କୋରାପୁଟ: ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢ଼ୁଆ ବିମାନ ମିଗ୍‌-୨୯କୁ ଶକ୍ତି ଯୋଗାଇବ ଆରଡି-୩୩ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌। ଏଥିପାଇଁ ରୁଷ୍‌ ସହ ବୁଝାମଣା ପରେ ଖୁବଶୀଘ୍ର ହାଲ୍‌ କୋରାପୁଟ ଡିଭିଜନ୍‌ର ସୁନାବେଡ଼ା ସ୍ଥିତ କାରଖାନାରେ ଇଞ୍ଜିନ୍‌ ନିର୍ମାଣ ହେବ। ପାକିସ୍ତାନ ଏରୋନଟିକାଲ କମ୍ପ୍ଲେକ୍ସ ଏବଂ ଚାଇନାର ଚେଙ୍ଗଡୁ ଏୟାରକ୍ରାଫ୍ଟ କର୍ପୋରେସନ ଦ୍ୱାରା ମିଳିତ ଭାବେ ବିକଶିତ ହାଲୁକା, ସିଙ୍ଗଲ ଇଞ୍ଜିନ, ମଲ୍ଟିରୋଲ ଜେଏଫ୍‌-୧୭ ‘ଥଣ୍ଡର’ ଲଢ଼ୁଆ ବିମାନକୁ ଏହି ଆରଡି-୩୩ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ମାତ୍ ଦେଇପାରିବ ବୋଲି କୁହାଯାଉଛି। ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଆରଡି-୩୩ ଟର୍ବୋଫ୍ୟାନ୍‌ ଇଞ୍ଜିନ୍ ଉତ୍ପାଦନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଠାରୁ ୫,୨୪୯.୭୨ କୋଟି ଟଙ୍କା (୬୫୦ ମିଲିୟନ୍ ଡଲାର) ମୂଲ୍ୟର ଚୁକ୍ତି ପାଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଏରୋ ଇଞ୍ଜିନ୍ ଗୁଡ଼ିକ ହାଲ୍ କୋରାପୁଟ ଡିଭିଜନ୍‌ ଦ୍ୱାରା ଉତ୍ପାଦନ କରାଯିବ। ରୁଷ୍‌ର ମୂଳ ଉପକରଣ ନିର୍ମାତା (ଓଇଏମ୍) ଠାରୁ ଟେକ୍ନୋଲୋଜି (ଟିଓଟି) ଲାଇସେନ୍ସ ହସ୍ତାନ୍ତର ଅଧୀନରେ ଭାରତରେ ଏହି ଇଞ୍ଜିନ ଉତ୍ପାଦନ କରାଯିବ। ସେହିପରି ଅନେକ ଉଚ୍ଚ ମୂଲ୍ୟଯୁକ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନର ସ୍ୱଦେଶୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଯାହାଫଳରେ ଏହି ଇଞ୍ଜିନ୍‌ର ଭବିଷ୍ୟତ ମରାମତିରେ ସହାୟକ ହୋଇପାରିବ। ନୂଆ ଉତ୍ପାଦନ ହେବାକୁ ଥିବା ଆରଡି-୩୩ ଟର୍ବୋଫ୍ୟାନ୍‌ ଇଞ୍ଜିନ୍ ବିମାନର କାର୍ଯ୍ୟକ୍ଷମ ଜୀବନକୁ ଆଉ ଏକ ଦଶନ୍ଧି ବୃଦ୍ଧି କରିବ।

Advertisment

ହାଲ୍‌ କୋରାପୁଟ ଡିଭିଜିନ୍‌ର ନୂଆ ଉପଲବ୍ଧି
ନିର୍ମାଣ ହେବ ଆରଡି-୩୩ ଟର୍ବୋଫ୍ୟାନ୍‌ ଇଞ୍ଜିନ
ମିଗ୍‌-୨୯ ବିମାନକୁ ବଳ ଯୋଗାଇବ
ପାକିସ୍ତାନୀ ଜେଏଫ୍‌-୧୭ ‘ଥଣ୍ଡର’କୁ ମାତ୍‌ ଦେବ

ମିଗ୍ -୨୧ର ଇଞ୍ଜନ୍‌ ଉତ୍ପାଦନ ପାଇଁ ମିଗ୍ କମ୍ପ୍ଲେକ୍ସର ଏକ ଅଂଶ ଭାବେ ୧୯୬୪ ମସିହାରେ କୋରାପୁଟର ସୁନାବେଡ଼ାରେ ଇଞ୍ଜିନ୍ ଡିଭିଜନ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ନିର୍ମିତ ପ୍ରଥମେ ମିଗ୍-୨୧ଏଫଏଲ୍ ବିମାନର ଆର୍୧୧-ଏଫ୍୨/ଏଫ୍୨ଏସ୍ ଟର୍ବୋଜେଟ୍ ଇଞ୍ଜିନ୍ ନିର୍ମାଣ ହୋଇଥିଲା। ସେବେଠାରୁ କୋରାପୁଟ ଭାରତୀୟ ବାୟୁସେନାକୁ ଶକ୍ତି ଯୋଗାଉଥିବା ବିମାନର ଇଞ୍ଜିନ ସୁନାବେଡ଼ା ହାଲ୍‌ ପ୍ରସ୍ତୁତ କରୁଛି। ମିଗ୍-୨୧ ବିଆଇଏସ୍ ବିମାନ ପାଇଁ ଆର୍୨୫ ସିରିଜ୍ ଏବଂ ମିଗ୍-୨୭ଏମ୍ ବିମାନ ପାଇଁ ଆର୍୨୯ବି ସିରିଜ୍ ଇଞ୍ଜିନ୍‌ ମଧ୍ୟ ଏଠାରେ ନିର୍ମାଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି କାରଖାନାରେ ୧୩୩୭ରୁ ଅଧିକ ଇଞ୍ଜିନ ଉତ୍ପାଦନ ହୋଇଥିବା ବେଳେ ଆର୧୧, ଆର୨୫, ଆର୨୯ବି ଓ ଆରଡି-୩୩ ସମେତ ୭୭୦୦ରୁ ଅଧିକ ଇଞ୍ଜିନର ପୁନରୁଦ୍ଧାର କରାଯାଇଛି। ୨୦୦୫ ମସିହାରେ ସୁନାବେଡ଼ା କାରଖାନାରେ ୧୨୦ଟି ଆରଡି-୩୩/୩ ସିରିଜ୍ ନିର୍ମାଣ ପାଇଁ ରୋସୋବୋରୋନ୍ ଏକ୍ସପର୍ଟ ଓ ହାଲ୍ ମଧ୍ୟରେ ୨୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଯାହାଫଳରେ ୨୦୦୭ ମସିହାରେ ଆରଡି-୩୩ ଇଞ୍ଜିନ୍‌କୁ ଏଠାରେ ଏକାଠି କରିବା କାମ ମଧ୍ୟ ଆରମ୍ଭ ହୋଇଥିଲା।