ସୁଖୋଇ କମ୍ପ୍ରେସର୍‌ ସପ୍‌ରେ ବିସ୍ଫୋରଣ, ଠିକା ଶ୍ରମିକଙ୍କ ମୃତ୍ୟୁ, ଶ୍ରମିକ ମହଲରେ ଉତ୍ତେଜନା

ସେମିଳିଗୁଡା/କୋରାପୁଟ : ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକସ ଲିମିଟେଡ(ହାଲ୍)ର ସୁଖୋଇ ବିଭାଗର କଂପ୍ରେସର ସପ୍‌ରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଠିକା ଶ୍ରମିକ ସୁଦାମ ମହାନ୍ତିଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ହାଲ୍‌ ପରିସରରେ ଆତଙ୍କ ଖେଳି ଯାଇଥିଲାବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଆଜି ଅପରାହ୍ନରେ ହଠାତ ଏକ ଭୟଙ୍କର ଶବ୍ଦ ସାରା ସୁନାବେଡା ସହରକୁ ଥରାଇ ଦେଇଥିଲା। ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ, ସହର ସାରା ଆତଙ୍କ ଖେଳିଯାଇଥିଲା। ବୋମା ବିସ୍ଫୋରଣ ହେଲା ବୋଲି ଲୋକେ ଭାବି ନେଇଥିଲେ। ପ୍ରକୃତରେ ଏହି ବିସ୍ଫୋରଣ ହାଲ୍‌ର ସୁଖୋଇ ବିଭାଗରେ ହୋଇଥିଲା। ବିଭାଗର କଂପ୍ରେସର ସପ୍‌ର ଗୋଟିଏ ଭ୍ୟାଲବ୍‌ ଛିଣ୍ଡିବା କାରଣରୁ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଠିକା ଶ୍ରମିକ ସୁଦାମ ମହାନ୍ତି ଗୁରୁତର ଭାବେ ଆହତ ହୋଇଥିଲେ। କଂପ୍ରେସର ସପ୍‌ରେ ଛିଣ୍ଡିଥିବା ଭ୍ୟାଲବଟି ସିଧା ସୁଦାମଙ୍କ ପେଟରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହାଲ୍‌ ଡାକ୍ତରଖାନାକୁ ନିଆଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ସୁଦାମ ବିଶାଖାପାଟଣାର ଆର. କେ.ଇଂଜିନିୟରିଂ କଂପାନିରେ ଅସ୍ଥାୟୀ ସ୍କିଲ୍ଡ଼ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେ ସୁନାବେଡା-୧ ଡ୍ରାଇଭର କଲୋନିରେ ରହୁଥିଲେ। ଦୁର୍ଘଟଣା ନେଇ ହାଲ୍ ପକ୍ଷରୁ କୌଣସି ପ୍ରକାର ଆନୁଷ୍ଠାନିକ ସୂଚନା ପ୍ରଦାନ କରାଯାଇ ନାହିଁ। ଆର.କେ. ଇଂଜିନିୟରିଂ କଂପାନି ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ମିଳି ପାରିନି। ମୃତ ସୁଦାମ ସୁନାବେଡା-୧ ଡ୍ରାଇଭର କଲୋନିରେ ନିଜ ପିତାଙ୍କ ସହ ରହୁଥିଲେ। ତାଙ୍କ ମୃତଦେହ ଏବେ ହାଲ୍‌ ମେଡିକାଲରେ ରଖାଯାଇଛି। ବିଭିନ୍ନ ଅସ୍ଥାୟୀ ଶ୍ରମିକ ସଂଗଠନର କର୍ମକର୍ତ୍ତା ଓ ସାଥୀ ଶ୍ରମିକମାନେ ସେଠାରେ ଜଗି ରହିଥିଲାବେଳେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ସୁନାବେଡା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର