସଦ କୁଳମଣି ସାମଲ, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଉଦ୍ଧବ ଚରଣ ମାଝି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଧ ଘଣ୍ଟାର ଭିଡ଼ିଓ କନ୍ଫରେନ୍ସିଂ ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜିଠାରୁ ହବିଷ୍ୟାଳିମାନଙ୍କୁ ମହାପ୍ରସାଦ ବିତରଣ ଆରମ୍ଭ ହୋଇଛି। ନିଜେ ଜିଲ୍ଲାପାଳ, ଉପଜିଲ୍ଲାପାଳ ହବିଷ୍ୟାଳିମାନଙ୍କୁ ମହାପ୍ରସାଦ ବାଣ୍ଟିବା ପରେ ରେଳବାଇ ଯାତ୍ରୀ ନିବାସ ସମେତ ଅନ୍ୟ ତିନିଟି ସ୍ଥାନରେ ମହାପ୍ରସାଦ ବିତରଣ କରାଯାଇଥିଲା। ସୂଚନାଥାଉକି, ଚଳିତ ବର୍ଷ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରାଯାଇଛି। ରାଜ୍ୟର ୨୬୪୯ ଜଣ ହବିଷ୍ୟାଳି ନାମ ପଞ୍ଜୀକରଣ କରିଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୨୩୦୦ ହବିଷ୍ୟାଳି ଉପରୋକ୍ତ ଚାରି ଆଶ୍ରୟସ୍ଥଳୀରେ ଆସି ରହିଛନ୍ତି। ବସଷ୍ଟାଣ୍ଡ୍, ରେଳ ଷ୍ଟେସନ ଆଦି ସ୍ଥାନରେ ସହାୟତା କେନ୍ଦ୍ର ଖୋଲାଯାଇଛି। ଚିକିତ୍ସା ପାଇଁ ଡାକ୍ତରୀ ଦଳ ସାଙ୍ଗକୁ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳିମାନେ ଶ୍ରୀମନ୍ଦିରକୁ ଯିବାଆସିବା ଲାଗି ବସ୍ ସେବାର ବ୍ୟବସ୍ଥା ମଧ୍ୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/CM.jpg)