ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର କର୍ମଚାରୀଙ୍କ ଦେଶବ୍ୟାପୀ ଆନ୍ଦୋଳନ

କୋରାପୁଟ:  ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ  ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ)ର  କର୍ମଚାରୀମାନେ ଆଜିଠାରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦେଶର ପ୍ରାୟ ୨୦ ହଜାର କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସୁନାବେଡାରେ ଥିବା ହାଲ୍ କାରଖାନାର ପ୍ରାୟ ୨୮ ଶହ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହାଲ୍ ଶ୍ରମିକ ସଂଘ ସମନ୍ୱୟ କମିଟି ଏହି ଆନ୍ଦୋଳନ ଆରମ୍ଭ କରିଛି । ଏହି ଆନ୍ଦୋଳନକୁ ସ୍ୱୀକୃତିପ୍ରାପ୍ତ ବିଜୁ ଏରୋନେଟିକ୍ସ କର୍ମଚାରୀ ସଂଘ ସମର୍ଥନ କରୁଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।

ଫଳରେ ସୁଖୋଇ-୩୦ ବିମାନର ଇଂଜିନ କାମ ସଂପୂର୍ଣ୍ଣ ବନ୍ଦ ଥିବାବେଳେ ମିଗ୍-୨୯ ଯୁଦ୍ଧ ବିମାନର ଇଞ୍ଜିନର ମେଣ୍ଟେନାନ୍ସ କାମ ବି ଠପ୍ ହୋଇଛି । ଆନ୍ଦୋଳନକୁ ଟାଳିବା ପାଇଁ କର୍ମଚାରୀ ସଂଘ ଓ ପରିଚାଳନା କମିଟି ମଧ୍ୟରେ ଆଲୋଚନା ହୋଇଥିଲେ ବି ଏହା ବିଫଳ ହେବା ପରେ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହାଲରେ ପର୍ବରୁ ଏଭଳି ଆନ୍ଦୋଳନ ୧୯୮୬ରେ ଦେଖିବାକୁ ମିଳିଥିଲା ।

ଦେଶର ଅନ୍ୟତମ ବଡ ସରକାରୀ ଉଦ୍ୟୋଗ ହାଲର ଦେଶରେ ୫ଟି ଉତ୍ପାଦନ କଂପ୍ଲେସ ରହିଛି । ସୁନାବେଡା ବ୍ୟତୀତ କୋରାପୁଟ, ହାଇଦ୍ରାବାଦ,ବେଙ୍ଗାଲୁରୁରେ ହାଲର ୟୁନିଟ ଅଛି । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ଦରମାରେ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ପାତରଅନ୍ତର କରାଯାଉଛି ।

ସମ୍ବନ୍ଧିତ ଖବର