୧୮ରେ ୬ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା, ୨୦ ତାରିଖ ଯାଏ କୋହଲା ପାଗ ସହ ବର୍ଷା

ଭୁବନେଶ୍ବର : ଦୁଇଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଯାଇଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ଏହିଭଳି ପାଗ ସହ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା‌ ରହିଛି। ଏଥିସହ ୧୮ ତାରିଖ‌ରେ ରାଜ୍ୟର ୬ ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ହେବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବାଂଲାଦେଶ ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଗତି କରୁଛି। ଏହି ଟ୍ରଫ୍‌ଲାଇନ୍‌ଟି ପଶ୍ଚିମବଙ୍ଗ ଓ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା‌କାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବ।

୧୮ ତାରିଖ ଦିନ ରାଜ୍ୟରେ କୁଆପଥର ବର୍ଷା ସମ୍ଭାବନା ରହିଛି। ବିଶେଷ କରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରିରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଧା, ପୁରୀ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୧୯ ତାରିଖ ଦିନ ମଧ୍ୟ ରାଜ୍ୟ‌ର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖ ଦିନ ବର୍ଷାର ବିସ୍ତୃତି କମିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଅଞ୍ଚଳରେ ହାଲୁକା ବର୍ଷା ହେବ। ଆସନ୍ତା ୩ ଦିନରେ ରାଜ୍ୟର ଦିନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ୨୧ ତାରିଖ ପରେ ରାଜ୍ୟର ପାଗ ପରିବର୍ତ୍ତନ ହୋଇପାରେ।

ସମ୍ବନ୍ଧିତ ଖବର