ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ଆର୍‌କେଡ଼ି ଏକ ଠିକାସଂସ୍ଥାର ହାଇୱା ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ରାଇକିଆ ବ୍ଲକ୍ କୁମ୍ଭାରଖାଡ଼ି ଗ୍ରାମର ସଚ୍ଚିଦାନନ୍ଦ ନାୟକ(୨୬) ଓ ବାଲିଗୁଡ଼ା ବଡ଼ଗାଁର ରାକେଶ ମଳିକ(୨୦)। ଗତକାଲି ରାତିରେ ଉଭୟ ଏକ ବାଇକ୍‌ ଯୋଗେ ମହାସିଙ୍ଗି ଯାଇ ଫେରୁଥିବା ବେଳେ ବାଲିଗୁଡ଼ା ପଟୁ ଆସୁଥିବା ହାଇୱାଟି ସୁରୁବାଲି ଠାରେ ଉଭୟଙ୍କୁ ଧକ୍କା ଦେଇଥିଲା।

Advertisment

ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଆଜି ସକାଳୁ ଖବର ପାଇ ଶତାଧିକ ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଫଳରେ ଉଭୟ ପଟରୁ ଶତାଧିକ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଘଟଣାସ୍ଥଳରେ ଠିକା ସଂସ୍ଥାର କର୍ମକର୍ତ୍ତା, ବାଲିଗୁଡ଼ା ଅତିରିକ୍ତ ତହସିଲଦାର ବୀରେନ୍ଦ୍ର ତ୍ରିପାଠୀ ଓ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ଠିକା ସଂସ୍ଥା ତରଫରୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଭାଙ୍ଗି ଯାଇଥିବା ବାଇକ୍‌ ବଦଳେ ନୂଆ ବାଇକ୍‌ ଓ ନିୟମ ପ୍ରକାରେ ବୀମା ପ୍ରଦାନରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେବାରୁ ୩ ଘଣ୍ଟା ପରେ ରାସ୍ତାରୋକ ହଟିବା ସହ ଯାନବାହନ ଚଳାଚଳ ସ୍ବଭାବିକ ହୋଇଥିଲା।

ସୂଚନା ପ୍ରକାରେ, ଗତକାଲି ରାତି ୧୦ଟା ବେଳେ ଉଭୟ ସଚ୍ଚିଦାନନ୍ଦ ଓ ରାକେଶ ଏକ ବାଇକ୍‌ରେ ନୂଆଗାଁରୁ ବାଲିଗୁଡ଼ା ଆଡ଼କୁ ଆସୁଥିଲେ। ଏହି ସମୟରେ ଠିକାସଂସ୍ଥାର ହାଇୱା ବାଇକ୍‌କୁ ଧକ୍କା ଦେବା ଫଳରେ ଉଭୟ ଛିଟିକି ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ବାଲିଗୁଡ଼ା ଥାନାରେ କେସ୍‌ ନଂ ୨୭୮/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।