ପୁରୀ: ଚଉରା ମୂଳରୁ ଆଉ ସଞ୍ଚରି ଆସିବନି କାର୍ତ୍ତିକ ମାହାତ୍ମ୍ୟର ଗୁଞ୍ଜରଣ। ଦେଖିବାକୁ ମିଳିବନି ସେଇ ବାହା ପ୍ରସାରିତ ଭାବୋଚ୍ଛ୍ବାସ ନୃତ୍ୟ। କାର୍ତ୍ତିକ ସରିବା ପରେ ହବିଷ୍ୟାଳୀଙ୍କ ଘରବାହୁଡ଼ା ଯେମିତି ଶ୍ରୀକ୍ଷେତ୍ର ମାଟିକୁ କିଛି ସମୟ ପାଇଁ ନିଃସ୍ବ କରିଦେଇଛି। ହବିଷିଆଳିମାନେ ଗଣ୍ଠିଲି ବାନ୍ଧି ଘରକୁ ବାହାରୁଥିଲେ ସିନା, କିନ୍ତୁ ମନରେ ଛାଇ ଯାଇଥିଲା ଉଦାସର କଳା ବାଦଲ। ମାସେ କାଳ ରହଣି ମଧ୍ୟରେ ଅଜଣାରୁ ଅନ୍ତରଙ୍ଗ ପାଲଟି ଯାଇଥିବା ବାନ୍ଧବୀମାନଙ୍କୁ ଛାଡ଼ି ଚାଲି ଯାଉଥିବାର ବ୍ୟଥା ସେମାନଙ୍କୁ ମର୍ମାହତ କରୁଥିଲା।
ଶ୍ରୀକ୍ଷେତ୍ର ମାଟି ସତରେ କି ମାୟା ଲଗାଇ ଦେଇଥିଲା କେଜାଣି, ଅନେକ କହୁଥିଲେ ଆଉ କିଛିଦିନ ଏ କାର୍ତ୍ତିକ ଗଡ଼ି ଯାଆନ୍ତାନି। ବାଲେଶ୍ବରର ଜଳେଶ୍ବରରୁ ଆସିଥିବା ୮୭ ବର୍ଷୀୟା ଚାରୁବାଳା ଭୂୟାଁ କହିଛନ୍ତି, ମହାପ୍ରଭୁଙ୍କ ମାଟିରେ କାର୍ତ୍ତିକ ମାସଟା କେମିତି ଚାଲିଗଲା ଜାଣି ହେଲାନାହିଁ। ଲାଗୁଛି ବାପଘର ଆସିଥିଲୁ। ଦିନ ସରିଗଲା, ପୁଣି ଶାଶୂଘରକୁ ଫେରିଯାଉଛୁ। ଆସିବା ବେଳେ ଲକ୍ଷ୍ୟ ଥିଲା ମାସ ସାରା ମହାପ୍ରଭୁଙ୍କ ଦର୍ଶନ କରିବୁ। ମହାପ୍ରସାଦ ଖାଇବୁ। ଭଜନ କୀର୍ତ୍ତନରେ ମଜ୍ଜିଯିବୁ। କିନ୍ତୁ ଏସବୁ ଭିତରେ ବି ବହୁ ଅଚିହ୍ନା ଲୋକ କେତେବେଳେ ଅନ୍ତରଙ୍ଗ ପାଲଟି ଯାଇଥିଲେ ଜାଣି ହେଲାନାହିଁ। ଘରର ମାୟା ବନ୍ଧନ ଛିଣ୍ଡେଇ ଆସିଥିଲୁ। କିନ୍ତୁ ଏଠି ବି ମାୟା ଛାଡ଼ିଲା ନାହିଁ। ଏକାଠି ମିଶି ଭକ୍ତିରସରେ ଭିଜୁ ଭିଜୁ ସମ୍ପର୍କ ଏତେ ଗାଢ଼ ହୋଇଗଲା ଯେ, କାଲିଠୁ ଆଉ କାହା ମନରେ ସରସତା ନଥିଲା। ଆମେ ଏକାଠି ଗୋଟିଏ କକ୍ଷରେ ୧୨ ଜଣ ଥିଲୁ। ଜଣଜଣ ହୋଇ ବିଦାୟ ନେବା ବେଳେ ଆଖି ବୋଲ ମାନୁନଥିଲା। ପାଦ ଅଟକି ଯାଉଥିଲା। ମୁଁ ତ ସଭିଙ୍କ ମା’ ପାଲଟି ଯାଇଥିଲି। କିନ୍ତୁ ଛୋଟପିଲା ଭଳି ମୋତେ ସଭିଏଁ ଗେଲ କରି ପକାଉଥିଲେ। ଏହା କ’ଣ କେବେ ଭୁଲି ହେବ?
ବାଲେଶ୍ବର ମିତ୍ରପୁରରୁ ଆସିଥିବା ମାଳତୀ ମହାପାତ୍ରଙ୍କ କହିବା ମୁତାବକ, ଯେବେ ତାଙ୍କୁ ୨୨ ବର୍ଷ ହୋଇଥିଲା ତାଙ୍କ ସ୍ବାମୀ ଆରପାରିକୁ ଚାଲିଗଲେ। ପୁଅ ୫ ବର୍ଷର ହୋଇଥାଏ। ଜୀବନରେ ବହୁ ଝଡ଼ଝଞ୍ଜାକୁ ସେ ସାମ୍ନା କରିଛନ୍ତି। କିନ୍ତୁ ହବିଷିଆଳି ଶିବିର ଆସିଲେ, ସେ କଥା ମନରୁ ପାସୋରି ହୋଇଯାଏ। ଏଠି ନୂଆ ସମ୍ପର୍କର ସେତୁଟିଏ ଗଢ଼ି ହେବା ଆଗରୁ ଭୁଶୁଡ଼ିଯିବାର ଯନ୍ତ୍ରଣା ବି କମ୍ ନୁହେଁ। ଅଳ୍ପ ଦିନରେ ସମ୍ପର୍କର ସୂତା ଖିଅ ମଜଭୁତ ହୋଇଯାଏ। ଏତେ ଦିନ ରହିଛି, କିନ୍ତୁ ଦିନଟିଏ ବି ଘର କଥା ମନେ ପଡ଼ିନାହିଁ। କେହି ନଥାଇ ବି ଲାଗୁଥିଲା ମୋର ଏଠି ସମସ୍ତେ ଅଛନ୍ତି। ଯେବେ ପୂର୍ଣ୍ଣିମା ନିକଟ ହୁଏ, ମନ ଭାରି ଲାଗେ। ଆଜି ଲୁହରେ କାନି ଭିଜିଯାଇଛି। ବରଗଡ଼ରୁ ଆସିଥିବା ରୀନା ଗନ୍ତାୟତ କହିଛନ୍ତି,ପ୍ରଥମଥର ପାଇଁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ କରିବାର ସୁଯୋଗ ପାଇଛି। ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିଛି। କିଏ ନାନୀ ବୋଲି ଡାକୁଥିଲା ତ ମୁଁ କାହାକୁ ମା’ ବୋଲି ଡାକୁଥିଲି। ଗୋଟିଏ ଥାଳିରେ ମିଶି ଖାଉଥିଲୁ। ବାଛବିଚାର ନଥିଲା, କି ଭେଦଭାବ ନଥିଲା। ମାସେ ପୂର୍ବରୁ କେହି କାହାକୁ ଚିହ୍ନିନଥିଲେ, କିନ୍ତୁ କେଇଦିନରେ ପାଲଟି ଯାଇଥିଲେ ଆପଣାର। ଘରବାହୁଡ଼ା ବେଳେ ଆଖିରୁ ନିଗିଡ଼ି ଆସୁଥିଲା ବିଚ୍ଛେଦର ଲୁହ। କୋଳାଗ୍ରତ ହୋଇ ବିଦାୟ ଜଣାଉଥିବା ବେଳେ ପରସ୍ପରର ଭିଜା ଆଖିକୁ କାନିରେ ପୋଛି ସାନ୍ତ୍ବନା ଦେଉଥିଲେ।