ଲଘୁଚାପଜନିତ ଲଗାଣ ବର୍ଷାରେ ୫୩ ନମ୍ବର ଜାତୀୟ ରାଜପଥରେ ୩ ଫୁଟ ପାଣି

କଲଭର୍ଟ ଭାସିଗଲା, ଭୁବନ-କାମାକ୍ଷା, ଭୁବନ-ସୁକିନ୍ଦା ଯୋଗାଯୋଗ ବିଚ୍ଛିନ୍ନ

ଭୁବନ : ଗତ ଦୁଇ ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭୁବନ ଜଳାର୍ଣ୍ଣବ ହୋଇପଡିଛି । ଚାରିଆଡେ ପାଣି । ପାଣ୍ଡରାନାଳରେ ପ୍ରବଳ ବର୍ଷା ପାଣି ଆସିବାରୁ ୫୩ ନମ୍ବର ଜାତୀୟ ରାଜପଥର ବାଉଁଶକଣ ନିକଟରେ ନିର୍ମାଣଧିନ ନୂତନ ରାସ୍ତା ଭସାଇନେଇଛି । ଫଳରେ ଭୁବନରୁ ସୁକିନ୍ଦା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନୁରୂପ ଭାବେ ଡମଶାଳ ନାଳରେ ବର୍ଷାଜଳ ପ୍ରବାହିତ ହୋଇ ପୋଲ ଉପରେ ୩ ଫୁଟ ଉଚ୍ଚାରେ ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇପଡିଛି । ବାଲିବୋ ଠାରୁ ନୟାନୀଳକଣ୍ଠପୁର ରାସ୍ତାର ୮ କିମି ଠାରେ ପୁରୁଣା ପୋଲ ଉଭୟପାର୍ଶ୍ୱରେ ୪୦ ଫୁଟ ଘାଇ ହୋଇଥିବା ଫଳରେ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇପଡିଛି । ଧନେଇ ନାଳ ପୋଲ ଉପରେ ବର୍ଷାଜଳ ପ୍ରବାହିତ ଯୋଗୁ କୁନିନ୍ଦା, ଧଳପଡା ପଞ୍ଚାୟତ ମଧ୍ୟ ବିଚ୍ଛିନ୍ନ ହୋଇପଡିଛି ।

ହଠାତ ବର୍ଷାଜଳ ମାଡିଆସିବାରୁ ଦଧିସିଙ୍ଗା ଠାରେ ବିଜୁ ସେତୁ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକ ସ୍ରୋତରେ ଭାସିଯାଇ ଏକ ଗଛରେ ଲାଗିଥିବା ବେଳେ ତାଙ୍କ ସହିତ ସମସ୍ତ ୯ ଜଣ ଶ୍ରମିକଙ୍କୁ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ପାଣି ଘେରରୁ ଉଦ୍ଧାର କରିଥିଲେ । ହଜାର ହଜାର ହେକ୍ଟର ଚାଷଜମିରେ ଧାନତଳି ନଷ୍ଟ ହୋଇଯାଇଥିବା ବେଳେ ପନିପରିବା ଓ ରବିଫସଲ ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଚାଷୀମଣ୍ଡରେ ଚଡକ ପଡିଛି । କରୋନା ଜନିତ ଲକଡାଉନ ସଟଡାଉନରେ ପ୍ରକୃତି ମଧ୍ୟ ଦାଉ ସାଧିଲା ବୋଲି ଚାଷୀମାନେ କହୁଛନ୍ତି ।

ଗଡଗଁପୁର ଗ୍ରାମର ଦୁଇ ପଟରେ ଆଦୌ ଡ୍ରେନ ନଥିବାରୁ ଭାରତଗ୍ୟାସ ଗୋଦାମ ଠାରୁ ନୂଆସାହି କେଶବ ପଣ୍ଡା ଘର ପର୍ଯ୍ୟନ୍ତ ଲୋକେ ପାଣିଘେରରେ ରହିଥିଲେ । ଭୁବନ ଏନଏସିରେ ଡାକ୍ତରଖାନାର ଦକ୍ଷିଣପାର୍ଶ୍ୱର ପାଚେରୀ ଭୂଷୁଡି ପଡିଥିଲା ବେଳେ ବ୍ଲକ କଲୋନୀ, ତହସିଲ କଲୋନୀରେ କର୍ମଚାରୀଙ୍କ ଘରେ ଆଣ୍ଠୁଏ ପାଣି ପଶିଥିଲା । କାଳୀବଜାର ସ୍ଥିତ ବସ୍ତିରେ ପାଣି ପଶି ଥିବା ବେଳେ ନୂଆଭୁବନ ସ୍ଥିତ ଅନିଲ ଏଜେନ୍ସି ସିମେଂଟ ଦୋକାନରେ ପ୍ରାୟ ୫ ଫୁଟ ପାଣି ପଶି ହଜାରେ ବସ୍ତା ସିମେଂଟ ନଷ୍ଟ ହୋଇଯାଇଛି ।

ସୂଚନା କେନ୍ଦ୍ର, ବିଜେଡି କାର୍ଯ୍ୟାଳୟ ପାଣିଘେରରେ ଥିବା ବେଳେ ଶିବାନୀ ଟାଓ୍ୱାରରେ ଫୁଟେ ପାଣି, ସାହୁ ନ୍ୟୁଜ ଏଜେନ୍ସି, ଷ୍ଟୁଡେଂଟ କର୍ଣ୍ଣର, ମଙ୍ଗଳା ପ୍ରେସ, ମୋବାଇଲ, ଚଷମା ଦୋକାନ ଭିତରେ ପଶି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ବ୍ୟବସାୟୀ ମାନେ ଟୁଲୁପମ୍ପ ଲଗାଇ ପାଣି ନିଷ୍କାସନ କରିଥିଲେ । ଡ୍ରେନେଜ ସିଷ୍ଟମ ଫେଲ ଯୋଗୁ ମୁଖ୍ୟ ରାସ୍ତାରେ ଫୁଟେ, ଦୁଇଫୁଟ ଉଚ୍ଚାରେ ଡ୍ରେନ ପାଣି ସହିତ ବର୍ଷାଜଳ ପ୍ରବାହିତ ହେଉଥିଲା । ସାରା ସହର ପୁତି ଗନ୍ଧମୟ ହୋଇପଡିଛି ।

ସମ୍ବନ୍ଧିତ ଖବର