ପୁରୀ : ଦୁଇଦିନ ପରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ବ୍ରତଧାରୀ ବୃଦ୍ଧାଙ୍କ ଗହଳଚହଳରେ ଶ୍ରୀକ୍ଷେତ୍ର ଭରି ଉଠିବ। ଏହାପୂର୍ବରୁ ହବିଷ୍ୟାଳିଙ୍କ ରହଣି ସହ ଖାଇବା, ପାନୀୟ ଆଦିର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ୫ଟି ଜାଗା ସ୍ଥିର କରାଯାଇଛି। ହବିଷ୍ୟାଳିମାନଙ୍କ ରହଣି ପାଇଁ ସ୍ଥିର ହୋଇଥିବା ଜାଗାଗୁଡ଼ିକ ହେଲା, ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ।

Advertisment

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ସର୍କିଟ ହାଉସ୍‌ଠାରେ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ, ହବିଷ୍ୟାଳିମାନେ ପ୍ରଭୁଙ୍କ ଶରଣରେ ରହି ଏକ ମାସ ଅତି ପବିତ୍ରତାର ସହ ରାଇଦାମୋଦର ବ୍ରତ ପାଳନ ପାଇଁ ଆସୁଛନ୍ତି। ସେମାନଙ୍କର ସେବା ଏକ ମହାନ କାର୍ଯ୍ୟ। ଏହାକୁ ନିଷ୍ଠାର ସହ ପାଳନ କରିବା ଦରକାର। ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଉଛି, ଶୃଙ୍ଖଳିତ ନିର୍ବାହ କରିବା ଦରକାର। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଥିଲେ, ଯେହେତୁ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ ହେଉଛି ଓ ବୟସ୍କା ମା’ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି, ପ୍ରଶାସନ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ବ୍ୟବସ୍ଥା କରିଛି। ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ଶ୍ରୀ ସାହୁ କହିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ(ପ୍ରୋଟୋକଲ) ଦିଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପିକେଡିଏ ସଚିବ ଲଲାଟେନ୍ଦୁ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଡେପୁଟି କଲେକ୍ଟର ରାକେଶ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।