ହାଲ୍ ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌

କୋରାପୁଟ/ସୁନାବେଡା : ଜାଲ୍‌ ଭାଉଚର ଦେଇ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(ହାଲ୍)ରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ମାମଲାର ଛାନଭିନ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇର ଦୁଇ ଜଣିଆ ଟିମ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହାଲର ସିନିଅର୍ ଫାଇନାନ୍ସ ମ୍ୟାନେଜର ଭବେନ୍ ମୈତିଙ୍କ ଘରେ ଚଢାଉ କରିଛନ୍ତି।

ହାଲରେ ସିନିଅର୍ ମ୍ୟାନେଜର ଥିବା ମୈତି ୫ ଲକ୍ଷ ଟଙ୍କା ଯାଏ ବିଲ୍ ପୈଠ କରିବାର କ୍ଷମତା ଥିବାବେଳେ ସେ ଗତ କିଛି ବର୍ଷ ହେବ ବିଭିନ୍ନ ସମୟରେ ଫଲସ୍ ବିଲ୍ କରି ଟଙ୍କା ହଡ଼ପ କରି ଆସୁଥିଲେ। ଟଙ୍କା ହଡ଼ପ ନେଇ ପୂର୍ବରୁ ହାଲ୍ କର୍ତ୍ତୃପକ୍ଷ ମୈତିଙ୍କ ବିରୁଦ୍ଧରେ ସୁନାବେଡା ଥାନାରେ ଏତଲା ଦେଇଥିଲେ। ହାଲ୍ ଇଂଟରନାଲ ଭିଜିଲାନ୍ସ ଓ ସୁନାବେଡା ପୁଲିସ ମିଳିତ ଭାବେ ମୈତି ରହୁଥିବା ଏନ୍ ଜୋନ ୪ ନମ୍ବର କ୍ୱାଟରରେ ଚଢଉ କରିବା ସମୟରେ ମୈତିଙ୍କ କ୍ୱାର୍ଟରରୁ ୧ ଲକ୍ଷ ୬୭ ହଜାର ୩୦୦ ଟଙ୍କାର ପୋଡି ଯାଇଥିବା ନୋଟ୍, କେତେକ ଜମିର କାଗଜପତ୍ର ଏବଂ ୧୮ଲକ୍ଷ ଟଙ୍କାର ଏକ କାର୍ ଜବତ କରିଥିଲେ।

ସୁନାବେଡା ପୁଲିସ ଏଥିନେଇ୧୫୨/୧୮ ଏକ ମାମଲା ରୁଜୁ କରି ଏଥିରେ ସଂପୃକ୍ତ ୩ ଜଣ ଠିକାଦାରଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଜଡାଗୁଡାର ସଦାନନ୍ଦ ନାୟକ, ଚିକାପାର ଗ୍ରାମର ଉଦ୍ଧବ ଖୋସଲା ଓ ଯୀଶୁଦାନ ଖୋସଲା। ଏମାନଙ୍କ ବ୍ୟାଙ୍କ ଖାତାରେ ଗତ ସେପ୍ଟେମ୍ବର ମାସରେ ୪୫ ଲକ୍ଷ ଟଙ୍କା ଜମା ହୋଇଥିବା ପୁଲିସ କହିଥିଲାବେଳେ ଜାଲ ବିଲ କରି ଏମାନଙ୍କ ଖାତାରେ ଟଙ୍କା ଜମା କରାଯାଇଥିବା ପ୍ରମାଣ ମିଳିଛି। ତେବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସିନିଅର୍ ଫାଇନାନ୍ସ ମ୍ୟାନେଜର ଭବେନ୍ ମୈତି ଏବେ ବି ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର