ସାତପାହାଚରେ ବଦଳୁନି ସ୍ଥିତି : ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ହବିଷ୍ୟାଳି

ପୁରୀ : ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ହବିଷ୍ୟାଳି ଯୋଜନା ଆରମ୍ଭ କରିଛନ୍ତି। ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତଥାପି ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ହବିଷ୍ୟାଳିଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି। ଜିଲ୍ଲା ପ୍ରଶାସନ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲା ରଖିଥିବା କହୁଥିବା ବେଳେ ଗହଳି ସମୟରେ ନିୟୋଜିତ ପୁଲିସମାନେ କିନ୍ତୁ ସେମାନଙ୍କୁ ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାରରେ ଛାଡ଼ୁନଥିବା ହବିଷ୍ୟାଳିମାନେ ଅଭିଯୋଗ କରିଛନ୍ତି। ସେପଟେ ସାତପାହାଚର ଦୟନୀୟ ସ୍ଥିତି ଏବେ ବି ଜାରି ରହିଛି। ଗତ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ ସାତପାହାଚରେ ହବିଷ୍ୟାଳିମାନେ ଠେଲାପେଲା ଭିତରେ ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଉଛନ୍ତି। ଯେଉଁ ହବିଷ୍ୟାଳିମାନଙ୍କ ବୟସ କମ୍ ସେମାନେ କଷ୍ଟେମଷ୍ଟେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଅନ୍ୟମାନେ ଦର୍ଶନ ନପାଇ ନିରାଶରେ ଫେରୁଛନ୍ତି। ଏପରି ପରିସ୍ଥିତିରେ ମାସେ ପର୍ଯ୍ୟନ୍ତ ହବିଷ୍ୟାଳିମାନେ କିପରି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ତା’ ଉପରେ ଗୁରୁତ୍ବ ଦେବାକୁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିଛନ୍ତି। ସିଂହଦ୍ବାର ସମ୍ମୁଖରେ ଏ ନେଇ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। କିନ୍ତୁ ସାତପାହାଚରେ ସେଭଳି କିଛି ବ୍ୟବସ୍ଥା କରାଯାଇନଥିବାରୁ ହବିଷ୍ୟାଳିମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସତ, କିନ୍ତୁ ଅଧିକ ପ୍ରଭାବିତ ହେଉଛନ୍ତି ହବିଷ୍ୟାଳି। ବୟସାଧିକ କାରଣରୁ ଏମାନେ ସାତ ପାହାଚରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଆଜି ମଧ୍ୟ ସାତପାହାଚରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଅନେକ ହବିଷ୍ୟାଳି ମହାପ୍ରଭୁଙ୍କ ଦର୍ଶନ ନପାଇ କାନ୍ଦି କାନ୍ଦି ଫେରିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଆସିଥିବା ହବିଷ୍ୟାଳି ବିଜୟଲକ୍ଷ୍ମୀ ଧଳ (୬୫) କହିଛନ୍ତି, ଜିଲ୍ଲା ପ୍ରଶାସନ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଦର୍ଶନ ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି। ଯେଉଁଥି ପାଇଁ ମହାପ୍ରଭୁଙ୍କ ଦର୍ଶନରୁ ଆମେ ବଞ୍ଚିତ ହେଉଛୁ। ସାତପାହାଚରେ ଠେଲାପେଲାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସମ୍ଭବ ହେଉନି। ପ୍ରଥମ ଦିନ ଠିକରେ ଦର୍ଶନ କରି ଫେରିଥିଲୁ। କିନ୍ତୁ ଆଜିକୁ ମିଶାଇ ତିନିଦିନ ହେଲା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛୁ। ଠେଲାପେଲା ଭିତରେ ଯିବା ସମ୍ଭବ ହେଉନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛୁ। ତଥାପି ଦର୍ଶନ ସମ୍ଭବ ହୋଇ ପାରୁନାହିଁ। ବସ୍‌ ସମୟ ହେବାରୁ ପୁନର୍ବାର ଚାଲି ଆସୁଛୁ। ଯଦି ଦର୍ଶନ ପାଇଁ ହବିଷ୍ୟାଳିଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଆନ୍ତା ତେବେ ମହାପ୍ରଭୁଙ୍କୁ ଦର୍ଶନ ସମ୍ଭବ ହୋଇପାରନ୍ତା। ସମାନ୍‌ କଥା ଦୋହରାଇଛନ୍ତି ଭଦ୍ରକରୁ ଆସିଥିବା ସ୍ନେହଲତା ପଣ୍ଡା (୭୮)। ସେ ବି ତିନି ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିବା କହିଛନ୍ତି। ତାଙ୍କ ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ଚାରିଦ୍ବାର ହବିଷ୍ୟାଳିଙ୍କ ପାଇଁ ଖୋଲାଥିବା କହୁଛନ୍ତି। କିନ୍ତୁ ଆମକୁ ଧାଡ଼ିରେ ଯିବାକୁ ପଡ଼ୁଛି। ସାତପାହାଚରେ ଗହଳି ଭିତରେ ଯିବା କଷ୍ଟକର ହୋଇପଡ଼ୁଛି। ଗହଳି ଭିତରେ ଜୀବନ ଛାଡ଼ିଗଲା ଭଳି ଲାଗୁଛି। ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଫେରିବାକୁ ବାଧ୍ୟ ହେଉଛୁ। ଏହା କେବଳ ଉଦାହରଣ ମାତ୍ର। ଏଭଳି ଅନେକ ହବିଷ୍ୟାଳି ଦୈନିକ ମହାପ୍ରଭୁଙ୍କ ଦର୍ଶନ ନପାଇ ଫେରୁଛନ୍ତି।

ସମ୍ବନ୍ଧିତ ଖବର