ବରଗଡ଼ : ହାଜତ ମୃତ୍ୟୁ ଘଟଣାକୁ ନେଇ ସହରରେ ଶନିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ଲାଠି ଚାର୍ଜ କରିଥିଲା। ତେବେ ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏନେଇ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର କରୁଣା ସିକନ୍ଦରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟିଛି। ପରିଷଦର ଅଧ୍ୟକ୍ଷ ନିହାଲ ସିଂ, ସୁବେଶ ମୁଣ୍ଡା, ରୂପାଞ୍ଜଳି ରଣବିଡ଼ା, ଶେଖ୍ ଇନ୍ତେକାପ୍, ସୁରେଶ ବାଗ, ପଦ୍ମା ମହାନନ୍ଦ, ରାଜେନ୍ଦ୍ର ଦୀପ ଉପସ୍ଥିତ ଥିଲେ। ଗଣତନ୍ତ୍ର ବ୍ୟବସ୍ଥାରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କ ଉପରେ ଲାଠି ଚାଳନା ଯୁକ୍ତିଯୁକ୍ତ ନୁହେଁ। ଗୋବିନ୍ଦ ଗିରଫ ହେବାର ୭/୮ ଘଣ୍ଟା ଭିତରେ ତାଙ୍କ ଦେହ ଗୁରୁତର ହେଲା କିପରି? ତାଙ୍କ ମୃତ୍ୟୁ ନିଶ୍ଚିତ ଭାବେ ସନ୍ଦେହ ଘେରରେ। ପୁଲିସ୍ର ଏଭଳି ଜୁଲୁମ୍ ବରଗଡ଼ ଜିଲ୍ଲାରେ ଆଗରୁ ବି ଦେଖିବାକୁ ମିଳିଛି। ତେଣୁ ଟିକିନିଖି ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଗୋବିନ୍ଦଙ୍କୁ ଉଠାଇ ନେଇଥିବା ପୁଲିସ୍ କର୍ମଚାରୀଙ୍କୁ ତଦନ୍ତ ସରିବା ଯାଏଁ ନିଲମ୍ବିତ କରିବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ ବରଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଆମ୍ ଆଦମି ପାର୍ଟି ଅଭିଯୋଗ କରିଛି। ଦଳ ଘଟଣାର ବିଚାର ବିଭାଗୀୟ ଓ ତ୍ୱରିତ ନ୍ୟାୟିକ ତଦନ୍ତ ଦାବି କରିଛି। ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ, ମୃତକଙ୍କ ବିଧବା ପତ୍ନୀଙ୍କୁ ଚାକିରି ଏବଂ ପିଲାଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା ଦାୟିତ୍ବ ସରକାର ବହନ କରନ୍ତୁ ବୋଲି ଦଳ ପକ୍ଷରୁ ଜିଲ୍ଲା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/0059b1d6-2fe4-4360-b9aa-5b89e8630d0e.jpg)