ଭୁବନେଶ୍ବର: ଭୁବନେଶ୍ବର ଶ୍ରୀରାମନଗର ଅଞ୍ଚଳର ସୁମନ୍ତ କୁମାର ମିଶ୍ର। ସକାଳୁ ନିଦରୁ ଉଠିଲା ବେଳକୁ କ୍ରେଡିଟ୍ କାର୍ଡରୁ ଚାଲି ଯାଇଛି ୨୫ ହଜାର ୫୦୦ଟଙ୍କା। କାରବାର ବେଳେ ଫୋନ୍ କଲ୍ ଆସିଛା ନା ଓଟିପି। ନା ସେ କାହାକୁ ଓଟିପି ଦେଇଛନ୍ତି। କାର୍ଡ ମନିପର୍ସରେ ଥିଲା, ରାତିରେ ଶୋଇଥିଲେ। ସକାଳୁ କେବଳ ଗୋଟିଏ ମେସେଜ୍ ପାଇବା ପରେ ନିଦ ହଜି ଯାଇଥିଲା। ଏ ନେଇ ସୁମନ୍ତ ଶ୍ରୀଲିଙ୍ଗରାଜ ଥାନାରେ ପ୍ରମାଣ ସହ ଅଭିଯୋଗ ବି କରିଥିଲେ। କିନ୍ତୁ ଫଳ ଶୂନ। ଇଏ ଗୋଟିଏ ଉଦାହରଣ ମାତ୍ର। କିନ୍ତୁ ଏଭଳି ନୂଆ ଫର୍ମୁଲାରେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରି ଦେଉଛନ୍ତି ସାଇବର ଅପରାଧୀ। କ୍ରେଡିଟ୍, ଡେବିଟ୍ କାର୍ଡ ବ୍ୟବହାର କରୁଥିଲେ ସାବଧାନ ହୋଇଯାଆନ୍ତୁ। ନଚେତ୍ କେତେବେଳେ ବି ସାଇବର ଲୁଟ୍ର ଶିକାର ହୋଇପାରନ୍ତି। ନୂଆ ଫର୍ମୁଲାରେ ଲୁଟ୍ କରୁଛନ୍ତି ସାଇବର ଅପରାଧୀ। ବିନା ଫୋନ୍ କଲ୍, ବିନା ଓଟିପିରେ ମାତ୍ର ଗୋଟିଏ କ୍ଲିକ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଉଛି। ଏବେ ସାଇବର ହ୍ୟାକର୍ଙ୍କ ହାତରେ ପ୍ରାୟ ୫ ଲକ୍ଷ ଏଟିଏମ୍ ଓ କ୍ରେଡିଟ୍ କାର୍ଡର ତଥ୍ୟ ରହିଛି। ହ୍ୟାକ୍ କରିଥିବା ସଂସ୍ଥା ଏ ସବୁ ତଥ୍ୟକୁ ବିକ୍ରି କରିବା ଲାଗି ଇଣ୍ଟରନେଟ୍ର କଳା ବଜାର କାରବାର ସାଇଟ୍ କୁହାଯାଉଥିବା ‘ଡାର୍କ ୱେବ୍’ରେ ଛାଡ଼ି ଦେଇଛି। କାର୍ଡଧାରୀଙ୍କ ନାଁ, କାର୍ଡ ନମ୍ବର, ଏକ୍ସପାଏରି ତାରିଖ, ସିଭିଭି ନମ୍ବର, ମୋବାଇଲ ନମ୍ବର ଭଳି ସାଇବର ଅପରାଧୀଙ୍କ ହାତରେ ସମସ୍ତ ତଥ୍ୟ ରହିଛି। ଯାହା ଅନଲାଇନ୍ କାରବାର ବେଳେ ଆବଶ୍ୟକ ହୁଏ, ସେ ସବୁ ତଥ୍ୟ ହ୍ୟାକରଙ୍କ ହାତ ପାହାନ୍ତାରେ। ହ୍ୟାକର୍ ସଂସ୍ଥା ଏ ସବୁ ତଥ୍ୟ ସଂଗ୍ରହ କରିବା ପରେ କମ୍ ସମୟ ଭିତରେ ବିକ୍ରି କରି ଦେବାକୁ ଲକ୍ଷ୍ୟ ରଖିଛି। ଗୋଟିଏ କାର୍ଡକୁ ମାତ୍ର ୫୦୦ଟଙ୍କାରେ ବିକ୍ରି କରିବା ପାଇଁ ସେହି ସାଇଟ୍ରେ ଉଲ୍ଲେଖ କରିଛି ହ୍ୟାକର ସଂସ୍ଥା। ସବୁଠୁ ବଡ଼ କଥା ହେଲା, ଏଭଳି ତଥ୍ୟ ଚୋରି ସମ୍ପର୍କରେ ଦେଶର କୌଣସି ସାଇବର ସିକ୍ୟୁରିଟି ଏଜେନ୍ସିଙ୍କ ପାଖରେ ଖବର ନ ଥିଲା। ସିଙ୍ଗାପୁରର ଏକ ସାଇବର୍ ସିକ୍ୟୁରିଟି ସଂସ୍ଥା ଏ ବିଷୟରେ ଜାଣିବା ପରେ କେନ୍ଦ୍ର ସରକାରଙ୍କ ସଂସ୍ଥା ସର୍ଟ-ଇନ୍(କମ୍ପ୍ୟୁଟର ଏମରଜେନ୍ସି ରେସପନସ୍ ଟିମ୍)କୁ ଅବଗତ କରାଇଛି। ଏଥିରୁ ବର୍ତ୍ତିବା ଲାଗି ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ସେନେଇ ସଂସ୍ଥା ଏବେ ରଣନୀତି ପ୍ରସ୍ତୁତ କରୁଛି। ଖୁବ୍ଶୀଘ୍ର ଏ ସମ୍ପର୍କରେ ସମସ୍ତ ବ୍ୟାଙ୍କକୁ ଗାଇଡ୍ଲାଇନ୍ ଜାରି କରିପାରେ ସର୍ଟ-ଇନ୍।
/sambad/media/post_attachments/wp-content/uploads/2018/04/Hacker.png)
ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ସୁରକ୍ଷା ବ୍ୟବସ୍ଥା ନ ଥିବା ଏଟିଏମ୍ କାଉଣ୍ଟର୍, ପେଟ୍ରୋଲ ପମ୍ପ ଭଳି ସଂସ୍ଥାର ସ୍ବାଇପ୍ ମେସିନରେ କାର୍ଡର ସମସ୍ତ ତଥ୍ୟ କପି କରି ପାରୁଥିବା ଚିପ୍ ବା ସ୍କିମର ଲଗାଇ ଦିଅନ୍ତି ହ୍ୟାକର୍। କାର୍ଡ ବ୍ୟବହାରକାରୀ ସ୍ବାଇପ୍ କରିବା ପରେ ଏସବୁ ତଥ୍ୟ ସେହି ଚିପ୍ରେ ନକଲ ହୋଇଯାଏ। ଆଉ ତଥ୍ୟ ସାଇବର ହ୍ୟାକରଙ୍କ ହାତରେ ଲାଗିଥାଏ। ରେସ୍ତୋରାଁ, ସପିଂ ମଲ୍ ଭଳି କେତେକ ସ୍ଥାନରେ ବ୍ୟବହାରକାରୀ ନିଜେ ସ୍ବାଇପ୍ ନ କରି କର୍ମଚାରୀଙ୍କୁ ଧରାଇ ଦିଅନ୍ତି। ସେଠାରେ ସମ୍ପୃକ୍ତ କର୍ମଚାରୀ କାର୍ଡର ତଥ୍ୟ ଚୋରି କରିବାର ଆଶଙ୍କା ରହିଛି। ସେହିପରି ହ୍ୟାକର୍ କେତେକ ବ୍ୟାଙ୍କ, ପ୍ରତିଷ୍ଠାନର ନକଲି ସାଇଟ୍ଖୋଲି ଦିଅନ୍ତି। କାର୍ଡ ବ୍ୟବହାରକାରୀ ସେହି ସାଇଟ୍ରେ ସମସ୍ତ ତଥ୍ୟ ଦେବା ପରେ ହ୍ୟାକର୍ ହ୍ୟାକିଂ କରିଥାନ୍ତି। ଫେକ୍ କଲ୍ ଜରିଆରେ ବି ହ୍ୟାକର୍ କାର୍ଡ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରି ନେଉଥିବା ନଜିର୍ ରହିଛି। ହ୍ୟାକରମାନେ ରାତି ସାଢ଼େ ୧୧ରୁ ୧୨ଟା ଭିତରେ ହିଁ କାର୍ଡରୁ ଲୁଟି ନେଉଛନ୍ତି ଟଙ୍କା। ସୁରକ୍ଷିତ ରହିବା ପାଇଁ କାର୍ଡ ବ୍ୟବହାରକାରୀ ଏଟିଏମ୍ ଓ ଡେବିଡ୍ କାର୍ଡ ପାସଵର୍ଡ ବଦଳାଇ ପାରିବେ। କାର୍ଡର କାରବାର ସୀମା(ଟ୍ରାଞ୍ଜାକ୍ସନ୍ ଲିମିଟି)କୁ କମାଇ ଦେଇପାରିବେ। ଏହା ଉପରେ କ’ଣ ପଦକ୍ଷେପ ନିଆଯିବ ପାରିବ, ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ୨୦୧୮ରେ ରାଜ୍ୟରେ ୮୪୩ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। କେବଳ ୩୯୨ଟି ଅନଲାଇନ୍ ବ୍ୟାଙ୍କ ଠକେଇ ମାମଲା ରୁଜୁ ହୋଇଥିଲା। ୨୦୪ଟି ଏଟିଏମ୍ ଓ ୧୫୮ଟି ଅନଲାଇନ୍ ବ୍ୟାଙ୍କ ଠକେଇ ମାମଲା ରୁଜୁ କରିଥିଲା ସାଇବର ଥାନା। ସାଇବର ଠକେଇରେ ୨୦୧୮ରେ ଓଡ଼ିଶା ଦେଶର ୧୦ଟି ରାଜ୍ୟ ଭିତରେ ରହିଥିଲା। ଏଭଳି ସାଇବର୍ ଆକ୍ରମଣରୁ ବର୍ତ୍ତିବା ପାଇଁ ସରକାରଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Online-shopping-fraud-hackers-Christmas-734526.jpg)