ପୁରୀ: ପଞ୍ଜୀକୃତ ହେଲେ ୧୭୪୬ ହବିଷ୍ୟାଳୀ

ପୁରୀ: କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ କାର୍ତ୍ତିକବ୍ରତ ଓ ସେମାନଙ୍କ ରହଣି ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ ହଲ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୩ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଏଥର ପ୍ରାୟ ତିନି ହଜାର ହବିଷ୍ୟାଳୀଙ୍କ ରହିବା ପାଇଁ କ’ଣ ସବୁ ବନ୍ଦୋବସ୍ତ ହୋଇଛି ଜିଲ୍ଲାପାଳ ତା’ର ସମୀକ୍ଷା କରିଥିଲେ। ପୁରୀରେ ୧୭୪୬ ଜଣ ହବିଷ୍ୟାଳୀଙ୍କ ନାମ ପଞ୍ଜୀକୃତ ହୋଇଥିବା ଏହି ଅବସରରେ ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା ସୂଚନା ଦେଇଛନ୍ତି।

ଏଥର ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୯୦୦ ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୫୫୦ ଜଣ ହବିଷ୍ୟାଳୀଙ୍କ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି। ବାହାର ଜିଲ୍ଲାରୁ ହବିଷ୍ୟାଳୀଙ୍କ ନାମ ଆସିବା ବାକି ରହିଛି। ଏଥିପାଇଁ ୧୨ ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଏଥି ସହିତ ସେମାନଙ୍କୁ ସହାୟତା ଦେବା ପାଇଁ ୪୦ ଜଣ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ହବିଷ୍ୟାଳୀଙ୍କ ରହଣି ମହାପ୍ରସାଦ ସେବନ, ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା ଦାୟିତ୍ବରେ ଥିବା ଅଧିକାରୀ ସୂଚନା ଦେଇଥିଲେ। ସ୍ନାନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସ୍ବତନ୍ତ୍ର ତୁଠର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର