ଲୋମଶ ମୁହଁରୁ ମିଳିବ ମୁକ୍ତି : ନୂଆ ଚେହେରା ପାଇବେ ସୁନ୍ଦରଗଡ଼ର ‘ସ୍ୱସ୍ତିକ୍‌’

କଟକ : ସାରା ଶରୀରର ୯୦ ଭାଗ ଲୋମ, କଳା ଆବରଣ ଓ ଆବୁ ଥିବା ଏକ ୩ ବର୍ଷର ଶିଶୁର ଆଜି ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି କଟକ ବଡମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ଓ୍ଵାର୍ଡରେ। ସୁନ୍ଦରଗଡ଼ ବଡ଼ଗାଁର ସ୍ୱସ୍ତିକ ନାମକ ଏହି ଶିଶୁ ‘ନିଭାସ୍‌’ରେ ଆକ୍ରାନ୍ତ ବୋଲି ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କେବଳ ଶିଶୁର ମୁହଁରେ ଅସ୍ତ୍ରୋପଚାର କରାଯାଇଥିବାବେଳେ ଖୁବ୍‌ ଶୀଘ୍ର ଶରୀରର ବାକି ଅଂଶର ଅସ୍ତ୍ରୋପଚାର କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ତେଜାବ୍‌ ସିଂ ଓ ସସ୍ମିତାଙ୍କ ପୁଅ ସ୍ୱସ୍ତିକର ମୁହଁ, ପିଠି, ବେକ, ଛାତି, ଗୋଡ଼ ପର୍ଯ୍ୟନ୍ତ କଳା, ଲୋମଯୁକ୍ତ ସହ ଆବୁମୟ ହୋଇ ଯାଇଥିଲା। ଏଭଳି ପରିସ୍ଥିତିରେ ଯେପରି ତାଙ୍କ ପୁଅକୁ କେହି ନ ଦେଖିବେ ସେଥିପାଇଁ ପୁଅକୁ ସବୁବେଳେ ଘୋଡ଼ାଇ ରଖୁଥିଲେ ବାପା, ମା’। କଟକ ବଡ଼ମେଡିକାଲରେ ଏହାର ସଫଳ ଅସ୍ତ୍ରୋପଚାର ହେଉଥିବା ଖବର ପାଇ ସେମାନେ ପୁଅକୁ ଧରି ଗତସପ୍ତାହରେ ଏସ୍‌ସିବିରେ ପହଞ୍ଚି ଥିଲେ। ପ୍ରଥମେ ଆଉଟ୍‌ଡୋରରେ ଦେଖାଇବା ପରେ ପୁଅ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲା। ପିଲାଟିର ସମସ୍ତ ପରୀକ୍ଷା କରାଯିବା ପରେ ବାମ ଗୋଡରୁ ଚର୍ମ ନେଇ ପ୍ରଥମେ କେବଳ ମୁହଁର ଅସ୍ତ୍ରୋପଚାର କରାଯାଇଛି। ଜନ୍ମରୁ ଜେନେଟିକାଲ୍‌ ଦୋଷରୁ ଏଭଳି କଳା ଓ ଲୋମଶ ଚର୍ମଯୁକ୍ତ ଆବରଣ ଶରୀରରେ ଦେଖାଯାଇଥାଏ। ଯଦି ଏଗୁଡିକ ଅଧିକ ଦିନ ଶରୀରରେ ରହିବ ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍‌ସର ବା ‘ମେଲାନୁମା’କୁ ପରିବର୍ତ୍ତିତ ହେବାର ଆଶଙ୍କା ରହିଥାଏ। ଏସ୍‌ସିବିରେ ପୂର୍ବରୁ ଏଭଳି ୨୫ରୁ ଉର୍ଦ୍ଧ୍ୱ ଅସ୍ତ୍ରୋପଚାର କରାଯାଇଥିବା ସଂପର୍କରେ ଡାକ୍ତର ଚୌଧୁରୀ ସୂଚନା ଦେଇଛନ୍ତି। ପ୍ରଫେସର ଚୌଧୁରୀଙ୍କ ସହ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପି.ଆର. ସିଂହ, ଆସିଷ୍ଟାଣ୍ଡ ସର୍ଜନ ଡାକ୍ତର ସତ୍ୟ ନାରାୟଣ ରାଉତ୍‌ରାୟ, ଡାକ୍ତର କେ.ସି ପ୍ରଧାନ, ନିଶ୍ଚେତକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଷ୍ଣୁ ମହାପାତ୍ର ପ୍ରମୁଖ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର